ଗଞ୍ଜାମରେ ଆଜି ୨୬ ନୂତନ ସଂକ୍ରମିତ ଚିହ୍ନଟ: ଚାଲିଛି ହେଲ୍‌ଥ ସ୍କ୍ରିନିଂ

Published: Nov 6, 2020, 9:44 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସରକାରଙ୍କ ତଥ୍ୟ ଅନୁସାରେ ଶୀତଦିନେ କରୋନାର ଦ୍ୱିତୀୟ ୱେଭ୍ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଏହି ଦ୍ୱିତୀୟ ୱେଭ୍ ସଂକ୍ରମଣ ହେଲେ ଗଂଜାମ ଜିଲ୍ଲାରେ କରୋନା ଅଧିକ କରାଳ ରୂପ ଦେଖାଇବ। ଏଥିନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ବ୍ରହ୍ମପୁର ମହାନଗର ନିଗମରେ ହେଲ୍‌ଥ ସ୍କ୍ରିନିଂ ଚାଲୁରହିଛି। ଏଥିନେଇ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ଅଂଚଳକୁ ପଠାଯାଉଛି। ଏମାନେ ସାହି ସାହି ବୁଲି ତଥା ଦ୍ୱାର ଦ୍ୱାର ଯାଇ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ତାପମାତ୍ରା, ଅକ୍ସିଜେନ୍ ଲେବେଲ୍ ମାପ କରୁଛନ୍ତି। ଯେଉଁମାନଙ୍କ ଅସୁବିଧା ଥିବ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରରେ “ଜିରୋ ଆକ୍ଟିଭ୍ କେସ” ପାଇଁ କମିଶନର ଅଣ୍ଟା ଭିଡ଼ିଛନ୍ତି। ଏହା ୧୪ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ।

ଗତକାଲି ଗଂଜାମ ଜିଲ୍ଲାରେ ୩୯୮୦ ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ଆଜି ନୂତନ ଭାବେ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୩ ଜଣ ସ୍ଥାନୀୟ ଏବଂ ୩ ଜଣ କରୋନା ଯୋଦ୍ଧା ଅଛନ୍ତି। ସ୍ଥାନୀୟ ସଂକ୍ରମିତ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମରେ ସର୍ବାଧିକ ୭ ଜଣ ସ୍ଥାନୀୟ ଏବଂ ଜଣେ କରୋନା ଯୋଦ୍ଧା ଅଛନ୍ତି। ସେହିପରି ଭଂଜନଗର, ଛତ୍ରପୁର, ଗଂଜାମରେ ୪ ଲେଖାଏଁ, ଜଗନ୍ନାଥପ୍ରସାଦରେ ୩, କୁକୁଡ଼ାଖଣ୍ଡିରେ ୧ ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନ ସୂଚନା ଦେଇଛି। ବର୍ତ୍ତମାନ ଗଂଜାମ ଜିଲ୍ଲାରେ ୨୧୩୪୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୩୨ ସୁସ୍ଥକୁ ମିଶାଇ ସମୁଦାୟ ୨୦୯୭୩ ଜଣ ସୁସ୍ଥ ହେଲେଣି। ୧୩୦ ଜଣ ଚିକିତ୍ସିତ ହେଉଥିବାବେଳେ ୨୩୧ଟି ମୁଣ୍ଡ ନେଇଛି କରୋନା।

Related posts