ନାଚୁଣୀ: ପୁଣି ଜାତୀୟ ରାଜପଥରେ ମାତିଲେ କଳା ପଲସର ଲୁଟେରା, ଝାମ୍ପିନେଲେ ମହିଳାଙ୍କ ଭ୍ୟାନିଟି ବ୍ୟାଗ

Published: Jun 9, 2021, 1:37 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଦୁଇ ଜଣ ଦୁର୍ବୃତ୍ତ ଚଳନ୍ତା ବାଇକରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିବା ଖବର ହସ୍ତଗତ ହୋଇଛି। ଫଳରେ ମହିଳାଜଣଙ୍କ ବାଇକରୁ ପଡ଼ି ଗୁରୁତର ହୋଇପଡିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି।

ସୂଚନା ମୁତାବକ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ଦମ୍ପତି ଆଜି ସକାଳେ ନିଜ ବାଇକ ଯୋଗେ ବାଣପୁର ବ୍ଲକ ଅନ୍ତର୍ଗତ ବାଁଳୋଇ ଗ୍ରାମରେ ବିବାହ ହୋଇଥିବା ନିଜ ଝିଅ ଘରକୁ ସାବିତ୍ରୀ ଉପଲକ୍ଷେ ଯାଉଥିଲେ। ଦମ୍ପତି ଦ୍ୱୟ ହେଲେ ନଗେନ୍ଦ୍ର ବେହେରା ଏବଂ ମମତା ବେହେରା।

ତେବେ ସକାଳ ପାଖାପାଖି ୮.୩୦ ସମୟରେ ନାଚୁଣୀ ବାଇପାସ ନିକଟରେ ଏକ କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମମତାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଦୃତଗତିରେ ବାଲୁଗାଁ ଅଭିମୁଖେ ଫେରାର ହୋଇଯାଇଥିଲେ। ଫଳରେ ମମତା ବାଇକରୁ ତଳେ ପଡିଯାଇଥିଲେ ଏବଂ ଜୋରରେ ଚିତ୍କାର କରିଥିଲେ। ନଗେନ୍ଦ୍ର ଏହା ଜାଣିପାରି ସଙ୍ଗେସଙ୍ଗେ ବାଇକକୁ ରଖିଥିଲେ। ମମତାଙ୍କ ମୁଣ୍ଡ ଏବଂ ଶରୀରରେ ଗଭୀର କ୍ଷତ ହେବାସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ନଗେନ୍ଦ୍ର ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ମମତାଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରଥିଲେ।

ବର୍ତ୍ତମାନ ମମତା ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ପୀଡିତା ଏଯାବତ ଥାନାରେ ଏତଲା ଦେଇନାହାନ୍ତି। ତେବେ ମମତାଙ୍କ ସୂଚନା ଅନୁଯାୟୀ ଉକ୍ତ ଭ୍ୟାନିଟି ବ୍ୟାଗରେ ୫ ହଜାର ୫୦୦ ଟଙ୍କା, ଗୋଟେ ମୋବାଇଲ, ତିନି ଗୋଟି ଏଟିଏମ କାର୍ଡ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିଲା।

ଅନୁରୂପଭାବେ ଗତ ଶନିବାର ଦିନ ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ବାଇପାସରୁ ଜଣେ ମହିଳାଙ୍କ ଠାରୁ ୯୯ ହଜାର ଟଙ୍କା ଦୁର୍ବୁତ୍ତ ଲୁଟିନେଇଥିବା ବେଳେ ଆଜି ପୁଣି ସକାଳୁ ନାଚୁଣୀ ବାଇପାସରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଛଡାଇନେବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Related posts