20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ ,18 ତାରିଖ ପୂର୍ବରୁ ଲକଡାଉନ 4 ନିଷ୍ପତ୍ତି

Published: May 12, 2020, 8:55 pm IST

ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀ ସମ୍ବୋଧିତ କରି ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇଛନ୍ତି। କରୋନା ସଂକଟକୁ ସାମ୍ନା କରିବା ସହିତ ନୂତନ ସଂକଳ୍ପ ସହିତ ଏକ ବିଶେଷ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଏହି ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ପ୍ୟାକେଜ ଭାରତୀୟ ଜିଡିପିର ପ୍ରାୟ 10 ପ୍ରତିଶତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ୟାକେଜ୍‌ ଆତ୍ମନିର୍ଭର ଭାରତକୁ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି ମୋଦି। ସମସ୍ତଙ୍କୁ ଦୃଷ୍ଟିରେ ରଖି ଏହି ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆର୍ଥିକ ପ୍ୟାକେଜ୍‌ ଚାଷୀ, ଉଦ୍ୟୋଗୀ, ମଧ୍ୟବିତ୍ତ ସମସ୍ତଙ୍କୁ ସଶକ୍ତ କରିବ ବୋଲି କହିଛନ୍ତି ମୋଦି। ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ  ଅର୍ଥମନ୍ତ୍ରୀ ଏହି ପ୍ୟାକେଜ୍‌ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ନୂଆ ନିୟମ ସହିତ ଲକ୍‌ ଡାଉନ୍‌ 4.0 ଜାରି ହେବ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ମଇ 18 ପୂର୍ବରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଘୋଷଣା ହେବ ବୋଲି ସେ କହିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ ନୂଆ ରଙ୍ଗ ଓ ନୂଆ ରୂପରେ ଆସିବ ବୋଲି କହିଛନ୍ତି ମୋଦି। ସୂଚନାଯୋଗ୍ୟ ଦେଶରେ ଜାରି ରହିଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ 17ରେ ଶେଷ ହେବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ବୈଠକରେ ମହାରାଷ୍ଟ୍ର, ପଞ୍ଜାବ, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀ ଲକଡାଉନର ଅବଧିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ।

Related posts