ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଗଂଜାମ କଳାକାରଙ୍କ କମାଲ୍‌

Published: Feb 11, 2021, 12:07 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିହାରର ବରିଆରପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଗଂଜାମ କଳାକାରମାନେ ବିଭିନ୍ନ ବିଭାଗରେ ୧୦ଟି ପୁରସ୍କାର ଜିତି ପ୍ରଶଂସାର ପାତ୍ର ହୋଇଛନ୍ତି।

ପାତ୍ରପୁର ବ୍ଲକ୍ ଆଶିଷ ଅଂଶୁମାନ ସୌଖିନ କଳକାର ସଂଘ ତରଫରୁ ଗଂଜାମର ଏକ ୧୪ ଜଣିଆ ନାଟକ ଦଳ ସେଠାରେ ଓଡ଼ିଆ ନାଟକ “ଶାପିତ ପୁତ୍ର” ମଞ୍ଚସ୍ଥ କରାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଏହି ନାଟକକୁ ୧୦ଟି ପୁରସ୍କାର ମିଳିଛି। ଦଳର ସୁଧାକର ମହାରଣାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା, ସାଗରିକ ଭୋଇଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ, ଭଗବାନ ମଲିକଙ୍କୁ ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା, ନାଟ୍ୟକାର ରାଜଗୋପାଳ ପାଢ଼ୀଙ୍କୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ନାଟ୍ୟକାର ଓ ତୃତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ, ନିଳାଞ୍ଚଳ ପାତ୍ରଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଚରିତ୍ର ଅଭିନେତା, ରାମଶଙ୍କର ପଟ୍ଟନାୟକଙ୍କ ତୃତୀୟ ଶ୍ରେଷ୍ଠ ରୂପସଜ୍ଜା, ଅରୁଣ ସାହୁଙ୍କୁ ତୃତୀୟ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଥିବାବେଳେ ଦଳକୁ ତୃତୀୟ ଶ୍ରେଷ୍ଠ ନାଟକ ପୁରସ୍କାର ମିଳିଛି।

ରଙ୍ଗରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା। ଦଳର ସୁଧାକର ମହାରଣାଙ୍କୁ ଅଙ୍ଗ ନାଟ୍ୟ ସମ୍ମାନ ୨୦୨୧ରେ ସମ୍ମାନିତ କରାଯାଇଥିଲା।

Related posts