ଆସାମ ତୈଳକୂପରେ ଭୟଙ୍କର ବିସ୍ଫୋରଣ ,୩ ବିଦେଶୀ ବିଶେଷଜ୍ଞ ଗୁରୁତର

Published: Jul 22, 2020, 5:08 pm IST

ଗୁଆହାଟୀ: ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପରେ ବୁଧବାର ହଠାତ ଏକ ଭୟଙ୍କର ବିସ୍ଫୋରଣ ଘଟିବାରୁ ସେଠାରେ କାମ କରୁଥିବା ୩ ଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅଏଲ ଇଣ୍ଡିଆର 5 ନମ୍ବର ତୈଳ କୂପଠାରେ ବିସ୍ଫୋରଣ ଘଟିଛି। ଏଠାରେ ଜୁନ୍ ମାସ 9 ତାରିଖରେ ନିଆଁ ଲାଗିଛି। ଏପରିକି ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ମଧ୍ୟ ବିଫଳ ହେଲେଣି ।

ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପରେ ହୋଇଥିବା ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସିଂଗାପୁର କମ୍ପାନିର ଏକ ୬ ଜଣିଆ ବିଶେଷଜ୍ଞ ଟିମ ଗତ ଜୁନ ୮ରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ । ଏହି ଦଳରେ ସିଂଗାପୁରର ୩ ଜଣ, ଆମେରିକାର ୨ ଜଣ ଓ କାନାଡାର ଜଣେ ନାଗରିକ ଥିଲେ ।

କିନ୍ତୁ ସ୍ଥିତିକୁ ସମ୍ଭାଳିବାରେ ବିଫଳହେବାରୁ ସେମାନେ ଭାରତ ଛାଡ଼ିବାକୁ ଇଚ୍ଛାପ୍ରକାଶ କରିବା ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ପ୍ରାୟ ୧୮ ଘଣ୍ଟା ଧରି ବନ୍ଧକ ରଖିଥିଲେ।

Related posts