Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ପାଇଲଟ୍ ଓ ଗେହଲଟଙ୍କ ଆଇନ ଲଢେଇ, ଜାଣନ୍ତୁ କ’ଣ କହିଲେ ହାଇକୋର୍ଟ

ଜୟପୁର: ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକ କରିଥିବା ମାମଲାର ପରବର୍ତ୍ତୀ ଶୁଣାଣିକୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏଥିସହ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରି ବିଧାନସଭା ବାଚସ୍ପତି ଜାରି କରିଥିବା ବିଜ୍ଞପ୍ତି ବିରୋଧରେ ଆଗତ ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ଶୁଣାଣି ବେଳେ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ ଯେ ବିଧାନସଭା ବାହାରେ ବିଧାୟକମାନଙ୍କର କୌଣସି କାର୍ଯ୍ୟକୁ ନେଇ ବାଚସ୍ପତି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ କିମ୍ବା ସେମାନଙ୍କର ସଦସ୍ୟତାକୁ ମଧ୍ୟ ରଦ୍ଦ କରିପାରିବେ ନାହିଁ। ଏହା ଅଣ ସାମ୍ବିଧାନିକ ଏବଂ ତାଙ୍କ କ୍ଷମତା ପରିସର ବାହାରେ।

Categories
ଆଜିର ଖବର ଜାତୀୟ ଖବର

ହୋଇପାରେ ସଚିନଙ୍କ ‘ଘର ବାହୁଡ଼ା’, ରାହୁଲ କହିଲେ ସଚିନ ଏବେ ବି ପାଇଲଟ ପାର୍ଚିର ସଦସ୍ୟ

ନୂଆଦିଲ୍ଲୀ, ରାଜସ୍ଥାନ ରାଜନୀତି ଏବେ ବି ରୋଚକ ମୋଡ଼ରେ ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କୁ ଶାଣିତ ଆକ୍ରମଣ କରିଥିବା ବେଳେ ଏଥିରେ ବ୍ରେକ୍ ଲଗାଇଛନ୍ତି ଦଳର ହାଇକମାଣ୍ଡ। ରାହୁଲ ଗାନ୍ଧି କହିଛନ୍ତି ସଚିନ ଏବେ ବି ପାଇଲଟ୍ ପାର୍ଟିର ଜଣେ ସଦସ୍ୟ ଅଛନ୍ତି। ଏପଟେ ସାଧାରଣରେ କୌଣସି ବିବୃତି ନ ଦେବାକୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ନିର୍ଦେଶ ଦିଆଯାଇଛି।

ରାଜସ୍ଥାନ ରାଜନୀତିରେ ହଟଚମଟ ଚାଲିଥିବା ବେଳେ ରାହୁଲ ଗାନ୍ଧି ସଚିନ ପାଇଲଟଙ୍କ ପାଖକୁ ଏକ ବାର୍ତ୍ତା ପଠାଇଛନ୍ତି। ଏଥିରେ କୁହାଯାଇଛି ଯେ, ଏବେ ବି ସେ ଦଳରେ ଜଣେ ସଦସ୍ୟ ଅଛନ୍ତି ଏବଂ ତାଙ୍କ ପାଇଁ ଦଳର ଦ୍ବାର ସବୁବେଳେ ଖୋଲା ରହିଛି।

ଅନ୍ୟପକ୍ଷରେ ପାଇଲଟଙ୍କୁ ନେଇ ବ୍ୟକ୍ତିଗତ ଆକ୍ଷେପ କରୁଥିବା ନେଇ ରାହୁଲ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଜଣାଯାଇଛି। ପାଇଲଟଙ୍କୁ ନୋଟିସ ପଠାଇଥିବା ଘଟଣାରେ ହାଇକମାଣ୍ଡ ଗେହଲଟଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ଭାଙ୍ଗିବା ପାଇଁ ସଚିନ ଦଳର ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ଉଦ୍ୟମ କରି ଆସୁଥିବା ଗେହଲଟ ଅଭିଯୋଗ ଆଣିଛନ୍ତି।

