ବାଣପୁର: ପାରିବାରିକ କଳହରୁ ବିଷ ପିଇଲେ ଦମ୍ପତି, ସ୍ତ୍ରୀ ସୁସ୍ଥ ଥିବା ବେଳେ ଜୀବନ ଯୁଦ୍ଧରେ ହାରିଗଲେ ସ୍ଵାମୀ

Published: Aug 19, 2021, 8:53 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପାରିବାରିକ କଳହରୁ ଦମ୍ପତି ବିଷ ପିଇଥିବା ଅଭିଯୋଗ ହୋଇଛି। ଏଥିରେ ସ୍ତ୍ରୀ ସୁସ୍ଥ ହୋଇଯାଇଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ଗତକାଲି ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମର ଏକ ଦମ୍ପତିଙ୍କ ପାରିବାରିକ କଳହ ଯୋଗୁଁ ଉଭୟ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାସ୍ଥଳେ ସ୍ତ୍ରୀ ସୁସ୍ଥ ହୋଇଯାଇଥିବାବେଳେ ସ୍ୱାମୀ ନିହାର ରଞ୍ଜନ ଜେନା (୪୦) ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ବାଟରେ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଅବସ୍ଥାରେ ନିହାରଙ୍କର ମୃତ୍ୟୁ ଘଟିଥିଲା।

ଏ ନେଇ ଡାକ୍ତର ଖୋର୍ଦ୍ଧା ଟାଉନ ଥାନାକୁ ସୂଚନା ଦେବା ପରେ ମୃତକଙ୍କ ଶବକୁ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଜବତ କରି ୫୯/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଆଜି ଶବ ବ୍ୟବଚ୍ଛେଦ କଲାପରେ ପରିବାରକୁ ହସ୍ତାନ୍ତର କରିଛି। ଆଜି ସନ୍ଧ୍ୟାରେ ନିହାରଙ୍କର ଶବ ଗ୍ରାମରେ ପହଁଚିଲା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

Related posts