ବାଣପୁର: ବନ୍ଦ ଘର ଭିତରୁ ଗଳିତ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published: Dec 29, 2022, 1:46 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବନ୍ଧ ମୁଣ୍ଡାଇ ଗ୍ରାମରୁ ଗୁରୁବାର ପୂର୍ବାହ୍ନରେ ବନ୍ଦ ଘର ଭିତରୁ ଏକ ଗଳିତ ଶବ ବାଣପୁର ପୋଲିସ ଦ୍ୱାରା ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ ହର ସାହୁ ପିତା ସ୍ଵର୍ଗତ ନାଥ ସାହୁ ବୟସ ୬୫ ନାମକ ଜଣେ ବ୍ୟକ୍ତି ସରଳା ପଦରରୁ ଆସି ଉକ୍ତ ବନ୍ଧ ମୁଣ୍ଡାଇ ଗ୍ରାମରେ ବହୁ ବର୍ଷ ଧରି ଘର କରି ରହୁଥିଲେ। ପ୍ରଥମ ସ୍ତ୍ରୀ ମରିଯିବା ପରେ ସେ ଦ୍ୱିତୀୟ ବିବାହ କରିଥିବା ଜଣାଯାଏ। ଦ୍ୱିତୀୟ ବିବାହ ପରେ ପ୍ରଥମ ସ୍ତ୍ରୀଙ୍କର ପୁଅ ଝିଅଙ୍କ ସାଥିରେ ତାଙ୍କର କୌଣସି ସମ୍ପର୍କ ନଥିଲା। ହର ସାହୁଙ୍କ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି କେଉଁଠାରେ ଅଛନ୍ତି ପାଖ ପଡିଶା କିମ୍ବା ଅନ୍ୟ କୌଣସି ଲୋକ ଜାଣିନଥିବା କହିଛନ୍ତି।

ଆଜି ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଖବର ପାଇ ହରସାହୁଙ୍କ ଝିଅ ମାନିନୀ ପ୍ରଧାନ ଥାନାର ଦ୍ୱାରସ୍ତ ହୋଇଥିଲେ। ଏହାପରେ ପୋଲିସ ଆସି ଘର ଖୋଲିଥିଲା। ଏବଂ ଘର ଭିତରେ ତାଙ୍କର ମୃତ ଶରୀର ଦୀର୍ଘ ଦିନ ଧରି ପଡିରହିଥିବା ଦେଖିବାକୁ ମିଳିଥିଲା। ଯାହାକି ସମ୍ପୂର୍ଣ୍ଣ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯାହା ପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ସମୟରୁ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି।

ପ୍ରକାଶ ଥାଉକି ଗ୍ରାମର କିଛି ମହିଳାଙ୍କ କହିବା ଅନୁଯାୟୀ ମୃତକ ହର ସାହୁ ବନ୍ଧମୁଣ୍ଡାଇ ଗ୍ରାମରେ ରହି ମିସ୍ତ୍ରୀ କାମ କରି ଚଳୁଥିଲେ। ତାଙ୍କ ସାଥିରେ ଜଣେ ଯୁବକ ରହୁଥିବା ବେଳେ ଦୀର୍ଘ ଦିନ ହେଲା ଉକ୍ତ ଯୁବକ ସହ ହର ବ୍ୟବହାର କରୁଥିବା ଏକ ଲୁନା ଗାଡି ମଧ୍ୟ ଦେଖିବାକୁ ମିଳୁନଥିଲା।

ପୋଲିସ ଗଳିତ ଶବଟିକୁ ଜବତ କରି ତଦନ୍ତ ଚାଲୁ ରଖିଥିବା ଜଣାଯାଇଛି। ହେଲେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Related posts