ଯୁବକଙ୍କୁ ହତ୍ୟା ଘଟଣା: ୬ଜଣକୁ କୋର୍ଟ ଚାଲାଣ, ୪ ଟାଙ୍ଗିଆ ସହ ୨ ଲାଠି ଜବତ

Published: Jul 6, 2021, 3:48 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଥାନା ତଣ୍ଡାବିରା ଗାଁରେ ଜମି ବାଡି କଳହକୁ ନେଇ ଗତ ୪ ଜୁଲାଇ ରେ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ଆଜି ଅଟକ ୬ ଜଣଙ୍କ ନାମରେ ହତ୍ୟାମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ରେଢାଖୋଲ ପୋଲିସ୍।

ସୂଚନା ଯୋଗ୍ୟ ଯେ- ଗତ ୪ ଜୁଲାଇରେ ରେଢାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମର ନିଲୁ ସାହୁ (୨୮) ରାତି ପ୍ରାୟ ୮ ଟାରେ ତାଙ୍କ ବଂଶର ଭାଇ ମାନେ ଆସି ତାଙ୍କୁ ସଂଘବଦ୍ଧ ଭାବରେ ଠେଙ୍ଗାରେ ମାଡ ମାରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର୍ ହୋଇ ଯାଇଥିଲେ। ପୋଲିସ୍ ଖବର ପାଇ ତଣ୍ଡାବିରା ଗ୍ରାମକୁ ଯାଇ ୬ ଜଣକୁ ଆଣି ଅଟକ ରଖିଥିଲା। ଏପରିକି ମୃତ୍ୟୁ ବରଣ କରିଥିବା ନିଲୁ ସାହୁର ବାପା ଫକିର ମୋହନ ସାହୁଙ୍କୁ ମଧ୍ୟ ଠେଙ୍ଗାରେ ମାଡ ମାରି ଥିଲେ। ସେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ମଧ୍ୟ ହୋଇଥିଲେ। ତାଙ୍କର ଡାହାଣ ହାତ ମଧ୍ୟ ଜଖମ ହୋଇଥିଲା। ତିନୋଟି ପରିବାର ମଧ୍ୟରେ ବହୁଦିନ ହେଲା ଜମିବାଡି କୁ ନେଇ ବିବାଦ ଲାଗି ରହିଥିଲା।

ମୃତ ନିଲୁ ସାହୁର ବାପାଙ୍କର ଅଭିଯୋଗ କ୍ରମେ ପୋଲିସ୍ ଗ୍ରାମର ବଳରାମ ସାହୁ(୫୦), ମୁଖ୍ୟ ଅଭିଯୁକ୍ତ ସୁନୀଲ୍ ସାହୁ(୨୬), ଅନିଲ୍ ସାହୁ(୨୦), ଶାନ୍ତି ସାହୁ(୪୫), ବସୁଦେବ ସାହୁ(୭୪), ରାଧା ସାହୁ(୬୫) କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ୪ଟି ଟାଙ୍ଗିଆ ସହ ୨ ଟି ଲାଠି ପୋଲିସ୍ ଜବତ କରିଛି । ସେମାନଙ୍କ ନାମରେ ରେଢାଖୋଲ କେସ୍ ନଂ ୧୨୧/ ତା୫/୭/୨୦୨୧ ୟୁ/ଏସ୍ ୧୪୭/୧୪୮/୪୪୮/୩୦୨/୩୦୭/୧୪୯ ଆଇପିସି ରେ ଗିରଫ କରାଯାଇ ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ୍ କହିଛି।

ସେମାନଙ୍କ ଜାମିନ୍ ନାମଞୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ତଦନ୍ତକାରୀ ଅଧିକାରୀ ଭାବରେ ଥିବା ବେଳେ ସବ୍ ଇନସ୍‌ପେକଟର ବୈଭବମାଳା ସ୍ୱାଇଁ, ଏସ୍ ଆଇ ସୋମ୍ୟ ରଞନ ମାହାଲିକ୍‌, ଏସ୍‌ଆଇ ତ୍ରିବେଣୀ ପ୍ରଧାନ ହାବିଲ୍‌ଦାର ଗୋକୁଳ ପ୍ରଧାନ, କନେଷ୍ଟବଲ୍ ବିନେଶ୍ ନାୟକ , ଯୁଧିଷ୍ଠିର ବେହେରା, କନେଷ୍ଟବଲ୍ ରଶ୍ମିତା ଜଗତ ପ୍ରମୁଖ ତଦନ୍ତରେ ସାମିଲ୍ ଥିଲେ।

Related posts