Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ ଟିକାକରଣ: ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ଐତିହାସିକ ଘଟଣା

ଲେଖକ- ଆଦାର ପୁନାୱାଲା 

 

କରୋନା ମହାମାରୀର ବିଗତ ଅଢେଇ ବର୍ଷ ଯାହା ଏକ ଗୁରୁତର ଅସ୍ୱାଭାବିକତାର ବାତାବରଣ ସୃଷ୍ଟି କରିଥିଲା ସେଥିରେ ଲୋକେ ସତେ ଯେପରି ଏକ ବିଜ୍ଞାନ ଉପନ୍ୟାସର କାହାଣୀ ଭିତରେ ବଂଚିଥିଲେ । ଏହି ଜଟିଳ ସମୟରେ ଆମେ ଭାରତବାସୀ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅବିଶ୍ରାନ୍ତ ନେତୃତ୍ୱରେ ମିଳିତଭାବେ ମହାମାରୀର ମୁକାବିଲା କରିବାରେ ସଫଳ ହୋଇଥିଲୁ । ଏହି ଦୁଃସମୟରୁ ଆମେ ଅନେକ କଥା ଶିଖିଲୁ ଏବଂ ଶତାବ୍ଦୀରେ ଥରେ ଆସିଥିବା ଏଭଳି ଏକ ମହାମାରୀରୁ ଯେଉଁ ଅଭିଜ୍ଞତା ଲାଭ କଲୁ ତାହା ଆମକୁ ଜୀବନ ବ୍ୟାପୀ ସାହାଯ୍ୟ କରିବ ।

ଭବିଷ୍ୟତରେ ଏଭଳି ପରିସ୍ଥିତି ଉପୁଜିଲେ, ତାହାର ମୁକାବିଲା ପାଇଁ ଉତ୍କୃଷ୍ଟ ପଦକ୍ଷେପ ନେବାରେ ଏହି ଅଭିଜ୍ଞତା ଆମକୁ ସାହାଯ୍ୟ କରିବ । ଏକ ମହାସଂକଟ କାଳରେ ଆମେ ଧୈର‌୍ୟ୍ୟ ଓ ସ୍ଥିତିସ୍ଥାପକତା ପ୍ରଦର୍ଶନ କରି ଦୃଢ ସଂକଳ୍ପ ଏବଂ ସାମର୍ଥ୍ୟ ବଳରେ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବାକୁ ସମର୍ଥ ହୋଇଥିଲୁ । ଏହା ଆମକୁ ବିଶ୍ୱ ଦରବାରରେ ସମ୍ମାନ ପ୍ରଦାନ କରିଥିଲା ଓ ଆମ ସଫଳତାକୁ ସମସ୍ତେ ପ୍ରଶଂସା କରିଥିଲେ ।

ଆମ କରୋନା ବିରୋଧୀ ଲଢେଇରେ ଟିକାର ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ । କରୋନା ମହାମାରୀ ବା କୋଭିଡ-୧୯ଥିଲା ସମ୍ପୂର୍ଣ୍ଣଭାବେ ଏକ ନୂଆ ଭୂତାଣୁ ଜନିତ ବ୍ୟାଧି । ଏହାର ଉପଚାର ନ ଥିଲା । ଔଷଧ ଓ ଟିକା ବିନା ଏହି ମହାମାରୀ ବିରୋଧରେ ଲଢେଇ ଆରମ୍ଭ ହୋଇଥିଲା । ତେବେ ଏହା ବିରୋଧରେ ଟିକା ବାହାର କରିବାକୁ ବୈଜ୍ଞାନିକ ପ୍ରସ୍ତୁତି, ଗବେଷଣା ଓ ଉନ୍ନୟନ, ଟିକା ଉତ୍ପାଦନ, ଏଥିପାଇଁ ସରକାରୀ ପ୍ରୋତ୍ସାହନ ଓ ରାଜନୀତିକ ଇଚ୍ଛାଶକ୍ତି ସୃଷ୍ଟି, ଏ କ୍ଷେତ୍ରରେ ସରକାରୀ-ବେସରକାରୀ ସହଭାଗିତା, ଟିକାକରଣ କାର‌୍ୟ୍ୟକ୍ରମର ଡିଜିଟାଇଜେସନ, ମହାମାରୀ ବିରୋଧୀ ଲଢେଇରେ ସରକାରଙ୍କ ସବୁ ବିଭାଗ ଏକାଠି ହୋଇ ମିଶନ ମୋଡ୍‌ରେ କାମ କରିବା ଆଦି ସବୁ ପ୍ରୟାସ ପଛରେ ଥିଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱ ଏବଂ ଦିଗ୍‌ଦର୍ଶନ ।

ଟିକା ବାହାରିବା ପରେ ତାହାକୁ ଲୋକଙ୍କ ପାଖରେ ବିନା ମୂଲ୍ୟରେ ପହଂଚାଇବା, ଟିକା ନେଇ ଜୀବନକୁ ସୁରକ୍ଷିତ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରିବା, ନୂଆ ବୈଜ୍ଞାନିକ ଉପଲବ୍ଧି, ନୂତନ ଟିକା ଓ ଔଷଧ ପ୍ରତି ରହିଥିବା ପାରମ୍ପରିକ ସାମାଜିକ କୁଣ୍ଠାକୁ ଦୂର କରିବାରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସ୍ମରଣୀୟ ହୋଇ ରହିବ । ତାଙ୍କର ବାସ୍ତବବାଦୀ ପଦକ୍ଷେପ, ଦୂରଦୃଷ୍ଟି ଓ ପ୍ରେରଣାଦାୟୀ ନେତୃତ୍ୱ ଫଳରେ ଆଜି ଭାରତରେ ଶହ ଶହ କୋଟି ଡୋଜ କରୋନା ଟିକା ପ୍ରୟୋଗ ସଫଳ ହୋଇଛି ଏବଂ ଏହା ଆମକୁ ଏହି ମହାମାରୀର ପ୍ରଭାବରୁ ଏକ ପ୍ରକାର ସୁରକ୍ଷିତ କରିପାରିଛି ।

କେବଳ ସେତିକି ନୁହେଁ ଆମେ ଟିକା ମୈତ୍ରୀ ନୀତିରେ ପଡୋଶୀ ବା ଅନ୍ୟାନ୍ୟ ବନ୍ଧୁ ରାଷ୍ଟ୍ରଙ୍କୁ କରୋନା ଟିକା ଯୋଗାଇ ପାରିଛୁ । ବିଦେଶକୁ ଟିକା ପଠାଇବା ବେଳେ ଦେଶରେ ଯେପରି କେହି ଏଥିରୁ ବଂଚିତ ନ ହୁଅନ୍ତି, ତାହାକୁ ମଧ୍ୟ ସୁନିଶ୍ଚିତ କରିଛୁ ।
ସାର୍ସକୋଭ୍‌-୨ ଭଳି ମାରାତ୍ମକ ଭୂତାଣୁ ଯାହା କରୋନା ମହାମାରୀର ବାହକ ଥିଲା ତା’ ବିରୋଧରେ ଏକ ବର୍ଷରୁ କମ୍ ସମୟରେ ନିରାପଦ ଓ ସଫଳ ଟିକା ବାହାର କରିବା ଆଧୁନିକ ବିଜ୍ଞାନ ଇତିହାସର ସବୁଠୁ ବଡ ଉଲ୍ଲେଖନୀୟ ଘଟଣା ।

