ଆସିଲା ଅନଲକ୍‌ -6 ଗାଇଡଲାଇନ୍‌ : ଜାଣନ୍ତୁ କ’ଣ ରହିଛି କଟକଣା

Published: Oct 31, 2020, 11:03 am IST

ଭୁବନେଶ୍ବର : ନଭେମ୍ବର ମାସ ପାଇଁ ଅନଲକ୍‌-6ର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟସରକାର । କଣ୍ଟେନେମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ କଟକଣା ଜାରି ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର । ସେହିପରି ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନର ଅବରୋଧ ଅଞ୍ଚଳ ସ୍ଥିର କରିବେ । ନଭେମ୍ବର 15 ଯାଏଁ ସିନେମା ହଲ୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ । ଏଣ୍ଟରଟେନମେଣ୍ଟ କମ୍ପ୍ଲେକ୍ସ, ଥିଏଟର, ଅଡିଟୋରିୟମ୍‌ ବନ୍ଦ ରହିବ । ଏନେଇ ପରବର୍ତ୍ତୀ ନିଷ୍ପତ୍ତି 16 ତାରିଖରେ ନିଆଯିବ ବୋଲି ସୂଚନା ରହିଛି । ତେବେ କୋଭିଡ୍‌ ନିୟମ ମାନି ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଅନୁମତି ମିଳିଛି ।

ବାହାଘରରେ ସର୍ବାଧିକ 200 ଲୋକ ଯୋଗଦାନ କରିପାରିବେ ବୋଲି ଏହି ଗାଇଡଲାଇନ୍‌ରେ ସୂଚନା ରହିଥିବାବେଳେ ଅନ୍ତିମସଂସ୍କାରରେ ସର୍ବାଧିକ 50 ଜଣଙ୍କୁ ଅନୁମତି ଦିଆଯାଇଛି । ସେହିପରି ନଭେମ୍ବର 16 ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ନବମ ଦଶମ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ନଭେମ୍ବର 30 ତାରିଖ ଯାଏଁ ବନ୍ଦ ରହିବ ।  ତେବେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ପ୍ରଦାନ କରାଯାଇନାହିଁ। ବଡ଼ ଧରଣର ରାଜନୈତିକ, ଧାର୍ମିକ, କ୍ରୀଡା ସମାବେଶକୁ ବାରଣ କରାଯାଇଛି । ପ୍ରଶାସନ ଅନୁମତିରେ ଧାର୍ମିକ ଅନୁଷ୍ଠାନ ଖୋଲିପାରିବେ ବୋଲି ସୂଚନା ରହିଛି । ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ । ମାସ୍କ, ସାମାଜିକ ଦୂରତା ଓ କୋଭିଡ୍‌ ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି ।

Related posts