ନକଲି ମଦ ପ୍ରସ୍ତୁତ ସାମଗ୍ରୀ ସହ ବ୍ୟବସାୟୀ ଗିରଫ

Published: Jul 3, 2023, 3:53 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ଗତ ଜୁନ ୧୭ ତାରିଖରେ ଗୋଟିଏ ନକଲି ମଦ ତିଆରି କାରଖାନା ଉପରେ ପୋଲିସ ଚଢ଼ାଉ କରିଥିଲା। ଏହାପରେ ପୋଲିସ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି। ଚଢ଼ାଉ ବେଳେ ବହୁ ପରିମାଣର ନକଲି ମଦ ତିଆରି ସାମଗ୍ରୀ ଜବତ କରିଥିବା ବେଳେ ବୋତଲ ଯୋଗାଉଥିବା ଜନୈକ କବାଡି ଦୋକାନ ବାଲାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି କିଛି ଦିନ ତଳେ ମଦ ତିଆରି କରୁଥିବା ବେପାରୀ ତାରିଣୀ ଜେନାଙ୍କୁ ଜେଲରୁ ରିମାଣ୍ଡରେ ଆଣି ପଚରାଉଚରା କରିବା ବେଳେ ନକଲି ମଦ ତିଆରି ପାଇଁ ସ୍ପିରିଟ, ଲେବଲ୍ ଓ ଅନ୍ୟାନ୍ୟ ସାମଗ୍ରୀ କଲିକତାରୁ ଆଣୁଥିବା ପୋଲିସ ଆଗରେ ପ୍ରକାଶ କରିଥିଲା। ଯ’ଦ୍ଵାରା ପୋଲିସ ତାରିଣୀଙ୍କୁ ଧରି କଲିକତା ସହରର ବୁରା ବଜାର ସ୍ଥିତ ସାଗର ଗେଷ୍ଟ୍ ହାଉସରୁ ଉକ୍ତ ସାମଗ୍ରୀ ଯୋଗାଉଥିବା ଦଲାଲ୍ ଶମ୍ଭୁ ପଟେଲଙ୍କୁ ସେଠାରୁ ଉଠାଇ ଆଣି ଜେରା କରିବା ବେଳେ ସେ ଉକ୍ତ ସମସ୍ତ ସାମଗ୍ରୀ ଯୋଗାଉଥିବା ରାଜି ହୋଇଥିଲା।

ଏହା ପରେ ପୋଲିସ ଶମ୍ଭୁଙ୍କୁ ସେଠିକାର ମେଟ୍ରୋ ପଲିଟାନ୍ ଅଦାଲତରେ ହାଜର କରାଇ ତାଙ୍କୁ ବ୍ରହ୍ମପୁର ଏସ୍ ଡି ଜେ ଏମ୍ ଅଦାଲତରେ ହାଜର କରାଇ ଅଦାଲତ ନିର୍ଦ୍ଦେଶ ଅନୁଯାୟୀ ବିଚାର ବିଭାଗୀୟ ହାଜତକୁ ପଠାଇଛି।

Related posts