ଏହି ଟିକା ପ୍ରସ୍ତୁତିରେ ଭାରତର ଉଦ୍ୟମ ଓ ବ୍ୟବସ୍ଥା ନିର୍ମାଣ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏ କ୍ଷେତ୍ରରେ ବିଭିନ୍ନ ସ୍ଥାନୀୟ, ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତିକ ସମସ୍ୟା ସେତେବେଳେ ଥିଲା । ଦୁର୍ଘଟଣା ସହିତ ଟିକା ପ୍ରସ୍ତୁତିରେ ବ୍ୟବହୃତ କଂଚାମାଲ ସଂଗ୍ରହ କରିବାରେ ସେରମ୍ ପ୍ରତିଷ୍ଠାନ (ଏସ୍‌ଆଇଆଇ)କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କଂଚାମାଲରତ୍ତଉତ୍କଟ ଅଭାବ ସତ୍ୱେ ବିଶ୍ୱର ସର୍ବବୃହତ୍ ଟିକା ନିର୍ମାଣକାରୀ ସଂସ୍ଥା ଏସ୍‌ଆଇଆଇ ସବୁ ପ୍ରତିବନ୍ଧକକୁ ଏଡାଇ ଏଥିରେ ସଫଳ ହୋଇଥିଲା ।

ଏହି ଅନୁଷ୍ଠାନ ସମେତ ଆଉ କେତେକ ଭାରତୀୟ ଟିକା ନିର୍ମାଣକାରୀ ଖୁବ୍ କମ୍ ସମୟରେ ୨୦୦କୋଟି ଡୋଜରୁ ଅଧିକ ଟିକା ଉତ୍ପାଦନ କରିପାରିଥିଲେ । ଏହା ଆମ ଦେଶର ଲୋକଙ୍କ ଟିକା ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଥିଲା । ଆମେ ଏହି ସ୍ୱଳ୍ପ ସମୟରେ ବିଶ୍ୱର ସମୁଦାୟ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକଙ୍କ ଜୀବନକୁ ସୁରକ୍ଷିତ କରିବାକୁ ସମର୍ଥ ହୋଇଥିଲୁ ।

ଭାରତରେ ଯେଉଁ ପରିମାଣର କରୋନା ଟିକା ଉତ୍ପାଦିତ ହୋଇଥିଲା ଏବଂ ଏବେ ହେଉଛି, ସେଥିରୁ ଦେଶର ସାମର୍ଥ୍ୟ ପ୍ରତିପାଦିତ ହୁଏ । ତେଣୁ ଏହି ସାମର୍ଥ୍ୟ ବଳରେ ଆମେ ବିଶ୍ୱର ଟିକା ନିର୍ମାତା ହେବାର ଗୌରବ ଲାଭ କରିଛୁ । କେବଳ କରୋନା ନୁହେଁ, ବିଭିନ୍ନ ପ୍ରକାର ରୋଗର ଟିକା ପ୍ରସ୍ତୁତି ଓ ଉତ୍ପାଦନରେ ଭାରତ ବିଶ୍ୱରେ ଅଗ୍ରଣୀ । ସବୁ ବୟସ ବର୍ଗର ଲୋକଙ୍କ ଟିକା ଆବଶ୍ୟକତା ପୂରଣ କରିବାରେ ଆମେ ମଧ୍ୟ ସମର୍ଥ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଟେକ୍‌ନୋଲୋଜିର ପ୍ରୟୋଗ କରି ଭାରତ ମଧ୍ୟ ନୂଆ ସଫଳତା ଅର୍ଜନ କରିଛି । କୋ-ଉଇନର ବ୍ୟବହାର ଥିଲା ଶୃଙ୍ଖଳିତ ଟିକାକରଣର ମେରୁଦଣ୍ଡ । ଅତି କମ୍ ସମୟରେ ଭାରତ ‘ଇ-ଭିନ୍‌’ର ପ୍ରୟୋଗ କରି ଟିକା ଯୋଗାଣ ବ୍ୟବସ୍ଥାକୁ ସ୍ମାର୍ଟ ଓ ସୁସଂହତ କରିପାରିଥିଲା । ଏହା ଫଳରେ ଟିକା ଯୋଗାଣ, ସଂରକ୍ଷଣ, ଟିକାଦାନ ବ୍ୟବସ୍ଥା ସବୁ ଶୃଙ୍ଖଳିତ ଏବଂ ଟେକ୍‌ନୋଲୋଜି ଆଧାରିତ ହୋଇ ଟିକାକରଣ ଅଭିଯାନକୁ ତ୍ରୁଟିଶୂନ୍ୟ ଓ ସହଜ କରିଥିଲା ।

ଭାରତର ଟିକାକରଣ କାର‌୍ୟ୍ୟକ୍ରମର ଇତିହାସ ଓ ସଫଳତା ଭଲ । ଏ କ୍ଷେତ୍ରରେ ଭାରତର ଯଥେଷ୍ଟ ଅଭିଜ୍ଞତା ରହିଛି । କୋଭିଡ ପୂର୍ବରୁ ଭାରତ ସରକାର ବିଭିନ୍ନ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ପ୍ରକାର ଟିକା ନିୟମିତ ଭାବେ ଯୋଗାଇ ଆସୁଥିଲେ । ଅତଏବ ଏହାର ପରିଚାଳନାରେ କୋ-ଉଇନର ଯେଉଁ ଉଦାହରଣୀୟ ଭୂମିକା ଥିଲା କୋଭିଡ ଟିକାକରଣ କାଳରେ ସେ ଅଭିଜ୍ଞତାକୁ ଦୋହରାଯାଇଥିଲା । କରୋନା ଟିକାକରଣରେ କୋ-ଉଇନର ଭୂମିକା ଅନସ୍ୱୀକାର‌୍ୟ୍ୟ ।

କେଉଁ ବର୍ଗର ଲୋକେ କେବେ କେଉଁ ଡୋଜ ନେବେ, ସେମାନଙ୍କ ପଞ୍ଜୀକରଣ, ଟିକା ପ୍ରଦାନରେ ତଥ୍ୟ ସଂଗ୍ରହ ଏବଂ ସର୍ବୋପରି ଟିକା ଦେଇଥିବା ପ୍ରମାଣପତ୍ର ପ୍ରଦାନରେ କୋ-ଉଇନର ଭୂମିକାକୁ ଭୁଲିବାର ନୁହେଁ । ଟିକାକରଣ ଆରମ୍ଭରୁ ଟିକା ନେଇ ଥିବା ଭାରତ ଟିକା ନେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡିଜିଟାଲ ବ୍ୟବସ୍ଥାରେ ସାର୍ଟିଫିକେଟ ପ୍ରଦାନ କରିବାକୁ ସଫଳ ହୋଇଛି । ଅପରପକ୍ଷରେ ଅନ୍ୟାନ୍ୟ ବହୁ ସମୃଦ୍ଧ ରାଷ୍ଟ୍ର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନରେ କୃତକାର‌୍ୟ୍ୟ ହୋଇନାହାନ୍ତି ।

