ସୁବାସ କୁମାର ତାରଣିଆଁ
ମୁଁ ଏକ ଘରୋଇ ଅନୁଷ୍ଠାନରେ ଦୀର୍ଘବର୍ଷ ହେବ ଅକ୍ଷର ଶିଳ୍ପୀ (ଡିଟିପି ଅପରେଟର) ଭାବେ କାର୍ଯ୍ୟ କରିଆସୁଅଛି। ମୁଁ କାମ କରୁଥିବା ଅନୁଷ୍ଠାନ ପାଖକୁ ଲାଗି ଏକ ଘରୋଇ ଶିକ୍ଷାନୁଷ୍ଠାନ ଥିଲା। ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସରେ ଉକ୍ତ ଶିକ୍ଷାନୁଷ୍ଠାନ ତରଫରୁ ଜାତୀୟ ପତାକା ଉତ୍ତୋଳନ ହେବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥାଏ ଏବଂ ସନ୍ଧ୍ୟାରେ ପତାକାଟି ଆଣି ମୋ ଅନୁଷ୍ଠାନରେ ସାଇତି ରଖେ। ସେଦିନ ଥାଏ ଅଗଷ୍ଟ ୧୪ ତାରିଖ। ସନ୍ଧ୍ୟାରେ ଉକ୍ତ ଶିକ୍ଷାନୁଷ୍ଠାନର ଦୁଇଜଣ ଛାତ୍ରୀ ଜେରକ୍ସ କରିବାକୁ ମୋ ପାଖକୁ ଆସିଥିଲେ। ସେହି ସମୟରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଆସି ମୋତେ କହିଲେ, ସୁବାସ ଜାତୀୟ ପତାକାଟି ବାହାର କରି ରଖିଥାଅ, କାଲି ସକାଳୁ ପତାକା ଉତ୍ତୋଳନ ହେବ। ଏହା ପରେ ସାଇତି ରଖିଥିବା ଜାତୀୟ ପତାକାଟି ବାହାର କରୁଥିବା ସମୟରେ ଜଣେ ଛାତ୍ରୀ ତାଙ୍କ ସହପାଠୀଙ୍କୁ ପଚାରିଥିଲେ, ‘ହ୍ୱାଟ ଇଜ୍ ଦିସ୍’। ସହପାଠୀ ଜଣକ କହିଥିଲେ, ଜାତୀୟ ପତାକା। ଏହାପରେ ଛାତ୍ରୀଜଣକ ପୁଣି ପଚାରିଥିଲେ, ‘ହ୍ୱାଟ୍ ଜାତୀୟ ପତାକା’। ସହପାଠୀ କହିଥିଲେ, ନାସନାଲ ଫ୍ଲାଗ। ଏହା ପରେ ଛାତ୍ରୀଜଣକ ବୁଝିପାରିଥିଲେ ଏବଂ ଜେରକ୍ସ କରି ଚାଲି ଯାଇଥିଲେ।
ଜଣେ ପଞ୍ଚମ ଶ୍ରେଣୀର ଛାତ୍ର କିଛି ପ୍ରଶ୍ନପତ୍ରର ନକଲ କାଢିବା ପାଇଁ ମୋ ମୋବାଇଲ୍କୁ କିଛି ତଥ୍ୟ ପଠାଇଥିଲେ। ଏହାପରେ ଛାତ୍ରଟି ମୋତେ ପଚାରିଥିଲେ ସେହି ପ୍ରଶ୍ନପତ୍ରରେ କେତୋଟି ପୃଷ୍ଠା ଅଛି? ୪୨ପୃଷ୍ଠା ଅଛି ବୋଲି ମୁଁ କହିବାରୁ, ସେ ମୋତେ କହିଥିଲେ, ଅଙ୍କଲ ଇଂରାଜୀରେ କୁହନ୍ତୁ କେତେ ପୃଷ୍ଠା? ମୁଁ କହିଥିଲି ‘ଫର୍ଟି ଟୁ’। ସେ ପୁଣି ପଚାରିଥିଲେ, ଅଙ୍କଲ କେତେ ଟଙ୍କା ଲାଗିବ? ମୁଁ କହିଲି ୧୨୬ ଟଙ୍କା ପଡ଼ିବ। ସେ ପୁନର୍ବାର ମୋତେ ପଚାରିଲେ, ଅଙ୍କଲ, ଇଂରାଜୀରେ କୁହନ୍ତୁ କେତେ ଟଙ୍କା? ମୁଁ ‘ୱାନ୍ ହଣ୍ଡରେଡ୍ ଟୋଣ୍ଟିସିକ୍ସ’ କହିବାରୁ ସେ ବୁଝିଗଲେ ଏବଂ ପ୍ରଶ୍ନପତ୍ର ବାହାର କରି ମୋତେ ୧୨୬ ଟଙ୍କା ଦେଇ ଚାଲିଯିବା ପରେ ମୁଁ ମନେ ମନେ ଭାବିଲି, ସତରେ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ମାତୃଭାଷା ପ୍ରତି ଏତେ ବିମୁଖ କାହିଁକି? ମାତୃଭାଷା ବଦଳରେ ହିନ୍ଦୀ, ଇଂରାଜୀ ଭାଷାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି କାହିଁକି? ଇଂରାଜୀ ଭାଷା ଆନ୍ତର୍ଜାତୀୟ ଯୋଗାଯୋଗର ଭାଷା ହୋଇପାରେ, କିନ୍ତୁ ଇଂରାଜୀ ଭାଷାର ପ୍ରଚାର ଓ ପ୍ରସାର ଫଳରେ ଆମର ସଂସ୍କୃତି ଓ ଜନଜୀବନ ଉପରେ ଯେଉଁ ଖରାପ ପ୍ରଭାବ ପକାଉଛି, ତାହା ହିଁ ଓଡ଼ିଆ ଭାଷା ପାଇଁ ବର୍ତ୍ତମାନ ଘୋର୍ ଚିନ୍ତାର ବିଷୟ ପାଲଟିଛି। ପ୍ରତ୍ୟେକ ଭାଷା ତା’ର ନିଜସ୍ୱ ସଂସ୍କୃତିର ମାଧୁର୍ଯ୍ୟକୁ ବ୍ୟକ୍ତ କରିଥାଏ। ସବୁ ଭାଷା ପରି ଓଡ଼ିଆ ଭାଷାର ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି, ଯାହା ଅନ୍ୟ ଭାଷାର ପ୍ରଭାବରେ ଆଜି ନଷ୍ଟ ହେବାକୁ ଯାଉଛି।
ମାତୃଭାଷା ଜନ୍ମ ହୁଏ ଶିଶୁର ସାମାଜିକ ଓ ମାନସିକ ପରିବେଶରୁ। ମାତୃଭାଷାର ମହତ୍ତ୍ୱକୁ ଉପଲବ୍ଧି କରି ଶିକ୍ଷାବିତ୍ମାନେ ମାତୃଭାଷା ଶିକ୍ଷାଦାନର ମାଧ୍ୟମ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଛନ୍ତି। କାରଣ ମାତୃଭାଷା ପିଲାମାନଙ୍କ ମନୋବଳକୁ ଉଦ୍ରେକ କରିବା ସହିତ ଶିକ୍ଷା ପ୍ରତି ସାମଗ୍ରିକ ଓ ସୃଜନଶୀଳତାର ବିକାଶ ଘଟାଇଥାଏ। ମାତୃଭାଷା ତାର ଭାଷାଭାଷୀଙ୍କୁ ଫୁଲମାଳ ଭଳି ଏକତାର ଡୋରୀରେ ବାନ୍ଧି ରଖିଥାଏ। ଯେତେବେଳେ ମାତୃଭାଷା ପ୍ରତି ମମତା ତୁଟିଯାଏ, ସେତେବେଳେ ଏକତା ଭାଙ୍ଗିଯାଏ। କହିବାକୁ ଗଲେ ବର୍ତ୍ତମାନ ମାତୃଭାଷା ପ୍ରତି ମମତା ତୁଟିବାରେ ଲାଗିଛି। ବିଶେଷକରି ଛାତ୍ରଛାତ୍ରୀମାନେ ମାତୃଭାଷା ପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି। ମାତୃଭାଷା ପ୍ରତି ମମତା ନ ରହିଲେ ଭାଷା ମରିଯାଏ। କିଛି ଓଡ଼ିଆ ନିଜ ମାତୃଭାଷାକୁ ଓଡ଼ିଆ ବୋଲି କହିବାକୁ କୁଣ୍ଠାବୋଧ କରୁଛନ୍ତି। ଅଧିକାଂଶ ଛାତ୍ରସମାଜ ମାତୃଭାଷା ବ୍ୟବହାର କରୁନାହାଁନ୍ତି। ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଓ ସାମାଜିକ ଗଣମାଧ୍ୟମର ବହୁଳ ପ୍ରଚାର, ପ୍ରସାର ଏହାର ମୁଖ୍ୟ କାରଣ।
