ମେସେଜ୍‌ ପାଇଁ ଯୁବକର ଜୀବନ ନେଲେ ସ୍ବାମୀ

Published: Feb 27, 2020, 3:14 pm IST

ଝାଡଖଣ୍ଡ: ସକାଳୁ ସକାଳୁ ନିଜର ପ୍ରିୟ ଜନମାନଙ୍କୁ ଶୁଭ ସକାଳ ବା ଗୁଡ୍‌ ମର୍ଣ୍ଣିଂର ମେସେଜ୍‌ ପଠାଇଲେ ବେଶ୍‌ ଖୁସି ହୋଇଥା’ନ୍ତି। କିନ୍ତୁ ଏହି ଗୁଡ୍‌ ମର୍ଣ୍ଣିଂ ମେସେଜ୍‌ ଯେ ଜଣକର ଜୀବନ ନେଇଯିବ, ସେକଥା କେହି କେବେ କଳନା କରିନଥିବେ । ଝାଡଖଣ୍ଡର ହଜାରିବାଗ୍‌ ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୁଡ୍‌ ମର୍ଣ୍ଣିଂ ମେସେଜ୍‌ର ରିପ୍ଲାଇ କରିବା ଯୁବକଙ୍କୁ ବେଶ୍‌ ମହଙ୍ଗା ପଡିଛି । ମେସେଜ୍‌ର ଉତ୍ତର ଦେବାକୁ ଯାଇ ସେ ନିଜ ଜୀବନ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସୁତଲତାନ୍ନା ଗ୍ରାମରେ ରହୁଥିବା ଜଣେ ମହିଳାଙ୍କଠାରୁ ଆସିଥିବା ମେସେଜ୍‌ର ଉତ୍ତର ଦେଇ ଜଣେ ଯୁବକଙ୍କୁ ମୃତ୍ୟୁ ଦଣ୍ଡ ଭୋଗିବାକୁ ପଡିଛି। ମହିଳାଜଣଙ୍କର ମେସେଜ୍‌ର ଉତ୍ତର ଦେଇଥିବାବେଳେ ମହିଳାଙ୍କ ସ୍ବାମୀ ଜଣକ ଏଥିରେ ନାରାଜ ହୋଇ ଯୁବକଙ୍କୁ ଛୁରୀରେ ହତ୍ୟା କରିଛନ୍ତି । ମୃତ ଯୁବକର ନାମ ମହମ୍ମଦ ସଲମାନ ଅନ୍‌ସାରୀ ବୋଲି ଜଣାପଡିଛି । 24 ବର୍ଷୀୟ ଏହି ଯୁବକ ଜଣକ ସୁଲତାନା ଗ୍ରାମରେ ରହୁଥିଲେ । 15 ଦିନ ପୂର୍ବରୁ ଯୁବକଙ୍କର ବିବାହ ହୋଇଥିଲା ।

ବଡକାଗାଓଁର ରହୁଥିବା ଜଣେ ମହିଳାଙ୍କ ତରଫରୁ ଗୁଡ୍‌ ମର୍ଣ୍ଣିଂ ମେସେଜ୍‌ ଆସିଥିଲା। ମୃତକ ସୁଲତାନ୍‌ ତାଙ୍କ ସ୍ତ୍ରୀଙ୍କ ବାନ୍ଧବୀ ଭାବି ମେସେଜ୍‌ର ଉତ୍ତର ଦେଇଥିଲେ।  ମହିଳାଙ୍କ ସ୍ବାମୀ ଜଣକ ଏହି ମେସେଜ୍‌ ଦେଖିବା ପରେ  ତାଙ୍କ ସ୍ତ୍ରୀଙ୍କୁ ଏହା ସମ୍ପର୍କରେ ପଚାରିଥିଲେ। ସ୍ତ୍ରୀ ଜଣକ ଏହି ନମ୍ବର ତାଙ୍କ ବାପଘର ଅଞ୍ଚଳରେ ରହୁଥିବା ସଲମାନ୍‌ଙ୍କ ବୋଲି କହିଥିଲେ। ଏହାପରେ ଅଭିଯୁକ୍ତଜଣକ ନିଜ ଭାଇ ଓ କିଛି ବ୍ୟକ୍ତିଙ୍କ ସହ ସ୍ତ୍ରୀଙ୍କ ବାପଘର ଅଞ୍ଚଳକୁ ଆସି ମୃତକଙ୍କ ଘରେ ପହଞ୍ଚି ପଚାରି ବୁଝିଥିଲେ। ଏହି ମେସେଜ୍‌କୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଯାଇଥିଲା। ମାମଲା ଏତେ ବଢିଗଲା ଯେ ଅଭିଯୁକ୍ତ ଜଣକ ସଲମାନଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ସଲମାନଙ୍କୁ ନେଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ସେ ମୃତ୍ୟୁବରଣ କରିଥିଲେ। ପୋଲିସ୍‌ ଏହି ଘଟଣାର ଗମ୍ଭୀରତାକୁ ଦେଖି ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି। (ଏଜେନ୍ସି)

Related posts