କୋଭିଡ ଟିକାଦାନ ବ୍ୟବସ୍ଥାରେ ଡିଜିଟାଲ ସାର୍ଟିଫିକେଟର ଗୁରୁତ୍ୱ ଅଧିକ; କାରଣ ଏଥିରେ କାହାକୁ କେଉଁ ଟିକା କେତେ ଡୋଜ, କେତେ ଦିନ ଅନ୍ତରରେ ଦିଆଯାଉଛି, ସେସବୁ ଡିଜିଟାଲ ମାଧ୍ୟମରେ ଉଲ୍ଲେଖ ଅଛି। ଏଥିରେ ଟିକା ନେଇଥିବା ଓ ନ ନେଇଥିବା ଲୋକଙ୍କୁ ସହଜରେ ବାଛି ହେଉଛି। ଏହି କୋ-ଉଇନ ବ୍ୟବସ୍ଥା ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟ ଆଗକୁ ବିଶେଷ ସହାୟକ ହୋଇପାରିବ ।

ତିନିଟି ପ୍ରମୁଖ କ୍ଷେତ୍ର ଭାରତକୁ କରୋନା ବିରୋଧୀ ଟିକା ବାହାର କରିବାରେ ବିଶେଷ ସହାୟକ ହୋଇଥିଲା । ସେଗୁଡିକ ହେଲା- ଟିକା ଗବେଷଣା ଓ ଉନ୍ନୟନ ବ୍ୟବସ୍ଥା, ଭେଷଜ ନିୟନ୍ତ୍ରଣ ବ୍ୟବସ୍ଥା ଓ ସରକାରଙ୍କର ଏ କ୍ଷେତ୍ରରେ ଗଭୀର ସମ୍ପୃକ୍ତି । ସରକାର ଏ କ୍ଷେତ୍ରରେ ସରକାରୀ-ଘରୋଇ ସହାଭାଗିତାକୁ ଅଗ୍ରାଧିକାର ଦେଇ ନିଜର ସବୁ ବିଭାଗକୁ ଟିକା ପ୍ରସ୍ତୁତି ଓ କରୋନା ବିରୋଧୀ ଲଢେଇରେ ନିୟୋଜିତ କରିଥିଲେ । ଏକ ଅଜଣା ମହାମାରୀ ସମୟରେ ଏହି ବ୍ୟାଧିର ଟିକା ବାହାର କରିବା ସହଜ କାମ ନୁହେଁ, ତଥାପି ସରକାର ଉପଯୁକ୍ତ ରଣନୀତି ପ୍ରସ୍ତୁତି କରି ଏ କ୍ଷେତ୍ରରେ ଉଦ୍ୟମ ଆରମ୍ଭ କରିଥିଲେ ।

ଏହି ଉଦ୍ୟମ ବିଶେଷ ନିର୍ଣ୍ଣାୟକ ଥିଲା । ବିଭିନ୍ନ ସଂସ୍ଥା ଓ ପକ୍ଷଙ୍କୁ ଟିକା ପ୍ରସ୍ତୁତି ପାଇଁ ଅନୁମତି ଦିଆଗଲା । କେଉଁ ସଂସ୍ଥା ଆଗ ଟିକା ପ୍ରସ୍ତୁତ କରିପାରିବ ଏବଂ ତାହା ଜରୁରୀକାଳୀନ ବ୍ୟବହାର ନିମନ୍ତେ କେତେ ନିରାପଦ ରହିବ ସେ କଥା କାହାକୁ ଜଣା ନ ଥିଲା । ସବୁଠୁ ବଡ କଥା ଥିଲା କେତେ ଶୀଘ୍ର ଏହାର ସଫଳ ବ୍ୟବହାର କରାଯାଇପାରିବ । ଟିକା ତିଆରି ଓ ଏହାର ଉତ୍ପାଦନ ଏକ ଅତ୍ୟନ୍ତ ଜଟିଳ ପ୍ରକିୟା । ଅତଏବ ଏହି ଜଟିଳ ବୈଜ୍ଞାନିକ ପ୍ରକ୍ରିୟାରେ ପ୍ରଥମ ପ୍ରସ୍ତୁତି ଟିକା ଯେ ସର୍ବଶ୍ରେଷ୍ଠ ହେବ ସେ କଥା କୁହାଯାଇ ନ ପାରେ ।

ଅତଏବ ବିଭିନ୍ନ ପ୍ରକାର ଟିକା ପ୍ରସ୍ତୁତି ପାଇଁ ପ୍ରୟାସ ଜାରି ରଖିବା ଏବଂ ଗୋଟିଏ ପରେ ଗୋଟିଏତ୍ତଉତ୍କୃଷ୍ଟ ଗୁଣମାନର ଟିକା ବାହାର କରି ତାହାକୁ ଉତ୍ପାଦନ କରିବାକୁ ସରକାର ଅନୁମତି ଦେଇ ଏକ ଯଥାର୍ଥ ପରିବେଶ ସୃଷ୍ଟି କରିଥିଲେ । ଟେକ୍‌ନୋଲୋଜି ଦୃଷ୍ଟିରୁ ଏସବୁ ଟିକା ପ୍ରସ୍ତୁତି ବିବିଧ ହୋଇଥିଲେ ମଧ ଗୁଣ ଓ ମାନରେ କେହି ଯେପରି କମ୍ ହୁଏ ତା ଉପରେ ସରକାରଙ୍କ ଅଗ୍ରାଧିକାର ଥିଲା । ଏ କ୍ଷେତ୍ରରେ ଆମ ବୈଜ୍ଞାନିକ, ଗବେଷକ, ଗବେଷଣା ଓ ଉନ୍ନୟନ ବ୍ୟବସ୍ଥା, ନୀତି ନିର୍ଦ୍ଧାରକ, ଟିକା ଉତ୍ପାଦନକାରୀ ସଂସ୍ଥାଙ୍କ ଭୂମିକା ବିଶେଷ ମହତ୍ୱପୂର୍ଣ୍ଣ ଥିଲା । ସେମାନେ ସମସ୍ତେ ସମୟର ଆହ୍ୱାନର ମୁକାବିଲା କରିବାରେ ସଫଳ ହୋଇଥିଲେ ।

