ବାଣପୁର: ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଗ୍ରାମବାସୀ

Published: Sep 30, 2022, 11:11 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଶିଶୁଙ୍କ ଖାଦ୍ୟପାଇଁ ଆସୁଥିବା ସରକାରୀ ଅର୍ଥକୁ ଅଙ୍ଗନବାଡି କର୍ମୀ ବାଟମାରଣା କରିଥିବା ଅଭିଯୋଗ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଷ୍ଣୁଡ଼ିହ ପଞ୍ଚାୟତ ଅନ୍ତର୍ଗତ କୋତରି ଗ୍ରାମର ଏକାଧିକ ଗ୍ରାମବାସୀ ବାଣପୁର ବିଡ଼ିଓ ଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲାକି ତାଙ୍କ ଗ୍ରାମର ଅଙ୍ଗନବାଡି କର୍ମୀ ଶିଶୁମାନଙ୍କ ଖାଦ୍ୟ ପାଇଁ ଆସୁଥିବା ସରକାରୀ ଅଟକଳ ବ୍ୟୟର ହିସାବ ଗ୍ରାମର ଖାଦ୍ୟ ଯାଞ୍ଚ କମିଟିକୁ ସଠିକ ଭାବେ ପ୍ରଦାନ କରିପାରୁନାହାନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସେମାନଙ୍କ ଆକଳନ ଓ ଅଙ୍ଗନବାଡି କର୍ମୀଙ୍କ ହିସାବରେ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଫରକ ହେଉଛି। ତତସହିତ ଗତ ପାଞ୍ଚ ମାସ ହେଲା ଗ୍ରାମର ଶିଶୁମାନେ ଠିକ ଭାବେ ଖାଦ୍ୟ ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ।  ସଠିକ ହିସାବ ନଦେବାରୁ ଗ୍ରାମବାସୀମାନେ ନୂତନ ଖାଦ୍ୟ ଯାଞ୍ଚ କମିଟି ମଧ୍ୟ ଗଠନ କରିପାରୁନାହାନ୍ତି।

ତେଣୁ ଉକ୍ତ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡ଼ିଓ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ତେବେ ଏ ନେଇ ବାଣପୁର ବିଡ଼ିଓ ବୁଲବୁଲ ବେହେରାଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି, ଏବଂ ଉକ୍ତ ଅଭିଯୋଗର ତଦନ୍ତ ସମସ୍ତ ନିୟମାବଳୀ ଆଧାରରେ କରାଯିବ ବୋଲି କହିଛନ୍ତି।

Related posts