ରାଜସ୍ଥାନରେ ପାଇଲଟ୍ ଓ ଗେହଲଟଙ୍କ ଆଇନ ଲଢେଇ, ଜାଣନ୍ତୁ କ’ଣ କହିଲେ ହାଇକୋର୍ଟ

Published: Jul 17, 2020, 6:48 pm IST

ଜୟପୁର: ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକ କରିଥିବା ମାମଲାର ପରବର୍ତ୍ତୀ ଶୁଣାଣିକୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏଥିସହ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରି ବିଧାନସଭା ବାଚସ୍ପତି ଜାରି କରିଥିବା ବିଜ୍ଞପ୍ତି ବିରୋଧରେ ଆଗତ ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ଶୁଣାଣି ବେଳେ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ ଯେ ବିଧାନସଭା ବାହାରେ ବିଧାୟକମାନଙ୍କର କୌଣସି କାର୍ଯ୍ୟକୁ ନେଇ ବାଚସ୍ପତି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ କିମ୍ବା ସେମାନଙ୍କର ସଦସ୍ୟତାକୁ ମଧ୍ୟ ରଦ୍ଦ କରିପାରିବେ ନାହିଁ। ଏହା ଅଣ ସାମ୍ବିଧାନିକ ଏବଂ ତାଙ୍କ କ୍ଷମତା ପରିସର ବାହାରେ।

Related posts