ଆମ ଭେଷଜ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅନେକ ମନ୍ଥର ବୋଲି କହିଥାନ୍ତି । ତେବେ କରୋନା ଟିକାର ଜରୁରୀ ବ୍ୟବହାରକୁ ଏହା ଯେପରି ଅନୁମୋଦନ ଦେଲା ତାହା ଥିଲା ଉଲ୍ଲେଖନୀୟ । ଟିକାର ପରୀକ୍ଷା ନିରୀକ୍ଷା ପରେ ଭେଷଜ ନିୟନ୍ତ୍ରଣ କର୍ତୃପକ୍ଷ ତୁରନ୍ତ କରୋନା ଟିକାର ଜରୁରୀକାଳିନ ପ୍ରୟୋଗକୁ ଅନୁମତି ଦେଇଥିଲେ । ଏ କ୍ଷେତ୍ରରେ କୌଣସି ବିଳମ୍ବର ଅବକାଶ ନ ଥିଲା । ଏହି ଅନୁମତି ପ୍ରଦାନ ବେଳେ କର୍ତୃପକ୍ଷ ରୋଗୀଙ୍କ ନିରାପତା ଓ ସୁରକ୍ଷାକୁ ଅଗ୍ରାଧିକାର ଦେଇଥିଲେ । ଏହା ସହିତ ଭାରତୀୟ ଟିକା ବିଦେଶୀ ଓ ଆନ୍ତର୍ଜାତିକ ଭେଷଜ ନିୟନ୍ତ୍ରକଙ୍କ ଅନୁମୋଦନ ଅବିଳମ୍ବେ ହାସଲ କରି ବିଶ୍ୱ ବଜାରରେ ସହଜରେ ପ୍ରବେଶ କରିପାରିଲା ।

ଭେଷଜ ନିୟାମକଙ୍କ ଦାୟିତ୍ୱ ବହୁ ଅଧିକ । କରୋନା ଭଳି ଦେଶର ଆହୁରି କେତେକ ଭୟଙ୍କର ବ୍ୟାଧି ରହିଛି ଯାହାର ମୁକାବିଲା ଯୁଦ୍ଧକାଳୀନ ଭିତିରେ କରାଯିବା ଆବଶ୍ୟକ । ତେଣୁ ସେ ସବୁ ରୋଗର ଟିକାକୁ ଜରୁରୀକାଳୀନ ପ୍ରୟୋଗ ପାଇଁ କର୍ତୃପକ୍ଷ ଶୀଘ୍ର ଅନୁମୋଦନ ଦେବା ଆବଶ୍ୟକ । ସର୍ବୋପରି ଆମକୁ ଆହୁରି ଦଳଗତ ଓ ବ୍ୟବସ୍ଥାଗତ ଉଦ୍ୟମରେ କୋଭିଡର ଦୁଢ ମୁକାବିଲା କରିବାକୁ ପଡିବ ।
ମହାମାରୀ ମୁକାବିଲାରେ ସରକାରଙ୍କ ସାମଗ୍ରିକ ଉଦ୍ୟମ ଥିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ସମଗ୍ର ସରକାର ଏକ ହୋଇଥିଲେ ଏବଂ ସବୁ ମନ୍ତ୍ରଣାଳୟ, ବିଭାଗ ଏକାଠି ହୋଇ ସମର୍ପିତ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଦିଗ୍‌ଦର୍ଶନରେ କାମ କରିଥିଲେ । ଏକାଧିକ ଆନ୍ତଃ ବିଭାଗୀୟ, ଆନ୍ତଃ ବିଷୟକ କ୍ଷମତା ସମ୍ପନ୍ନ ଗୋଷ୍ଠୀ ଏ କ୍ଷେତ୍ରରେ କାମ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲା ।

ପୂର୍ବରୁ ସରକାରୀ କାମରେ ସମନ୍ୱୟର ଅଭାବ ଓ ବିଭାଗ-ବିଭାଗ ମଧ୍ୟରେ ଥିବା ଦୂରତ୍ୱ ସଂସ୍କୃତିର ଅବସାନ ଘଟାଇ ଏକ ନୂଆ କର୍ମସଂସ୍କୃତି ପ୍ରସ୍ତୁତ କରାଯାଇଥିଲା । ସମଗ୍ର ସରକାରର ଆଭିମୁଖ୍ୟ ବା ହୋଲ ଅଫ ଗଭର୍ଣ୍ଣମେଂଟ ଆପ୍ରୋଚ ଯୋଗୁ ତୁରନ୍ତ ନିଷ୍ପତି ଗ୍ରହଣ ସମ୍ଭବ ହୋଇଥିଲା । କରୋନା ବିରୋଧୀ ଲଢେଇର ପ୍ରକ୍ରିୟାରେ ଉଦ୍ୟୋଗଜଗତ ଓ ଜନସାଧାରଣଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଏହି ଲଢେଇରୁ ଆମେ ଯେଉଁ ଶିକ୍ଷା ପାଇଲୁ ଭବିଷ୍ୟତରେ ଏଭଳି କୌଣସି ସମ୍ଭାବ୍ୟ ସ୍ଥିତିର ମୁକାବିଲାରେ ଏହା ଆମକୁ ନିଶ୍ଚିତ ସାହାଯ୍ୟ କରିବ । ସର୍ବୋପରି ଏହି ମହାମାରୀରୁ ଆମେ ଯେଉଁ ଏକ ମୌଳିକ ତଥା ଗୁରୁତ୍ୱପୂର୍ଣ୍ଣ କଥା ଶିଖିଲୁ ତାହା ହେଲା ଜନତା ଓ ସମୁଦାୟଙ୍କ ସହିତ ରୋଗ ସମ୍ବନ୍ଧୀୟ ବ୍ୟାପାରରେ ସ୍ପଷ୍ଟ ଭାବେ ଯୋଗାଯୋଗ ସ୍ଥାପନ ।

ଏହି ବାର୍ତା ପ୍ରଦାନରେ ଭାଷା ଅତ୍ୟନ୍ତଭାବେ ସରଳ, ପ୍ରାଂଜଳ ଓ ବୋଧଗମ୍ୟ ହେବା ଉଚିତ ଯାହାଦ୍ୱାରା ସାଧାରଣ ଲୋକ ବିଜ୍ଞାନର ତଥ୍ୟ ଓ ଗୁରୁତ୍ୱ୍ୱକୁ ବୁଝିପାରିବେ ଓ ଏହା ଉପରେ ଆସ୍ଥା ଏବଂ ବିଶ୍ୱାସ ପ୍ରକଟ କରିବେ । ଲୋକେ ବୁଝୁଥିବା ଭାଷାରେ ତାଙ୍କୁ ରୋଗ ବ୍ୟାଧି, ସଂକ୍ରମଣ ଓ ଔଷଧ, ଚିକିତ୍ସା , ଟିକା, ସେବା ଓ ଯତ୍ନ ଆଦି କଥା କହିବା ସବୁଠୁ ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ । ମହାମାରୀ ସମୟରେ ଡ୍ରୋନ ଭଳି ଆଧୁନିକ ଟେକ୍‌ନୋଲୋଜି ପ୍ରୟୋଗ କରାଯିବା ସହିତ ପାରମ୍ପରିକ ଚିକିତ୍ସା ଉପରେ ଭରସା ରଖିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଟିକାଦାନ ଅଭିଯାନକୁ ସଫଳ କରିବାକୁ ସରକାର ଯଥାସମ୍ଭବ ସବୁ ଉପାୟ ଓ ସାଧନ ଅବଲମ୍ବନ କରିଥିଲେ ।