ହେଲେ ଆଜି ରାହୁଲ ଗାନ୍ଧିଙ୍କ ସୂଚନା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, କଂଗ୍ରେସ ଦ୍ବାର ସଚିନ ପାଇଲଟଙ୍କ ପାଇଁ ବନ୍ଦ ହୋଇନାହିଁ। ଆଲୋଚନା ସକାଶେ ସଚିନଙ୍କ ପାଇଁ ପଥ ଏବେ ବି ପରିଷ୍କାର ରହିଥିବା ଜଣାଯାଇଛି। ଏହି କାରଣରୁ ହିଁ ଗେହଲଟ ପାଇଲଟଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିବାର କେବଳ ଅଧଘଣ୍ଟା ପରେ କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା କହିଛନ୍ତି, ସଚିନ ପାଇଲଟଙ୍କ ‘ଘର ବାହୁଡା’ ହୋଇପାରେ।

ସୁର୍ଜେୱାଲା ବୁଧବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀର ପାଇଲଟଙ୍କୁ ଏକ ଉଦୀୟମାନ ନେତା କହିବା ସହ ତାଙ୍କ ପ୍ରତି ହାଇକମାଣ୍ଡଙ୍କ ଉଦାରତା ରହିଥିବା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ମୁଖ୍ୟାଳୟରୁ ହଟିଲା ପାଇଲଟଙ୍କ ନେମ୍ ପ୍ଲେଟ୍, ଉପମୁଖ୍ୟମନ୍ତ୍ରୀ ଓ ପିସିସି ମୁଖ୍ୟ ପଦରୁ ହେଲେ ବିଦା

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଏବଂ ପାଇଲଟଙ୍କୁ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ହଟିବା ପରେ ଜୟପୁରସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ସଚିନ ପାଇଲଟଙ୍କ ନେମ୍ ପ୍ଲେଟ୍ ନାମ ଫଳକ ହଟାଇ ଦିଆଯାଇଛି । ପାଇଲଟଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଦୋତସ୍ରାଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି ।

ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅସନ୍ତୁଷ୍ଟ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଦଳୀୟ ସଂକଟର ସମାଧାନ କରିବାକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବ‌େ ଦିଲ୍ଲୀରୁ ଆସିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏହି ଘୋଷଣା କରିଛନ୍ତି। ଏଥିସହ ପାଇଲଟଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ସଚିନ୍ ପାଇଲଟଙ୍କୁ ସନ୍ତୁଷ୍ଟ କରିବା ଲାଗି ବହୁ ଚେଷ୍ଟା ସତ୍ତ୍ବେ ସେ ବିରୋଧ ଜାରି ରଖିଥିବାରୁ ଦଳ ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଗଲା ବୋଲି ସୁରଜେୱାଲା କହିଛନ୍ତି । ଏଥିସହ ସଚିନ ପାଇଲଟଙ୍କ ଦୁଇ ସମର୍ଥକ କ୍ୟାବିନେଟ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଏବଂ ରମେଶ ମୀନାଙ୍କୁ ମଧ୍ୟ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି।

ରାଜସ୍ଥାନରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାରକୁ ବଞ୍ଚାଇବାପାଇଁ କଂଗ୍ରେସ ଜୋରଦାର ଉଦ୍ୟମ ଜାରି ରଖିଛି। ଦଳ ପକ୍ଷରୁ ପାଇଲଟ୍ ଓ ଗେହଲଟଙ୍କ ମଧ୍ୟରେ ବୁଝାମଣା ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ। ତେଣୁ କଂଗ୍ରେସ ପକ୍ଷରୁ ସଚିନ୍ ପଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବାସଭବନରେ ପ୍ରବଳ ଛକାପଞ୍ଝା ମଧ୍ୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକକୁ ଆସି ନଥିଲେ ପାଇଲଟ୍। ତାଙ୍କୁ ମନାଇବ‌ା ଲାଗି ଉଦ୍ୟମ ଜାରି ରହିଥିବା ବେଳେ ଦଳୀୟ ବିଧାୟକମାନଙ୍କୁ ଏକଜୁଟ୍ ରଖିବା ଲାଗି ସେମାନଙ୍କୁ ଏକ ହୋଟେଲକୁ ନେଇ ରଖାଯାଇଥିଲା। ମାତ୍ର ସଚିନ ପାଇଲଟଙ୍କ ସହ ବୁଝାମଣା ସମ୍ଭବ ହୋଇ ନ ଥିଲା।

