ନାଚୁଣୀ ହରିକୁଣ୍ଡ ବରଡି ନିକଟରେ ବାଇକ୍‌କୁ ପିଟିଲା ଟ୍ରକ୍‌ : ଦୁଇ ଗୁରୁତର

Published: Oct 9, 2020, 2:21 pm IST

ସୀତାରାମ ଅଗ୍ରଓ୍ବାଲ

ଚିଲିକା :  ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ନିକଟସ୍ଥ ହରିକୁଣ୍ଡ ବରଡିଠାରେ ଏକ  ସଡକ ଦୁର୍ଘଟଣା ଘଟିଯାଇଅଛି ।  ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ନାଚୁଣୀ ଜୀବନଦେଇପୁର ଗ୍ରାମର 45 ବର୍ଷୀୟ ପବିତ୍ର ବାରିକ  ନିଜ ମୋଟର ସାଇକେଲ (ଓଡି -33-ଡି-3709) ରେ ଜଣେ ସହଯୋଗୀଙ୍କ ବସାଇ ବାଲୁଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ହରିକୁଣ୍ଡ ବରଡି ଛକ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ (ଏପି-16-ଟିଜେ-5499)ଟି ମୋଟର ସାଇକେଲ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ  ଓ ସହଯୋଗୀ ଛିଟ୍‌କି କି ରାସ୍ତା ଉପରେ ପଡିଯାଇଥିବାବେଳେ ବାଇକ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇଜଣଙ୍କୁ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଜରିଆରେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଥିଲେ । ଗୁରୁତରଙ୍କୁ ଉଦ୍ଧାର କାର୍ଯ୍ୟରେ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ମଧ୍ୟ  ସହଯୋଗ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଏଏସ୍‌ଆଇ ହାଡିବନ୍ଧୁ ନାୟକ ପହଞ୍ଚି ଟ୍ରକ୍‌ଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

Related posts