ବିଶ୍ୱର ଅନେକ ଉନ୍ନତ ଦେଶ ସେମାନଙ୍କର ଟିକାଦାନ କାର‌୍ୟ୍ୟକ୍ରମରେ ବିଶେଷ ଅଗ୍ରଗତି କରିପାରୁ ନ ଥିବାବେଳେ ଭାରତ ଏ କ୍ଷେତ୍ରରେ ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । ଭାରତରେ ବିଜ୍ଞାନ ଚେତନାର ଉନ୍ମୋଷ ଘଟି ଟିକା ନ ନେବା ଓ ଏହାକୁ ବିରୋଧ କରିବା ମନୋଭାବକୁ ଦୂର କରାଯାଇପାରିଛି । ଟିକାକୁ ଦେଶରେ ପ୍ରାୟ ବିରୋଧ ନାହିଁ । ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନବହୁଳ ଦେଶ ହେବା ସତ୍ୱେ ଭାରତରେ ଟିକା ନେବାକୁ ଯୋଗ୍ୟ ଲୋକଙ୍କ ମଧ୍ୟରୁ ୯୬.୭%ଙ୍କୁ ପ୍ରଥମ ଡୋଜ ଓ ୮୯.୨% ଉଭୟ ଡୋଜ କରୋନା ଟିକା ପ୍ରଦାନ କରାଯାଇଛି । ଏହାଛଡା ୧୮.୭ କୋଟି ବୁଷ୍ଟର ଡୋଜ ଲୋକଙ୍କୁ ଦିଆଯାଇଛି । ଠିକ୍ ସମୟରେ ଓ ସୁବିଧାରେ ଟିକା ନେବାକୁ ଦେଶରେ ସ୍ୱତନ୍ତ୍ର ଅଭିଯାନ ଚାଲିଛି ।

ମାନବସମ୍ବଳ ବିକାଶ ରିପୋର୍ଟ ୨୦୨୨ ଅନୁସାରେ ଟିକାଦାନ କାର‌୍ୟ୍ୟକ୍ରମ ଫଳରେ କେବଳ ୨୦୨୧ରେ ବିଶ୍ୱରେ ୨୦ନିୟୁତ କରୋନା ମୃତ୍ୟୁକୁ ଏଡାଇ ଦିଆଯାଇଥିଲା । ବିଭିନ୍ନ ଆହ୍ୱାନ ସତ୍ୱେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରୋନା ମହାମାରୀ ମୁକାବିଲାକୁ ବାସ୍ତବରେ ଏକ ଜନ ଆନ୍ଦୋଳନରେ ପରିଣତ କରିପାରିଛି । ଏଥିରେ ରହିଛି “ସମଗ୍ର ସରକାର” ଆଭିମୁ୍‌ଖ୍ୟ ଓ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସାମିଲ କରିବାର ପ୍ରୟାସ ।

(ଲେଖକ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ)

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ସରକାର କହିଲେ ବର୍ତ୍ତମାନ ରାଜ୍ୟଗୁଡିକୁ ଦିଆଯାଇଛି ୨୯.୩୫ କୋଟି ଡୋଜରୁ ଅଧିକ ଟିକା

ନୂଆଦିଲ୍ଲୀ, ଦେଶବ୍ୟାପୀ ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସହାୟତା ରୂପେ ମାଗଣାରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଯେପରି ସିଧାସଳଖ ଟିକା କ୍ରୟ କରିପାରିବେ ସେନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି । ଟିକାକରଣ, ପରୀକ୍ଷଣ, ଚିହ୍ନଟ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ମହାମାରୀ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଂଶବିଶେଷ ।

କୋଭିଡ-୧୯ ଟିକାକରଣର ଉଦାର ଓ ତ୍ୱରିତ ପର‌୍ୟ୍ୟାୟ-୩ ମେ ୦୧, ୨୦୨୧ରୁ ଆରମ୍ଭ ହୋଇଛି ।

ଏହି ରଣନୀତି ଅନୁଯାୟୀ, ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରି ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକାର ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବେ ।

ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୯.୩୫ କୋଟି ଡୋଜରୁ ଅଧିକ (୨୯,୩୫,୦୪,୮୨୦) ଟିକା ଉପଲବ୍ଧ କରାଇଛନ୍ତି ।

ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୬,୩୬,୨୬,୮୮୪ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।

ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ ୨.୯୮ କୋଟି (୨,୯୮,୭୭,୯୩୬) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି ।

ଏହା ବ୍ୟତୀତ, ବର୍ତ୍ତମାନ ୨,୩୧୦ରୁ ଅଧିକ ଡୋଜ ଟିକା ପାଇପଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।

Categories
ଜାତୀୟ ଖବର ବିଶେଷ ଖବର

ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ଡୋଜରୁ ଅଧିକ ଟିକା, ଭାରତରେ ମୋଟ ଟିକାକରଣ ୧୨ କୋଟିକୁ ଟପିଲା

ନୂଆଦିଲ୍ଲୀ, ଭାରତ ମାତ୍ର ୯୨ ଦିନ ମଧ୍ୟରେ ୧୨ କୋଟିର ଟିକାକରଣ ଲକ୍ଷ୍ୟ ହାସଲ କରିଛି,  ବିଶ୍ୱର ବୃହତମ ଟିକାକରଣ ଅଭିଯାନ କ୍ରମରେ ଭାରତରେ ମୋଟ ୧୨ କୋଟିରୁ ଅଧିକ କୋଭିଡ-୧୯ ଡୋଜ୍ ଟିକାକରଣ ହୋଇପାରିଛି । ଆଜି ସକାଳ ୭ଟା ସୁଦ୍ଧା ୧୮ ଲକ୍ଷ ୧୫ ହଜାର ୩୨୫ ସେସନରେ ମୋଟ ୧୨ କୋଟି ୨୬ ଲକ୍ଷ ୨୨ହଜାର ୫୯୦ ଡୋଜ୍ ଟିକା ଦିଆଯାଇଛି ।

ଏହା ମଧ୍ୟରେ, ୯୧ ଲକ୍ଷ ୨୮ ହଜାର ୧୪୬ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୭ ଲକ୍ଷ ୮ ହଜାର ୨୨୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧ କୋଟି ୧୨ ଲକ୍ଷ ୩୩ ହଜାର ୪୧୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୫ ଲକ୍ଷ ୧୦ ହଜାର ୨୩୮ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪ କୋଟି ୫୫ ଲକ୍ଷ ୯୪ ହଜାର ୫୨୨ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୩୮ ଲକ୍ଷ ୯୧ ହଜାର ୨୯୪ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ୪ କୋଟି ୪ ଲକ୍ଷ ୭୪ ହଜାର ୯୯୩ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦ ଲକ୍ଷ ୮୧ ହଜାର ୭୫୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଦେଶରେ ଦିଆଯାଇଥିବା ମୋଟ ଟିକାକରଣର ୫୯.୫ ପ୍ରତିଶତ ଦିଆଯାଇଛି ଆଠଟି ରାଜ୍ୟରେ । ସେଗୁଡିକ ହେଲା

ଗୁଜରାଟ – ୧ କୋଟି ୩ ଲକ୍ଷ ୩୭ ହଜାର ୪୪୮

ମହାରାଷ୍ଟ୍ର – ୧ କୋଟି ୨୧ ଲକ୍ଷ ୧୨ ହଜାର ୭୩୯

ରାଜସ୍ଥାନ – ୧ କୋଟି ୬ ଲକ୍ଷ ୯୮ ହଜାର ୭୭୧

ଉତ୍ତରପ୍ରଦେଶ -୧ କୋଟି ୭ ଲକ୍ଷ ୧୨ ହଜାର ୭୩୯

ଏପ୍ରିଲ ୧୬ ତାରିଖରେ ଗୁଜରାଟରେ ଏକ କୋଟି ଟିକାକରଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ତିନୋଟି ରାଜ୍ୟରେ ଏହି ଲକ୍ଷ୍ୟ ଏପ୍ରିଲ ୧୪ ତାରିଖରେ ହାସଲ ହୋଇଛି ।

ଭାରତ ମାତ୍ର ୯୨ ଦିନରେ ୧୨ କୋଟି ଡୋଜ୍ ଟିକାକରଣର ଲକ୍ଷ୍ୟ ହାସଲ କରିଛି, ଯାହାକି ବିଶ୍ୱରେ ଦ୍ରୁତତମ । ଏହା ପଛକୁ ଯୁକ୍ତରାଷ୍ଟ୍ର ଆମେରିକା ୯୭ ଦିନରେ ଏବଂ ଚୀନ ୧୦୮ ଦିନରେ ଏହି ଲକ୍ଷ୍ୟ ହାସଲ କରିଛନ୍ତି । ଟିକାକରଣ ଅଭିଯାନର ୯୨ ତମ ଦିବସ ଗତ ୧୭ ଏପ୍ରିଲ ୨୦୨୧ରେ ୨୬ ଲକ୍ଷ ୮୪ ହଜାର ୯୫୬ ଡୋଜ୍ ଟିକା ଦିଆଯାଇଛି । ୩୯ ହଜାର ୯୯୮ ସେସନରେ ୨୦ ଲକ୍ଷ ୨୨ ହଜାର ୫୯୯ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୬ ଲକ୍ଷ ୬୨ ହଜାର ୩୫୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର

ଆମେରିକାକୁ ପଛରେ ପକାଇ ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହେଲା ଭାରତ

ନୂଆଦିଲ୍ଲୀ, ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଦେଶରେ ୧୩,୩୨,୧୩୦ ସେସନ ଜରିଆରେ ମୋଟ ୮,୭୦,୭୭,୪୭୪ ଟିକା ଡୋଜ ପରିଚାଳନା କରାଯାଇ ସାରିଲାଣି । ଏଥିରେ ୮୯,୬୩,୭୨୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୫୩,୯୪,୯୧୩ ସ୍ୱାସ୍ଥ୍ୟ କର୍ମୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ସେହିଭଳି ୯୭,୩୬,୬୨୯ ଫ୍ରଣ୍ଟଲାଇନ କର୍ମଚାରୀ ପ୍ରଥମ ଡୋଜ ନେଇଥିବା ବେଳେ ୪୩,୧୨,୮୨୬ ଫ୍ରଣ୍ଟଲାଇନ କର୍ମଚାରୀ ଦ୍ୱିତୀୟ ଡୋଜ ନେଇସାରିଲେଣି ।

୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୩,୫୩,୭୫,୯୫୩ ହିତାଧିକାରୀ ପ୍ରଥମ ଡୋଜ ଏବଂ ୧୦,୦୦,୭୮୭ ହିତାଧିକାରୀ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସର ୨,୧୮,୬୦,୭୦୯ ହିତାଧିକାରୀ ପ୍ରଥମ ଓ ୪,୩୧,୯୩୩ ହିତାଧିକାରୀ ଦ୍ୱିତୀୟ ଡୋଜ ଗ୍ରହଣ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ଲକ୍ଷରୁ ଅଧିକ ଟିକା ଡୋଜ ପରିଚାଳନା କରାଯାଇଛି ।

ଟିକାକରଣ ଅଭିଯାନର ୮୧ତମ ଦିନ ଅର୍ଥାତ ୨୦୨୧ ଏପ୍ରିଲ ୬ ତାରିଖରେ ୩୩,୩୭,୬୦୧ ଟିକା ଡୋଜ ଦିଆଯାଇଛି । ତନ୍ମଧ୍ୟରୁ ୩୦,୦୮,୦୮୭ ହିତାଧିକାରୀ ୪୧,୩୯୬ ସେସନରେ ପ୍ରଥମ ଡୋଜ ନେଇଥିବା ବେଳେ ୩,୨୯,୫୧୪ ହିତାଧିକାରୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି ।

ଏଭଳି ଘଟଣାକ୍ରମେ କୋଭିଡ ଟିକାକରଣରେ ଆମେରିକାକୁ ଅତିକ୍ରମ କରି ଭାରତ ବିଶ୍ୱର ଦ୍ରୁତତମ ଟିକା ଡୋଜ ପ୍ରଦାନକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଦିନକୁ ଭାରତରେ ହାରାହାରି ୩୦,୯୩,୮୬୧ ଟିକା ଡୋଜ ଦିଆଯାଉଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏବେ ସ୍ବାସ୍ଥ୍ୟକର୍ମୀମାନେ ଟୀକା ନ ନେଲେ ଆଉ ମାଗଣା ଦିଆଯିବ ନାହିଁ, ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର, ବର୍ତ୍ତମାନ ସାରା ଦେଶରେ ସ୍ବାସ୍ଥ୍ୟକର୍ମମାନଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଉଛି। ସେହିପରି ଓଡିଶାରେ ମଧ୍ୟ ଏହି ଟୀକାକରଣ ଚାଲିଛି। ହେଲେ କେତେକ ସ୍ବାସ୍ଥ୍ୟ କର୍ମି ଭୟରେ ଏହି ଟୀକା ନେଉ ନ ଥିବାର ଜଣାପଡିଛି। ଫଳରେ ସ୍ବାସ୍ଥ୍ୟ ବିଭାଗ ଏକ ନୂଆ ନିଷ୍ପତି କରିଛି। ସେହିଅନୁସାରେ ବର୍ତ୍ତମାନ ଯେଉଁମାନେ ଟୀକା ନ ନେବେ ପରବର୍ତ୍ତି ସମୟରେ ସେମାନଙ୍କୁ ଆଉ ମାଗଣା ଟୀକା ଦିଆଯିବ ନାହିଁ।

