ଧାନକିଣା ବିବାଦ: ପୁୁଣି ଆକ୍ରାମଣ କଲା ବିଜେଡି, କହିଲା ବିଜେପି ଦଲାଲଙ୍କ ପାଇଁ ଓକିଲାତି କରୁଛି

Published: Jan 22, 2021, 4:02 pm IST

ଭୁବନେଶ୍ୱର, ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବା ବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ଓଡିଶା ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଶ୍ରୀମୟୀ କହିଛନ୍ତି ଯେ, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା ।

୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ ପରିମାଣ ୭୦.୫୬ଲକ୍ଷ ମେଟ୍ରିକ ଟନ୍‍ ଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୨,୮୦୮ କୋଟି ଟଙ୍କା ଯାଇଥିଲା ଯେଉଁଥିରୁ ଓଡିଶାର ଚାଷୀମାନେ କିଭଳି ଉପକୃତ ହେଉଛନ୍ତି ତାହା ଦେଖିବାକୁ ମିଳିଥିଲା । ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଅଖା ଧାନକୁ ମଧ୍ୟ ସଂଗ୍ରହ କରିବାପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ବିଜେଡି ମୁଖପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ ଖରିଦ କରି ଚାଲିଥିବା ବେଳେ ବିଜେପି ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି । ଦିଲ୍ଲୀରେ କୃଷକମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଚଳାଉଥିବା ପ୍ରଦର୍ଶନରୁ ନଜର ହଟାଇବାପାଇଁ ଓଡିଶା ବିଜେପି ଏଭଳି ଡ୍ରାମା କରୁଥିବା ଓଡିଶାବାସୀ ଭଲଭାବେ ବୁଝି ସାରିଲେଣି ।

ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡ୍‍ ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି । ହେଲେ ବିଜେପି ସାଂସଦମାନେ ଓଡିଶା ପାଇଁ କରିଛନ୍ତି କ’ଣ ? ଏଠାରେ ଶସ୍ତା ରାଜନୀତି କରିବା ଅପେକ୍ଷା ଓଡିଶା ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ଭଳି ସେମାନେ ପଦକ୍ଷେପ ନେବା ଉଚିତ୍‍ । ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଧାନକୁ ବି ସଂଗ୍ରହ କରାଯିବା ନେଇ ବିଜେଡି ସରକାର ଗ୍ୟାରେଣ୍ଟି ଦେଇଥିବା ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।

Related posts