କେନ୍ଦ୍ରକୁ ଗଲା ବିଜେପିର ପ୍ରାର୍ଥୀ ତାଲିକା, ହେଲେ କେତେ ଆସନରେ ଦଳ ଲଢିବ ସେ ନେଇ ଚୁପ୍

Published: Mar 17, 2024, 9:23 am IST

ଭୁବନେଶ୍ୱର: ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ‘ରାଜ୍ୟ ନିର୍ବାଚନ କମିଟି ବୈଠକ’ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଉପରେ ଆଲୋଚନା କରାଯାଇ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି। ସେସବୁ କେନ୍ଦ୍ରୀୟ ନେତାଙ୍କ ପାଖକୁ ଇମେଲ ମାଧ୍ୟମରେ ପଠାଯାଇଥିବାର ଜଣାଯାଇଛି।

ତେବେ ଓଡିଶାର ବିଧାନସଭାର କେତେ ଆସନ ଏବଂ ଲୋକସଭାର କେତେ ଆସନ ପାଇଁ ପ୍ରାର୍ଥୀ ଠିକ କରାଯାଇଛି ସେ ନେଇ କେହି କିଛି କହିଲେ ନାହିଁ। ବର୍ତ୍ତମାନ ମେଣ୍ଟରେ ଆସନ ବୁଝାମଣା ଚାଲିଥିବାରୁ ବିଜେପି କେତେ ଆସନରେ ପ୍ରାର୍ଥୀ ଦେବ ତାହା ଉପରେ ନଜର ଥିଲା। ହେଲେ ଦଳ ତରଫରୁ ଏ ନେଇ କୌଣସି ସୂଚନା ଦିଆଗଲା ନାହିଁ। କେବଳ କୁହାଗଲା ତୃଣମୂଳରୁ ଯେଉଁ ନାମ ଆସିଥିଲା ତାହାକୁ ବିଚାର କରି କେନ୍ଦ୍ରକୁ ତାଲିକା ପଠାଯାଇଛି। ଫଳରେ ମେଣ୍ଟ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ପୁଣି ସନ୍ଦେହ ଘେରକୁ ଆସିଛି।

ଏହି ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ଓ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ନିର୍ବାଚନ କମିଟିର ସଦସ୍ୟ ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ କେ.ଭି.ସିଂହଦେଓ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Related posts