ଘଟଣାରୁ ଜଣାପଡିଛି ଯେ, ଅନେକ ସ୍ବାସ୍ଥ୍ୟ କର୍ମି ଭୟରେ ଟୀକା ଗ୍ରହଣ କରୁ ନ ଥିବାର ଜଣାପଡିଛି। କାଳେ ପାର୍ଶ ପ୍ରତିକ୍ରିୟା ହେବ ସେହି ଭୟରେ ସେମାନେ ଏହି ଟୀକା ନେଉ ନାହାଁନ୍ତି। ସ୍ବାସ୍ଥ୍ୟ ବିଭାଗରୁ ସେମାନଙ୍କ ପାଖକୁ ମେସେଜ ପଠାଯାଉଥିଲେ ମଧ୍ୟ ସେମାନେ ଆସୁ ନାହାଁନ୍ତି।  ତେବେ ସେମାନଙ୍କୁ ସଚେତନତା କରାଯାଇ ଏହି ଟୀକାକରଣ ଶେଷ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏହାକୁ ନେଇ ବିଭାଗ ବର୍ତ୍ତମାନ ଚିନ୍ତାରେ ପଡିଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନିଜ ସଂସ୍ଥା ଦ୍ବାରା ପ୍ରସ୍ତୁତ କରୋନା ଟିକା ନେଲେ ସେରମ୍‌ ସିଇଓ ଆଦର ପୁନାୱାଲା

ନୂଆଦିଲ୍ଲୀ, ଆଜି କରୋନା ମାହାମାରୀ ମୁକାବିଲା ପାଇଁ ଆରମ୍ଭ ହୋଇଛି ଟୀକାଦାନ ପକ୍ରିୟା। ଦେଶର ପ୍ରାୟ 3 ହଜାର କେନ୍ଦ୍ରରେ ଏହି ଟୀକା ପ୍ରଦାନ କରାଯାଇଛି। ବର୍ତ୍ତମାନ ଭାରତରେ ଦୁଇଟି ଟୀକା, ସେରମ ସଂସ୍ଥାର କୋଭିସିଲ୍ଡ ଏବଂ ଭାରତ ବାଓଟେକର କୋଭାକ୍ସିନକୁ ଅନୁମତି ଦିଆଯାଇଛି।

ତେବେ ଆଜି ଏହି ମାହାମାରୀ ମୁକାବିଲା ପାଇଁ ଚାଲିଥିବା ଟୀକାଦାନ ଦିବସରେ ସାମିଲ ହୋଇଛନ୍ତି ଖୋଦ ସେର ସଂସ୍ଥାର ସିଇଓ ଆଦର ପୁନାୱାଲା। ସେ ନିଜ ଦେହରେ ଏହି ଟୀକାକୁ ନେଇ ସାରା ବିଶ୍ବବାସୀଙ୍କୁ ନିଜ ଟୀକାର ମହତ୍ବ ବୁଝାଇ ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଆଜି ଦେଶର ସ୍ବାସ୍ଥ୍ୟ କର୍ମିଙ୍କୁ ଦିଆଯାଉଥିବା ଟୀକାକରଣରେ ନିଜକୁ ସାମିଲ କରି ଧନ୍ୟ ମନେକରୁଛି।

Categories
ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଆରମ୍ଭ ହେଲା କରୋନା ଟୀକାକରଣ, ଟୀକା ନେବା ପରେ କଣ କହିଲେ ଶୁଣନ୍ତୁ

ଭୁବନେଶ୍ବର, ଓଡିଶାରେ କରୋନା ଟୀକାକରଣ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ସଚିବଙ୍କ ଉପସ୍ଥିତିରେ କ୍ୟାପିଟାଲ ହସପିଟାଲରେ ଏହାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଟୀକା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ ଡ.ଲକ୍ଷ୍ମୀଧର ସାହୁ ଟୀକା ନେଇଥିଲେ। ଟୀକା ପରେ ଉଭୟଙ୍କୁ କିଛି ସମୟ ପାଇଁ ଅବଜରଭେସନରେ ରଖାଯାଇଥିଲା।

ଏହାପରେ ନିର୍ଦ୍ଦେଶକ ବାହାରକୁ ଆସି ନିଜର ଅନୁଭବ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ସାଧାରଣ ଇଂଜେକସନ ନେଲେ ଯେପରି ଅନୁଭବ ହୁଏ ସେହିପରି ଲାଗିଲା। ଏଥିରେ କୌଣସି ନୂତନତ୍ବ ନାହିଁ। ଏହାପରେ କିଛି କଣ ହେବ ବୋଲି ଅବଜରଭେସନରେ ରଖାଯାଇଥିଲା। ହେଲେ ସେମିତି କିଛି ସାଇଡ ଇଫେକ୍ଟ ହେଲା ନାହିଁ। ବର୍ତ୍ତମାନ ସାଧାରଣ  ପରି ଲାଗୁଛି।

ସେ କହିଥିଲେ ଯେ, ଆମେ ଯେହେତୁ ଡାକ୍ତରୀ ସେବାରେ ଅଛୁ, ଆମେ ଜାଣିଛୁ ଯେ, ଏହି ଟୀକା କିପରି ପ୍ରସ୍ତୁତ ହୋଇଛି। ସେ ସଂପର୍କରେ ଆମେ ଅବଗତ ଅଛୁ। ତେଣୁ ଆମେ ନିଶ୍ଚିତ ହେଲୁ ଯେ, ଏହି ଟୀକା ନେବାରେ କିଛି ଅସୁବିଧା ନାହିଁ। ଏଥିସହିତ ସମସ୍ତଙ୍କୁ ଆମେ ଆହ୍ବାନ କରୁଛୁ ଯେ, ସମସ୍ତେ ଟୀକା ନିଅନ୍ତୁ। କରୋନା ମହାମାରୀକୁ ବିଶ୍ବରୁ ହଟାଇ ଦିଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ଏମସର ନିର୍ଦ୍ଦେଶକ ନେଲେ କରୋନା ଟୀକା, ସମସ୍ତଙ୍କୁ ଟୀକା ନେବାକୁ ଦେଲେ ଉପଦେଶ

ନୂଆଦିଲ୍ଲୀ, ଆଜି ସାରା ଭାରତରେ ଆରମ୍ଭ ହୋଇଛି କୋଭିଡ ଟୀକାକରଣ। ପ୍ରଥମେ ନୂଆଦିଲ୍ଲୀରେ ଏହି ଟୀକକରଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଏହି ବଡ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ପ୍ରଥମେ ନୂଆଦିଲ୍ଲୀର ଏମସରେ ଏହି ଟୀକା କରଣ କରାଯାଇଛି। ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏହି ଟୀକା ପ୍ରଦାନ କରାଯାଇଥିଲା। ସ୍ବାସ୍ଥ୍ୟ କର୍ମିମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୀ ତଥ୍ୟ ସଂଗ୍ରହ କରିବା ପରେ ଟୀକା ପ୍ରଦାନ କରିଥିଲେ। ପାଖରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହଷବର୍ଦ୍ଧନ।

