ବଡ଼ ଡକାୟତ ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ୬ ଗିରଫ

Published: Sep 3, 2021, 11:57 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଏକ ବଡ଼ ଡକାୟତ ଯୋଜନା ପଣ୍ଡ କରିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟାଉନ ଥାନା ଅନ୍ତର୍ଗତ ତରାତୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛପଟେ ଥିବା ଏକ ପରିତ୍ୟକ୍ତ ଗୃହ ମଧ୍ୟରେ ୭ ରୁ ୮ ଜଣ ଦୁର୍ବୁତ୍ତ ୫୭ ନମ୍ବର ଜାତୀୟ ରାଜପଥରୁ ଡକାୟତି ଯୋଜନା କରୁଥିବାର ଖବର ପାଇଥିଲେ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା। ଏସପିଙ୍କ  ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଆଈଆଈସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଉକ୍ତ ଚଢ଼ାଉରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅବଦୁଲ ମଜିଦ ଖାନ, କଲିମ ଖାନ, ଦିପକ ସ୍ୱାଇଁ, ସୁଦୀପ୍ତ ନାୟକ, ବଳଭଦ୍ର ବେହେରା ଏବଂ ରଞ୍ଜନ ସୁନ୍ଦରାୟ।

ପୋଲିସ ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି, କାତି, ଲୁହା ରଡ଼, ଲାଠି ଏବଂ ଗୋଟେ ମୋବାଇଲ ଫୋନ ଆଦି ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ପୂର୍ବରୁ ଟାଉନ ଥାନାର ଏକାଧିକ ମାମଲାରେ ଜଡିତ ଥିବାର ସୂଚନା ଦେଇଛି ପୋଲିସ।

ଉକ୍ତ ଚଢ଼ାଉରେ ଏସଆଈ ବିଜୟ କେତନ ବେହେରା, ଏସଆଈ ବିନୟ ଭୂଷଣ ବେହେରା, ଏଏସଆଈ ବସନ୍ତ କୁମାର ପଟ୍ଟନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନାରେ କେସ ନମ୍ବର ୩୪୨/୨୧ ରେ ମାମଲା ରୁଜୁକରାଯାଇ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଆଈଆଈସି ସଞ୍ଜୟ କୁମାର ପଟ୍ଟନାୟକ।

Related posts