ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ସଫଳତା: ୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

Published: Jul 9, 2021, 5:33 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଦୁଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।

ସୂଚନା ମୁତାବକ ଗତକାଲି ରାତିରେ କନ୍ଧମାଳ ଜିଲ୍ଲାରୁ ଏକ ଗଞ୍ଜେଇ ବୋଝେଇ କାର ଭୁବନେଶ୍ୱର ଅଭିମୁଖେ ଯାଉଥିବାର ଖବର ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା  ଜାଣିବାକୁ ପାଇଥିଲେ। ବିଳମ୍ୱ ନକରି ଉକ୍ତ କାରକୁ ଧରିବା ନିମନ୍ତେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସପି।

ତେବେ ଟାଉନ ଥାନା ଏସଆଇ ରଶ୍ମିରଞ୍ଜନ ଦାସ, ଦିଗବିଜୟ ବିଶ୍ୱାଳ, ବିଜୟ କେତନ ବେହରା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ତୁରନ୍ତ ଏକ ଟିମ ଗଠନ କରାଯାଇ ଉକ୍ତ ଗାଡିର ତାଲାସୀ ଜାରି ରହିଥିଲା। ପରିଶେଷରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ସ୍ଥିତ ପ୍ରଫୁଲ୍ଲ ପାଲେସ ସମ୍ମୁଖରୁ (ଓଆର-୦୨-ଏଡ଼ି-୮୮୩୩) ନମ୍ବର ବିଶିଷ୍ଟ ଏକ ଫର୍ଡ଼ ଆଇକନ କାରକୁ ଠାବ କରିଥିଲା ପୋଲିସ।

ତେବେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ସାକ୍ଷୀ ମାନଙ୍କ ଉପସ୍ଥିତିରେ ପୋଲିସ ଉକ୍ତ ଗାଡ଼ିର ତାଲାସୀ ନେବାରୁ ସେଥିରୁ ୩୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ ପୋଲିସକୁ ମିଳିଥିଲା।  ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ଏ ମାମଲାରେ କାରରେ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୋଇଡା ଗ୍ରାମର ଦିଲ୍ଲୀପ କୁମାର ଦିଗଲ(୨୫) ଏବଂ ତ୍ରାସେପଦର ଗ୍ରାମର ମିଥୁନ ଦିଗଲ(୨୦)। ସେମାନଙ୍କ ନିକଟରୁ ଦୁଇ ଗୋଟି ମୋବାଇଲ ଫୋନ ସମେତ କାରଟିକୁ ମଧ୍ୟ ଜବତ କରିଛି ପୋଲିସ।

ଅଭିଯୁକ୍ତ ମାନଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ୨୯ ଏନଡ଼ିପିଏସ ଆଇନ ଅନୁଯାୟୀ କେସ ନମ୍ବର ୨୬୪/୨୧ ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବାର ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ଉକ୍ତ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଏସପି ସୁରେଶ କୁମାର ଦାସ, ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଆଦି ଉପସ୍ଥିତି ଥିଲେ।

Related posts