ଆସାମରେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ‘ଆସୋମ ମାଲା’ ଯୋଜନା, ଜାଣନ୍ତୁ କଣ ଏହା

Published: Feb 6, 2021, 7:20 am IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭, ୨୦୨୧ରେ ଆସାମ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଏଥିସହିତ ରାଜ୍ୟରେ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡ଼କ ଭିତ୍ତିଭୂମିର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ‘ଆସୋମ ମାଲା’ ଯୋଜନାର ଶୁଭାରମ୍ଭ କରିବେ। ନିରନ୍ତର ଭାବେ କ୍ଷେତ୍ରୀୟ ତଥ୍ୟ ସଂଗ୍ରହ ଜରିଆରେ ପ୍ରଭାବୀ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବାରୋପ କରିବା ସହିତ ଏହାକୁ ସଡ଼କ ସମ୍ପତ୍ତି ପରିଚାଳନା ବ୍ୟବସ୍ଥା ସହିତ ଯୋଡ଼ା ଯାଇଥିବାରୁ ଏହି କାର‌୍ୟ୍ୟକ୍ରମ ଅତ୍ୟନ୍ତ ଅଭିନବ ହୋଇପାରିଛି।

‘ଆସୋମ ମାଲା’ ଜାତୀୟ ରାଜପଥ ଏବଂ ଗ୍ରାମୀଣ ସଡ଼କଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ଲାଗି ଗୁଣବତ୍ତାପୂର୍ଣ୍ଣ ଆନ୍ତଃସଂଯୋଗ ବ୍ୟବସ୍ଥା ଯୋଗାଇ ଦେବ। ଏହା ମଧ୍ୟ ବାଧାମୁକ୍ତ ବହୁମୁଖୀ ପରିବହନ ବ୍ୟବସ୍ଥା ଯୋଗାଇ ଦେବାରେ ସହାୟକ ହେବ। ଏହା ମଧ୍ୟ ଆର୍ଥିକ ଅଭିବୃଦ୍ଧି କେନ୍ଦ୍ରଗୁଡ଼ିକୁ ପରିବହନ କରିଡର ସହିତ ଯୋଡ଼ିବାରେ ଏକ ଆନ୍ତଃସଂଯୋଗ ବ୍ୟବସ୍ଥା ପ୍ରତିଷ୍ଠା କରିବ ଏବଂ ଆନ୍ତଃରାଜ୍ୟ ସଡ଼କ ଯୋଗାଯୋଗରେ ସୁଧାର ଆଣିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଦୁଇଟି ପ୍ରକଳ୍ପ ୧୧୦୦ କୋଟି ଟଙ୍କା ବିନିୟମରେ ବିଶ୍ବନାଥ ଏବଂ ଚାରାଇଦେଓ ଠାରେ ପ୍ରତିଷ୍ଠା କରାଯିବ। ୫୦୦ ଶଯ୍ୟା ବିଶିଷ୍ଟ ପ୍ରତ୍ୟେକ ହସ୍ପିଟାଲରେ ୧୦୦ ଏମବିବିଏସ ସିଟ୍ ରହିବ।

ମେଡ଼ିକାଲ କଲେଜ ଓ ହସ୍ପିଟାଲଗୁଡ଼ିକର ସଂଖ୍ୟା ବୃଦ୍ଧି ଫଳରେ ରାଜ୍ୟରେ କେବଳ ଡାକ୍ତରମାନଙ୍କ ଅଭାବ ଦୂର କରାଯାଇପାରିବ ନାହିଁ ବରଂ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳରେ ଆସାମକୁ ଗମ୍ଭୀର ରୋଗ ଚିକିତ୍ସା ଏବଂ ଡାକ୍ତରୀ ଶିକ୍ଷାର କେନ୍ଦ୍ରରେ ପରିଣତ କରିପାରିବ।

Related posts