ପ୍ରସ୍ତୁତ ହୋଇଯାଆନ୍ତୁ, ଆପଣଙ୍କୁ କୋଭିଡ ଟିକା ଦେବାର ସମୟ ଆସିଗଲା, ଆଜି ସମସ୍ତ ଜିଲ୍ଲାକୁ ପଠାଗଲା

Published: Jan 13, 2021, 11:59 am IST

ଭୁବନେଶ୍ବର, ବହୁ ପ୍ରତିକ୍ଷିତ କୋଭିଡ ଟିକା ଶେଷରେ ବାହାରିଲା ଏବଂ ଭୁବନେଶ୍ବରରେ ମଧ୍ୟ ପହଁଚିଲା। ଏହା ନିଶ୍ଚିତ ଖୁସିର କଥା। ଗତକାଲି ବିମାନରେ ଏହି ଟିକା ଆସିବା ପରେ ସେଗୁଡିକୁ ଭୁବନେଶ୍ବରର ଔଷଧ ନିଗମରେ ଥିବା ଭ୍ୟାକସିନ ଭଣ୍ଡାରରେ ରଖାଯାଇଛି।

ବର୍ତ୍ତମାନ ଓଡିଶାକୁ ସେରମ ସଂସ୍ଥା ପ୍ରସ୍ତୁତ କୋଭିସିଲ୍ଡ 40 ହଜାର 8 ଶହ ଭାଲ ଆସିଛି। ଯାହାକି 4 ଲକ୍ଷ 8 ହଜାର ଡୋଜ ହେବ। ଏଗୁଡକ 12ଶହ କେଜି ଓଜନର 34ଟି ପ୍ୟାକେଟରେ ଆସିଛି। ତେବେ ଏହି ଟିକା ଦୁଇଟି ଡୋଜରେ ଦିଆଯିବ। ସେହି ଅନୁସାରେ ବର୍ତ୍ତମାନ ଯେତିକି ଟିକା ଆସିଛି ସେଥିର 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯାଇପାରିବ।

ଭୁବନେଶ୍ବର ଭ୍ୟାକସିନ ଭଣ୍ଡାରରୁ ଟିକା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି। ପ୍ରଥମ ଡୋଜ ପାଇଁ ଯେତିକି ଟିକା ଆବଶ୍ୟକ ସେତିକି ଟିକା ଜିଲ୍ଲା କେନ୍ଦ୍ରକୁ ପଠାଯିବ। ତାହା ଶେଷ ହେବା ପରେ ଦ୍ବୀତିୟ ଡୋଜ ଦେବା ବେଳେ ପୁଣି ପଠାଯିବ ବୋଲି ନିଷ୍ପତି ହୋଇଛି।

ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରୁ ସେଗୁଡିକ ବିଭିନ୍ନ ଆଞ୍ଚଳିକ କେନ୍ଦ୍ରକୁ ପଠାଯିବ। ସେଥିପାଇଁ ସରକାର 160 କେନ୍ଦ୍ର କରିଛନ୍ତି। ଅନୁଗୋଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ  ଟୀକାକରଣ କେନ୍ଦ୍ର କରାଯାଇଛି।

ସେହିପରି ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ବାଲେଶ୍ୱର, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫ଟି ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ୬ଟି ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ୭ଟି ଲେଖାଏଁ କେନ୍ଦ୍ର ହୋଇଛି।

କଟକ, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ୮ଟି ଲେଖାଏଁ ଏବଂ ମୟୂରଭଞ୍ଜ ଜିଲ୍ଲାର ୧୦ଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟ ହେବ । ଏହି ପରି ୩୦ଟି ଜିଲ୍ଲା ଏବଂ ୫ଟି ମହାନଗର ନିଗମ ଅଞ୍ଚଳର ୧୬୦ଟି କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌-୧୯ ଟୀକାକରର ପାଇଁ ଚିହ୍ନଟ କରାଯାଇଛି ।

ପ୍ରଥମ ପର୍ଯ୍ୟାରେ ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟିକା ଦେବା ପାଇଁ ସରକାର ନିଷ୍ପତି କରିଛନ୍ତି। ଏହି ସ୍ବାସ୍ଥ୍ୟ କର୍ମିଙ୍କ ମଧ୍ୟରେ ଯେଉଁମାନେ ବୟସ୍କ ସେମାନେ ପ୍ରଥମେ ଟିକା ନେବେ। ତେବେ ଏହି ଟିକା ବକ୍ସ ବା ଭାଲକୁ ଥରେ ଖୋଲାଗଲେ ସେଥିରେ ଯେତେ ଟିକା ଥିବା ତାହା ସାରିବାକୁ ପଡିବ। କାରଣ ତାହାକୁ ଆଉ ସିଲ କରିହେବ ନାହିଁ।

ସେଥିପାଇଁ ପ୍ରାରମ୍ଭିକ ସ୍ତରରେ ଯେଉଁ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଅଧିକ ସଂଖ୍ୟକ କର୍ମଚାରୀ ଅଛିନ୍ତି ସେଠାକୁ ଏହା ପଠାଯିବ। ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି ଯେ ଏହି ପଦ୍ଧତିରେ ଅତିକମରେ 10 ପ୍ରତିଶତ ଟିକା ନଷ୍ଟ ହେବାର ସମ୍ଭାବନା ରହିଛି।ଗୋଟିଏ ଗୋଟିଏ କେନ୍ଦ୍ରରେ ଶହେ ଜଣଙ୍କୁ ଟିକା ଦେବାର ବନ୍ଦୋବସ୍ତ କରାଯାଇଛି।

ପ୍ରଥମେ ଯିଏ ଏହି ଟିକା ନେଇଥିବେ ତାଙ୍କୁ ଦ୍ବିତୀୟ ଡୋଜ ବେଳକୁ ସେହି ସମାନ କଂପାନୀର ଟିକା ପ୍ରଦାନ କରାଯିବ। ସେଥିପାଇଁ ଟିକାକରଣରେ ଯେଉଁଣାନେ ଅଛନ୍ତି ସେମାନଙ୍କୁ ଏଥିପ୍ରତି ସତର୍କ ରହିବା ପାଇଁ କୁହାଯାଇଛି। ରାଜ୍ୟରେ ବର୍ତ୍ତମାନ 3 ଲକ୍ଷ 33 ହଜାର ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟିକା ଦିଆଯିବ ବୋଲି ତାଲିକା ପ୍ରସ୍ତୁତ କରାଯାଇଛି।

ସ୍ବାସ୍ଥ୍ୟ କର୍ମିଙ୍କୁ ଟିକାକରଣ କାର୍ଯ୍ୟ ଆସନ୍ତା 16 ତାରିଖରୁ ଆରମ୍ଭ ହେବ। ଏହା ପ୍ରାୟ ଦୁଇ ସପ୍ତାହ ଲାଗିବ ବୋଲି ଜଣାପଡିଛି। ଏହାପରେ ସାଧାରଣ ବରିଷ୍ଠ ଲୋକେ ଏବଂ ରୋଗୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ। ଯଦି ଠିକ ସମୟରେ ଟିକା ଉପଲବ୍ଧ ହୁଏ ତେବେ ସମସ୍ତଙ୍କୁ ଟିକା ଦେବା ବେଳକୁ ଫେବୃୟାରୀ ଦ୍ବିତୀୟ ସପ୍ତାହ ହେବ ବୋଲି ଜଣପଡିଛି।

Related posts