ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ପକ୍କା ଘରୁ ତାଲା ଭାଙ୍ଗି ଚୋରି କରିବା ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ସାମଗ୍ରୀ ଓ ବାଇକ୍ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ରାତି ଅଧରେ ଘରୁ ତାଲା ଭାଙ୍ଗି ବ୍ୟାଟେରୀ, ଇନଭର୍ଟର ଓ ସିଲିଂ ଫ୍ୟାନ୍ ଆଦି ଚୋରି ହୋଇଥିବା ନେଇ ରେଢ଼ାଖୋଲ ଥାନାରେ ଏକ ମାମଲା (କେସ୍ନଂ ୧୧୩ ତାରିଖ ୧୬. ୬.୨୦୨୬ ) ରୁଜୁ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ପ୍ରଥମେ ଚିଣ୍ଟୁ ନାଏକ (୨୧) ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ସମୟରେ ଚିଣ୍ଟୁ ନିଜର ଦୋଷ ସ୍ୱୀକାର କରିବା ସହ ତା’ର ସହଯୋଗୀ ନବୀନ ପରିଡ଼ା (୨୭) ସହ ମିଶି ଏହି ଚୋରି କରିଥିବା ସ୍ଵୀକାର କରିଥିଲା। ଏହା ସହ ଛେଣ୍ଡିପଦା ଅଞ୍ଚଳରୁ ସେ ଏକ ହୋଣ୍ଡା ସାଇନ୍ ବାଇକ୍ ମଧ୍ୟ ଚୋରି କରି ନିଜ ଘରେ ବ୍ୟକ୍ତିଗତ ବ୍ୟବହାର ପାଇଁ ରଖିଥିବା କଥା ପ୍ରକାଶ କରିଥିଲା।
ପୋଲିସ ଚଢ଼ାଉ କରି ସମସ୍ତ ସାମଗ୍ରୀ ସହ ଚୋରିରେ ବ୍ୟବହୃତ ଗାଡ଼ିକୁ ଜବତ କରିଛି। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ରେଢ଼ାଖୋଲ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ସୂଚନା ଦେଇଛନ୍ତି।


