ବାଲୁଗାଁ: ବନ୍ଧୁକ ମୁନରେ ୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ, ପୋଲିସର ତଦନ୍ତ ଜାରି

Published: Mar 29, 2022, 5:16 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ପୁଣି ଆରମ୍ଭ ହୋଇଛି ଲୁଟ। ଆଜି ଅପରାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଛକ ନିକଟରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ବାଇକ ଆରୋହିଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଯାଇଛନ୍ତି ଲୁଟେରା।

ଖବର ମୁତାବକ ଆଜି ଅପରାହ୍ନରେ ବଡକୂଳ ସେବା ସମବାୟ ସମିତିର ସହ ସମ୍ପାଦକ ଭୁବନେଶ୍ୱର ରଥ ମାର୍ଚ୍ଚ ମାସର କୃଷି ଋଣ ପଇସା ପାଖାପାଖି ୭ ଲକ୍ଷ ୨୫ ହଜାର ଟଙ୍କା ଆଦାୟ କରିଥିଲେ। ଆଦାୟ ଟଙ୍କାକୁ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଖୋର୍ଦ୍ଧା ସମବାୟ ସେବା ସମିତି ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିବା ବେଳେ ଇଂଜନପୁର ଛକ ଗୋବିନ୍ଦ ନଗରଠାରେ ତିନୋଟି ବାଇକରେ ଚାରି ଜଣ ଦୁର୍ବୁତ୍ତ ହଠାତ ଭୁବନେଶ୍ୱରଙ୍କ ନିକଟରେ ଆସି ଡରାଇ ଧମକାଇ ବନ୍ଧୁକ ମୁନରେ ଗାଡ଼ି ଡ଼ିକିରୁ ସମସ୍ତ ଟଙ୍କା, ମୋବାଇଲ ଓ ବ୍ୟାଗ ଲୁଟି ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଅଞ୍ଚଳବାସି ଏହା ଜାଣିଲା ପରେ ପୋଲିସକୁ ଖବର ଦେଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଆଇଆଇସି ଓ ନାଭାଲ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Related posts