ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ

Published: Nov 24, 2022, 6:44 pm IST

ଭୁବନେଶ୍ବର: ଆଜି ଠାରୁ ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନରେ ବିରୋଧୀଙ୍କ ଦ୍ଵାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବହୁଚର୍ଚ୍ଚିତ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଙ୍ଗମା ହୋଇଛି। ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରକୁ ଆକ୍ରମଣ କରିଛନ୍ତି। ଏନେଇ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି।

ସେହିଭଳି ବିଜେପି ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ମାଗିଛି। ଗୃହର ମଧ୍ୟଭାଗରେ ଉଭୟ ବିରୋଧୀଙ୍କ ହୋହଲ୍ଲା ପରେ ଗୃହ ମୁଲତବୀ କରାଯାଇଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି।

ତେବେ ଏସବୁ ସତ୍ତ୍ୱେ ଆଜି ଗୃହରେ ୨୦୨୨-୨୩ ର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ଏହି ବଜେଟ ଆଗତ କରିଛନ୍ତି। ଅର୍ଥମନ୍ତ୍ରୀ ପଦ୍ମପୁର ଉପ-ନିର୍ବାଚନର ପ୍ରଚାରରେ ଥିବାରୁ ତାଙ୍କ ସ୍ଥାନରେ ପଞ୍ଚାୟତରାଜ ମନ୍ତ୍ରୀ ଉକ୍ତ ବଜେଟ ଆଗତ କରିଛନ୍ତି। ତେବେ ମୋଟ ୧୬ ହଜାର ୮ ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି।

୧- କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କା

୨- ପ୍ରଶାସନିକ ବ୍ୟୟ ୪ ହଜାର ୯୩୪ କୋଟି ଟଙ୍କା

୩- କାର୍ଯ୍ୟକ୍ରମ ବ୍ୟୟ ୯ ହଜାର ୨୦୦ କୋଟି ଟଙ୍କା

୪- ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର ୬୦୦ କୋଟି

Related posts