ଫଳ, ପନିପରିବା ବିକ୍ରି ନିମନ୍ତେ ନୂତନ ୱେବ୍‌ସାଇଟ୍‌ ଲୋକାର୍ପିତ

Published: Apr 21, 2020, 8:19 pm IST

ଭୁବନେଶ୍ବର : କରୋନା ଭୂତାଣୁ (କୋଭିଡ୍‌-୧୯)କୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବାବେଳେ ଚାଷୀମାନଙ୍କ ସୁବିଧା ପାଇଁ ନୂତନ ଓ୍ବେବ୍‌ସାଇଟ୍‌ ଲଞ୍ଚ କରାଯାଇଛି । ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ, ମସଲା ଆଦି ସୁବିଧାରେ ବିକ୍ରି ପାଇଁ ଏହି ୱେବ୍‌ସାଇଟର ଲୋକାର୍ପଣ କରାଯାଇଛି । ଆଜି ଅପରାହ୍ନରେ କୃଷି ଭବନଠାରେ ଏହି ୱେବ୍‌ସାଇଟ odihortmarketing.nic.in କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲୋକାର୍ପିତ କରିଥିଲେ । ଫଳ, ପନିପରିବା ଆଦିର ଗୁଣାତ୍ମକ ମାନ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ଏହାର ଉପଯୁକ୍ତ ବିକ୍ରି ଦିଗରେ ଏହି ୱେବ୍‌ସାଇଟ୍‌ ସହାୟକ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଏହା ଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ । ଏହି ୱେବ୍‌ସାଇଟ୍‌ ଫଳ ଓ ପନିପରିବା ବିକ୍ରି ଦିଗରେ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହୋଇପାରିବ ବୋଲି ମନ୍ତ୍ରୀ ଡ.ସାହୁ ଆଶା ପ୍ରକାଶ କରିଛନ୍ତି ।

ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ଓଡ଼ିଶାର ୩୦ଟି ଜିଲ୍ଲାର ଉଦ୍ୟାନକୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ଜିଲ୍ଲାରେ ବିକ୍ରିଯୋଗ୍ୟ ଉତ୍ପାଦିତ ଦ୍ରବ୍ୟକୁ ଦର୍ଶାଇବେ, ଯାହାକି ସମ୍ପୃକ୍ତ ବ୍ୟବସାୟୀମାନଙ୍କ ଅବଗତି ପାଇଁ ଉପଲବ୍ଧ ହେବ । ବ୍ୟବସାୟୀମାନେ କେଉଁଠାରେ କେତେ ପରିମାଣର ଫଳ ପନିପରିବା ଆଦି ଉପଲବ୍ଧ ହେଉଛି ସେ ବିଷୟରେ ଜାଣିପାରିବେ । ଏହାଦ୍ୱାରା ସେମାନେ ଜିଲ୍ଲାସ୍ତରର ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ସିଧାସଳଖ ଚାଷୀମାନଙ୍କ ଠାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା କରିପାରିବେ ।

Related posts