ସିବିଏସଇ ଦଶମ ପରୀକ୍ଷା ଫଳ ଟପ୍ ଟେନରେ ସନ୍ଧ୍ୟା ପ୍ରିୟଦର୍ଶିନୀ, ଶୁଭେଚ୍ଛା ଜଣାଇଲେ 5T ସଚିବ ଏବଂ ବିଧାୟିକା ଲତିକା

Published: Jul 17, 2020, 1:52 pm IST

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା, ଏବର୍ଷ ସିବିଏସ୍ଇ ଦଶମ ପରୀକ୍ଷାରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭ ଦଶମିକ ୨ ପ୍ରତିଶତ ମାର୍କ ରଖି ରାଜ୍ୟର ଟପ୍ ଟେନ୍ ତାଲିକାର ସପ୍ତମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନଫେରସିଂରେ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି |

ତାଙ୍କର ଏହି ସଫଳତା ପାଇଁ 5T ସଚିବ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ବ୍ୟକ୍ତିଗତ ଭାବରେ ଭେଟିବା ସମ୍ଭବ ହୋଇପାରୁ ନଥିବା ବେଳେ ଭିଡିଓ କନଫେରସିଂ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ଏଥିସହ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଭିଡିଓ କନଫେରସିଂ ମାଧ୍ୟମରେ ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କ ସହିତ ଆଲୋଚନା କରି ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି |ତାଙ୍କର ଏହି ସଫଳତା ବେଗୁନିଆପଡା ବ୍ଲକ ଓ ସ୍କୁଲ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ବିଧାୟିକା |

ଏଥିସହ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିବା ସହ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଧାୟିକା |ସନ୍ଧ୍ୟା ପ୍ରିୟଦର୍ଶିନୀ ଏହି ବ୍ଲକ୍ ଅନ୍ତର୍ଗତ ପାଇକପଡ଼ା ସ୍ଥିତ ଶ୍ରୀ ବଟେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପଟ୍ଟନାୟକ ଓ ସ୍ଵପ୍ନାଞ୍ଜଳି ପଟ୍ଟନାୟକଙ୍କ ଏକମାତ୍ର ଝିଅ l

ରାଜପୁର ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ଶତ ପ୍ରତିଶତ ଫଳ ହୋଇଥିବା ବେଳେ ୫୪ ଜଣ ପାସ୍ କରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୫୦ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଉ ୪ ଜଣ ୫୦ ପ୍ରତିଶତ ରୁ ୬୦ ପ୍ରତିଶତ ମଧ୍ୟରେ ମାର୍କ ରଖିଛନ୍ତି l

Related posts