ଶିଶୁଟିଏ ଜନ୍ମ ହେବା ପରେ, ପିତାମାତାମାନେ ଶିଶୁଟିକୁ ପ୍ରଥମେ ମାମା, ବାବା, ଦାଦା ଆଦି କହି ମାତୃଭାଷା ଶିଖାଇଥାନ୍ତି, କ୍ରମେ ଶିଶୁଟି ବଡ଼ ହେବା ସହିତ ବାପା, ମା, ଦାଦା, ଖୁଡି, ଭାଇ କହି ନିଜର ମାତୃଭାଷା କହିବା ଆରମ୍ଭ କରିଥାଏ। ମାତ୍ର ଏବେ ଶିଶୁଟିଏ ଜନ୍ମ ହେଲାପରେ, ଶିଶୁର ନାମକରଣରେ ସାଙ୍ଗିଆ ମଧ୍ୟ ରଖୁନାହାଁନ୍ତ। ପିତାମାତାମାନେ ସେମାନଙ୍କ ଶିଶୁକୁ ବିଭିନ୍ନ ପ୍ରକାରର ଇଂରାଜୀ ଓ ହିନ୍ଦି ଭାଷା ଶିଖାଇବା ଫଳରେ ଶିଶୁଟି ମାତୃଭାଷା ପ୍ରତି ମମତା ନରଖି ଇଂରାଜୀ ଓ ହିନ୍ଦି ଭାଷା ପ୍ରତି ଆକର୍ଷିତ ହୋଇଥାଏ। ଶିଶୁକୁ ଦୁଇରୁ ତିନିବର୍ଷ ହେବା ମାତ୍ରେ ପିତାମାତା ଘରୋଇ ଇଂରାଜୀ ବିଦ୍ୟାଳୟରେ ଶିଶୁଟିର ନାମ ଲେଖାଇ ଦେଉଛନ୍ତି। ପିଲାଟି ଶିକ୍ଷା ଆରମ୍ଭରୁ ‘ଏ’ ଫର୍ ଆପୁଲ, ‘ବି’ ଫର ବଲ୍ ଇତ୍ୟାଦି ଶିକ୍ଷା ଗ୍ରହଣ କରିବା ପରେ ସରକାରୀ ସ୍କୁଲ୍ରେ ପଢିବାକୁ ଆଉ ଇଚ୍ଛାପ୍ରକାଶ କରୁନାହିଁ। ଶିଶୁଟି ନିଜର ଜନ୍ମଦାତ୍ରୀଙ୍କୁ ବାପା, ମାଆ ସମ୍ବୋଧନ ନକରି ମମି, ଡାଡ଼ି ବୋଲି ସମ୍ବୋଧନ କରୁଛନ୍ତି ଓ ଗୁରୁଜୀ, ଗୁରୁମାଆଙ୍କୁ ପ୍ରଣାମ କରିବା ବଦଳରେ ହାଲୋ, ହାଏ, ଗୁଡ଼ ମର୍ଣ୍ଣିଂ କହିଲେଣି। ବିଦ୍ୟାଳୟ, କୋଚିଙ୍ଗ ସେଣ୍ଟର, ସପିଂମଲ୍, ଫାଷ୍ଟଫୁଡ୍ ଆଦି ଜାଗାରେ ଆଜିର ଛାତ୍ରସମାଜ ପରସ୍ପରଙ୍କ ମଧ୍ୟରେ ଯେଭଳି ଇଂରାଜୀ ଓ ହିନ୍ଦିଭାଷାରେ କଥାବାର୍ତ୍ତା ହେଉଛନ୍ତି, ଲାଗୁଛି ସତେ ଯେପରି ଏମାନେ ଓଡ଼ିଆ ଘରର ପିଲା ନୁହଁନ୍ତି। ଦ୍ୱିତୀୟତଃ ପିଲାମାନଙ୍କ ପାଠପଢାକୁ ନେଇ ପିତାମାତାମାନେ ଯେତିକି ଚିନ୍ତିତ ନୁହଁନ୍ତି, ଘରୋଇ ଶିକ୍ଷାନୁଷ୍ଠାନମାନେ ତା ଠାରୁ ଅଧିକ ତତ୍ପର ହୋଇ ଉଠୁଛନ୍ତି।
ବର୍ତ୍ତମାନ ସାରା ରାଜ୍ୟରେ ଛତୁ ଫୁଟିଲା ଭଳି ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଗଢି ଉଠୁଛି ଏବଂ ଶିକ୍ଷାଦାନକୁ ନେଇ ଏମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏହି ଶିକ୍ଷାନୁଷ୍ଠାନରେ ମାତୃଭାଷାକୁ ଗୁରୁତ୍ୱ ନ ଦେଇ ଇଂରାଜୀ ଓ ହିନ୍ଦିଭାଷାରେ ଶିକ୍ଷାଦାନ ଦିଆଯାଉଛି। ଶିକ୍ଷାଦାନକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନମାନେ ଯେତେ ପ୍ରକାର ଆକର୍ଷଣୀୟ ବିଜ୍ଞାପନ ଜାରି କରୁଛନ୍ତି, ପିଲାଙ୍କ ନାମ ଲେଖାଇବା ପାଇଁ ପିତାମାତାଙ୍କ ଭିଡ଼ ଜମିବାରେ ଲାଗୁଛି। ଫଳରେ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ସରକାରୀ ବିଦ୍ୟାଳୟମାନଙ୍କରେ ପିଲାଙ୍କ ସଂଖ୍ୟା କମି କମି ଚାଲିଛି। ସରକାରୀ ବିଦ୍ୟାଳୟ ଅପେକ୍ଷା ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢିଲେ ଯେ ଜଣେ ମେଧାବୀ ଛାତ୍ର ହୋଇପାରିବ, ତାହା ବୁଝିବା ଭୁଲ। ଅନ୍ତର୍ନହିତ ଜ୍ଞାନ ଭିତରେ ଥିବା ପ୍ରତିଭାକୁ ପରିପ୍ରକାଶ କରିପାରିଲେ ଓ ମାତୃଭାଷାକୁ ସଠିକ୍ ଭାବେ ଆହରଣ କରିପାରିଲେ ଜଣେ ମେଧାବୀ ଛାତ୍ର ହୋଇପାରିବ।
୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପରିବର୍ତ୍ତନ ହେଲା। ଓଡ଼ିଆ ଅସ୍ମିତା ନାରା ଦେଇ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲା। ସରକାରକୁ ଆସିବା ପରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କଲେ। ଓଡ଼ିଶାର ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ। ଓଡ଼ିଆ ଅସ୍ମିତା ପ୍ରତିଷ୍ଠା, ଅଭିବୃଦ୍ଧି, ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ। ଓଡ଼ିଆ ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତକଳା ଏକାଡ଼େମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ଏଥିସହିତ ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ।
ଓଡ଼ିଆ ଅସ୍ମିତା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ। ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡ଼େମୀ ପ୍ରତିଷ୍ଠା ହେବ। ମାତୃଭାଷା ପାଇଁ ଆଧୁନିକ, ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ପାଇଁ ବ୍ୟବସ୍ଥା ହେବ। ଓଡ଼ିଆ ଭାଷା ଭବନ, ଅସ୍ମିତା ଭବନ ନିର୍ମାଣ କରାଯିବା ସହିତ ଭାଷା ଆୟୋଗ ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏବେଠୁ ସବୁ ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ ସମସ୍ତ ନଥିପତ୍ର ଓଡ଼ିଆଭାଷାରେ କାର୍ଯ୍ୟକାରୀ ହେବ ଏବଂ ସରକାରୀସ୍ତରରେ ମାତୃଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ।
ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ। ପ୍ରତ୍ୟେକ ଜିଲ୍ଲାରେ ସମନ୍ୱିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ। ରାଜ୍ୟ ପରିଚାଳନା ମାତୃଭାଷା ଓଡ଼ିଆରେ ହେବ ଉଭୟ ସରକାରୀ ଓ ବେସରକାରୀସ୍ତରରେ ମାତୃଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଲେ। ହେଲେ ଏହା ଏପର୍ଯ୍ୟନ୍ତ କେବଳ ନିର୍ଦ୍ଦେଶରେ ସୀମିତ ରହିଗଲା ପରି ମନେ ହେଉଛି। ଏବେ ବି ବହୁ ବିଭାଗ ପୂର୍ବପରି ଇଂରାଜୀ ଭାଷାକୁ ସର୍ବାଧିକ ବ୍ୟବହାର କରୁଥିବା ବେଳେ ଓଡ଼ିଆ ଭାଷାକୁ ଗୌଣ କରିଦେଉଥିବା ଦେଖିବାକୁ ମିଳୁଛି। କେବଳ ନାମକୁ ମାତ୍ର କିଛି ବିଭାଗ ମଝିରେ ମଝିରେ ଓଡ଼ିଆ ଭାଷାରେ ଚିଠି ଲେଖି ଭାଷାପ୍ରୀତି ଦେଖାଇବାକୁ ଚେଷ୍ଟା କରୁଛନ୍ତି ହେଲେ ଅଧିକାଂଶ ସମୟରେ ବିଭାଗ ଓ ବିଭିନ୍ନ ନିର୍ଦ୍ଦେଶାଳୟଗୁଡ଼ିକରେ ଚିଠିପତ୍ର ଇଂରାଜୀରେ ପ୍ରକାଶିତ ହେଉଛି ଓ ଅଧିକାରୀମାନେ ସରକାରୀ ନିୟମକୁ ମାନୁ ନାହାଁନ୍ତି।
ମାତୃଭାଷା ପ୍ରତି ମମତା ଜାଗ୍ରତ କରିବାକୁ ହେଲେ ଜଣେ ଓଡ଼ିଆ ଭାବରେ ନିଜକୁ ଗର୍ବ କରିବାକୁ ପଡ଼ିବ, ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷା ଓଡ଼ିଆ ବୋଲି ପରିଚୟ ଦେବା ଦରକାର। ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟରେ ମାତୃଭାଷାକୁ ବାଧ୍ୟତାମୂଳକ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ଯେପରି ମାତୃଭାଷା ପ୍ରତି ଆକୃଷ୍ଟ ହେବେ, ସେଥିପ୍ରତି ଦୃଷ୍ଟିଦେବା, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସମସ୍ତ ନଥିପତ୍ର ଓଡ଼ିଆଭାଷାରେ କାର୍ଯ୍ୟକାରୀ କରିବା ଦରକାର। ଯଦି କୌଣସି ଅନୁଷ୍ଠାନ ଏହି ଆଇନକୁ କାର୍ଯ୍ୟକାରୀ ନକରନ୍ତି, ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଏହି ଦିଗ ପ୍ରତି ବିଭାଗ ଓ ନିର୍ଦ୍ଦେଶାଳୟଗୁଡ଼ିକ ଦୃଷ୍ଟି ଦେବା ନିତାନ୍ତ ଜରୁରୀ, ତେବେ ଯାଇ ମାତୃଭାଷା ବଞ୍ଚିରହିବ।
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର
ମୋ : ୮୩୨୮୮୪୦୨୧୪