୨୦୦ ସଭ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଥିବା ବେଳ ୧୦ ଜଣ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷରେ ବିଜେପିର ୭୨ ଏବଂ ତିନି ଜଣ ସହଯୋଗୀ ପାର୍ଟିର ବିଧାୟକ ରହିଛନ୍ତି। ତେବେ ପାଇଲଟ୍‌ଙ୍କ ଶିବିର ପକ୍ଷରୁ ଦାବି କରାଯାଇଛି ଯେ ଗେହଲଟ୍‌ଙ୍କ ସହ ମାତ୍ର ୮୪ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଗେହଲଟଙ୍କ ବୈଠକରେ ୧୦୬ ଜଣ ବିଧାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ରାଜନୀତି, ଶକ୍ତି ପ୍ରଦର୍ଶନ ପରେ ସମର୍ଥକଙ୍କୁ ଧରି ରିସୋର୍ଟ ଗଲେ ଗେହଲଟ୍

ଜୟପୁର, ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ବଞ୍ଚାଇବା ଉଦ୍ୟମରେ ଦଳ ପକ୍ଷରୁ ଭରପୂର ଉଦ୍ୟମ ହୋଇଥିଲେ ହେଁ ତାହା ବିଶେଷ ସଫଳ ହୋଇନାହିଁ। ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ରାଜ୍ୟରେ କଂଗ୍ରେସ ପ୍ରତି ଦେଖା ଦେଇଥିବା ବିପଦ ଏବେ ବି ଦୂର ହୋଇନାହିଁ। ଦଳର ବରିଷ୍ଠ ନେତା ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରଣଦୀପ ସୂର୍ଯ୍ୟେୱାଲା ଜୟପୁରରେ ରହି ସ୍ଥିତି ପ୍ରତି ନଜର ରଖିଛନ୍ତି। କିନ୍ତୁ ପାଇଲଟଙ୍କ ସହ ତାଙ୍କର ଯୋଗାଯୋଗ ହୋଇ ପାରିନାହିଁ। ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ବୁଝାମଣା ନେଇ କୌଣସି ସୂତ୍ର ବାହାରି ପାରିନାହିଁ।

କିନ୍ତୁ ବଡ଼ ଘଚଣାକ୍ରମରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଆଜି ଶହେରୁ ଅଧିକ ବିଧାୟକଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ତାଙ୍କ ସରକାରୀ ବାସଭବନରେ ଡାକିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ୧୩୦ରୁ ୧୦୭ ବିଧାୟକ ଯୋଗ ଦେଇଥିଲେ। ସଚିନ୍‌ ପାଇଲଟଙ୍କ ସମେତ 23 ଜଣ ବିଧାୟକ ବୈଠକରେ ନଥିଲେ। ହେଲେ ଏବେ ବି ଗେହଲଟ ଦାବି କରୁଛନ୍ତି ଯେ, ତାଙ୍କ ସପକ୍ଷରେ ବହୁମତ ରହିଛି। କିନ୍ତୁ ପାଇଲଟ ତାଙ୍କ ପଛରେ 30 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଗତକାଲି କହିଥିବା ବେଳେ ଆଜିର ବୈଠକ ପରେ ଗଣିତ ଟିକିଏ ବଦଳି ଯାଇଛି।

ଏହି ଦୃଷ୍ଟିରୁ କଂଗ୍ରେସ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ଏକ ରିସୋର୍ଟକୁ ବସ୍‌ ଯୋଗେ ପଠାଇ ଦିଆଯାଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମଧ୍ୟ ତାଙ୍କ ବିଧାୟକମାନଙ୍କ ସହିତ ବସ୍‌ରେ ରିସୋର୍ଟକୁ ଯାଇଛନ୍ତି।

ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ରାଜସ୍ଥାନରେ ଏହି ରାଜନୈତିକ ସଙ୍କଟ ଆରମ୍ଭ ହୋଇଛି।