ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀଙ୍କୁ ମିିଳିଲା ଏପରି ଦଣ୍ଡ

Published: Jul 31, 2020, 12:11 pm IST

ମଧ୍ୟପ୍ରଦେଶ : ସ୍ବାମୀକୁ ପ୍ରତାରଣା ଦେବା ଅଭିଯୋଗରେ ଜଣେ ସ୍ତ୍ରୀକୁ ମିଳିଛି କଠୋର ଦଣ୍ଡ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ଆସିଛି । ଏଠାରେ ଏକ ବିବାହିତା ମହିଳାଙ୍କର ବିବାହ ପରେ ଅନ୍ୟ ଏକ ପୁରୁଷ ସହ ପ୍ରେମ ସମ୍ପର୍କ ରହିଥିବା ସନ୍ଦେହରେ ସ୍ତ୍ରୀକୁ  କଠୋର ଦଣ୍ଡ ମିଳିଛି । ସ୍ବାମୀଙ୍କୁ ପ୍ରତାରଣା ଦେବା ଅଭିଯୋଗରେ ସ୍ତ୍ରୀ ଜଣକୁ ନିଜ ସ୍ବାମୀକୁ କାନ୍ଧରେ ବସାଇ ଗାଁ ସାରା ବୁଲିବାକୁ ପଡିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ସର୍ବସାଧାରଣରେ ଜଣେ ସ୍ତ୍ରୀଲୋକ ସହିତ ଏପରି ବ୍ୟବହାର ପ୍ରଦର୍ଶନ ହେଉଥିବାବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ଏହି ଦଣ୍ଡକୁ ଉପଭୋଗ କରୁଥିଲେ ଏବଂ ଭିଡିଓ ସୁଟିଂ କରୁଥିଲେ । କେହି ମଧ୍ୟ ମହିଳାଙ୍କୁ ସାହାଯ୍ୟ କରିନଥିଲେ ।

ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରବିବାର ଦିନ ଯେତେବେଳେ ଦୁହେଁ କାମ ସାରି ଫେରୁଥିଲେ ସେତେବେଳେ ତାଙ୍କ ସ୍ବାମୀଙ୍କୁ ସନ୍ଦେହ ହୋଇଥିଲା କି ତାଙ୍କ ସ୍ତ୍ରୀ ଆଉ କାହା ସହ ପ୍ରେମ ସମ୍ପର୍କରେ ରହିଛନ୍ତି । ଏହା ପରେ ମହିଳାଙ୍କ ପରିବାର ଲୋକେ ମହିଳାଙ୍କୁ ସନ୍ଦେହ କରି ଏପରି ଏକ ନିଷ୍ଠୁର ଦଣ୍ଡ ଦେଇଛନ୍ତି । ତେବେ ମହିଳାଙ୍କ ଜଣକ ତାଙ୍କ ସ୍ବାମୀଙ୍କ କାନ୍ଧରେ ଧରି ଗାଁ ରାସ୍ତାରେ ଚାଲୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ମହିଳା ଜଣକ କହିଛନ୍ତି ଯେ, ସେ କାହା ସହିତ ଚାଲିଯାଇଥିବାର ଅଭିଯୋଗ କରି ତାଙ୍କୁ ଏପରି ଦଣ୍ଡ ଦେବା ସହିତ ମାଡ ମଧ୍ୟ ମରାଯାଇଥିଲା ।

ଝାବୁଆ ପୋଲିସ୍‌ ଅଧୀକ୍ଷକ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, ଏହି ମାମଲାରେ ସାମିଲ୍‌ ହୋଇଥିବା ସମସ୍ତଙ୍କ ଲୋକଙ୍କ ବିରୋଧରେ ମାମଲା ଦାଏର ହେବ । ତେବେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି ।

Related posts