ଶ୍ରୀମନ୍ଦିର ଖୋଲିଲେ ୫ ଜଣ ଗୁରୁଜନଙ୍କୁ ଦର୍ଶନ କରାଇବା ପାଇଁ ଯୁବମୋର୍ଚ୍ଚା ସଦସ୍ୟଙ୍କୁ କହିଲେ ଧର୍ମେନ୍ଦ୍ର ପ୍ରଧାନ

Published: Jun 28, 2020, 10:42 pm IST

ନୂଆଦିଲ୍ଲୀ/ଭୁବନେଶ୍ବର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ୱାନ କରିଛନ୍ତି। ଏହି ମର୍ମରେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟମାନେ ନିଜ ଗାଁର ପାଞ୍ଚ ଜଣଙ୍କୁ ପୁରୀ ଶ୍ରୀମନ୍ଦିର ଦର୍ଶନରେ ନିଅନ୍ତୁ। ମନ୍ଦିର ଖୋଲିବା ପରେ ନିଜ ଖର୍ଚ୍ଚରେ ସଦସ୍ୟମାନେ ଏହି କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୁବ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇ ଏହା ଆହ୍ୱାନ କରିବା ସହ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ସଂଗଠନ, ସମ୍ପର୍କ, ସର୍ବୋପରି ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବାକୁ କହିଛନ୍ତି ପ୍ରଧାନ।

ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କା ଓଡିଆ ଲୋକଙ୍କ ସ୍ୱାର୍ଥରେ ଲାଗୁ। ଏଥିପାଇଁ ଜନସଚେତନତା ନକଲେ ସବୁ ପ୍ରଚେଷ୍ଟା ବ୍ୟର୍ଥ ଯିବ । ତେଣୁ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜାଗ୍ରତ ପ୍ରଭାରୀ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ଆଗେଇ ନେବା ସହ ନୂଆ ଆଦର୍ଶର ରାଜନୈତିକ ସଂଗଠନ ତିଆରି କରିବାର ଦାୟିତ୍ୱ ନିଅନ୍ତୁ।

ଓଡିଶାରେ ବିଜେପି ସରକାର ନହେବା ପର୍ଯ୍ୟନ୍ତ ଓ ବିଜେପିକୁ ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ନ ମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମାନ, ଅପମାନ, ଅଭିମାନକୁ ଭୁଲି ସାଢେ ୪ କୋଟି ଓଡିଆଙ୍କ ଏକମାତ୍ର ଲକ୍ଷ୍ୟ ଓଡିଶାକୁ ନୂଆ ଶିଖରକୁ ନେବା ପାଇଁ ଦାୟିତ୍ୱ ନିଅନ୍ତୁ ଓ ଆଗାମୀ ଦିନରେ ଓଡିଆ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଆଙ୍କ ହକ୍ ପାଇଁ ନିରନ୍ତର ଆନ୍ଦୋଳନ ଓ କାର୍ଯ୍ୟକ୍ରମ କରନ୍ତୁା

Related posts