ଏହାପରେ ଦ୍ବିତୀୟ ଟୀକା ଗ୍ରହଣ କରିଥିଲେ ଏମସରେ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ। ତାଙ୍କୁ ଏମସର ସ୍ବାସ୍ଥ୍ୟ କର୍ମି ତାଙ୍କ ଦେହରେ ଏହି ଟୀକାକରଣ କରିଥିଲେ। ଟୀକାକରଣ ପରେ ସେମାନଙ୍କୁ କିଛି ସମୟ ପାଇଁ ଅବଜରଭେସନରେ ରଖାଯାଇଥିଲା। ବାହାରକୁ ଆସିବା ପରେ ଲୋକମାନେ ସମସ୍ତେ ଟୀକା ନେବାକୁ ଆହ୍ବାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତାକାଲି କୋରନା ଟିକାକରଣ, ସାରା ଦେଶରେ ହେଲା ୩ ହଜାର ୬ ଶହ କେନ୍ଦ୍ର, ସ୍ବାସ୍ଥ୍ୟ ମନ୍ତ୍ରୀ କଲେ ସମୀକ୍ଷା

ନୂଆଦିଲ୍ଲୀ, ଆସନ୍ତାକାଲି ଦେଶବ୍ୟାପୀ ଆରମ୍ଭ ହେଉଥିବା କୋଭିଡ୍‍ ଟିକାକରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦର କାର୍ଯ୍ୟାଳୟ ଦିଲ୍ଳୀର ନିର୍ମାଣ ଭବନ ପରିସରରେ ଖୋଲାଯାଇଥିବା ଉତ୍ସର୍ଗୀକୃତ କୋଭିଡ୍‍ ନିୟନ୍ତ୍ରଣକକ୍ଷ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ଏହି କୋଭିଡ୍‍ ଟିକାଦାନ କାର‌୍ୟ୍ୟକ୍ରମର ଶୁଭାରମ୍ଭ ଭିଡିଓ କନ୍‍ଫରେନ୍‍ସିଂ ବ୍ୟବସ୍ଥାରେ କରିବେ।

ସମଗ୍ର ଦେଶରେ ଏହି ଟିକା ଆସନ୍ତାକାଲି ପ୍ରଦାନ କରାଯିବ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଥିପାଇଁ ମୋଟ ୩୬୦୦ କେନ୍ଦ୍ର ଖୋଲାଯାଇଛି । ସବୁ କେନ୍ଦ୍ରକୁ ଭର୍ଚୁଆଲ ବ୍ୟବସ୍ଥା ଦ୍ୱାରା ସଂଯୋଗ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ କାଲି ପ୍ରାୟ ୧୦୦ ଜଣ ଲୋକଙ୍କୁ ଟିକା ପ୍ରଦାନ କରାଯିବ। ଲୋକଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଓ ବୟସକୁ ଦେଖି ପର‌୍ୟ୍ୟାୟକ୍ରମେ ଏହି ଟିକା ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ପ୍ରଥମ ପର‌୍ୟ୍ୟାୟରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଉଭୟ ସରକାରୀ, ବେସରକାରୀ କର୍ମୀ ଓ କର୍ମଚାରୀ, ସମନ୍ୱିତ ଶିଶୁ ବିକାଶ ବିଭାଗର କର୍ମୀଙ୍କୁ ଏହି ଟିକା ଦିଆଯିବ ।

କୋଭିଡ୍‍ ନିୟନ୍ତ୍ରଣକକ୍ଷ ପରିଦର୍ଶନ କରିବା ଅବସରରେ ଟିକାକରଣ ବ୍ୟବସ୍ଥା ତଦାରଖ କରିବା ପାଇଁ ଉଦ୍ଦିଷ୍ଟ କୋ-ୱିନ୍‍ କିପରି କାମ କରୁଛି ତାହାର ବିଭିନ୍ନ ଦିଗ ସ୍ୱାସ୍ଥ୍ୟମନ୍ତ୍ରୀ ଟିକିନିଖି ଅନୁଧ୍ୟାନ କରିଥିଲେ। ଏହି କୋ-ୱିନ୍‍ ଏକ ଅନ୍‍ଲାଇନ ଡିଜିଟାଲ ପ୍ଲାଟଫର୍ମ ଏବଂ ଏହା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ହୋଇଛି। କରୋନା ଟିକାଦାନ କାର‌୍ୟ୍ୟକ୍ରମ ପାଇଁ ଏହାକୁ ନିୟନ୍ତ୍ରକଭାବେ ବ୍ୟବହାର କରାଯିବ। ଏଥିରେ ବିଭିନ୍ନ ସ୍ଥାନରେ ମହଜୁଦ ଥିବା ଟିକାର ପରିମାଣ, ଶୀତଳ ଭଣ୍ଡାରର ତାପମାତ୍ରା, ଟିକା ନେଉଥିବା ବା ନେବାକୁ ଥିବା ବ୍ୟକ୍ତିବିଶେଷଙ୍କୁ ଠାବ କରିବା ଆଦି ସବୁ ତଥ୍ୟ ନିଖୁଣଭାବେ ତତ୍କାଳ ଉପଲବ୍‍ଧ।

ଏହି ଡିଜିଟାଲ ପ୍ଲାଟଫର୍ମ ମଧ୍ୟ ଟିକାଦାନ ସମୟରେ ଜାତୀୟ, ରାଜ୍ୟ ଓ ଜିଲାସ୍ତରରେ ପ୍ରୋଗ୍ରାମ ମ୍ୟାନେଜରମାନଙ୍କୁ ତଥ୍ୟାବଳୀ ଯୋଗାଇ ସାହାଯ୍ୟ କରିବ। କେଉଁ କେନ୍ଦ୍ରରେ କେତେବେଳେ କେତେ ଲୋକ ଟିକା ନେଲେ, କେତେ ଆସିଲେ ନାହିଁ, ଟିକା ନେଇଥିବା ଲୋକଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଆଦି ସବୁ ତଥ୍ୟ ଏହା ଯୋଗାଇଦେବ ଓ ତାହାର ତଦାରଖ କରିବ। ଏହି ପ୍ଲାଟଫର୍ମରୁ ମଧ୍ୟ ଜାତୀୟ ଓ ପ୍ରାଦେଶିକ ପ୍ରଶାସକମାନେ ଟିକାକରଣ ସଂକ୍ରାନ୍ତ ସମସ୍ତ ତଥ୍ୟ ପାଇପାରିବେ । ଟିକା ନେବାକୁ ଥିବା ଲୋକଙ୍କ ସଂଖ୍ୟା, ସେମାନଙ୍କର ଲିଙ୍ଗ, ବୟସ ଏବଂ କାହାର ଯଦି ପୁରୁଣା ଗୁରୁତର ବ୍ୟାଧି ଥାଏ ଏଥିରୁ ସବୁ ତଥ୍ୟ ମିଳିବ।

ଟିକାଦାନ ପରେ ଟିକା ଗ୍ରହୀତାଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି, ଯଦି କାହାରି କିଛି ଅସୁବିଧା ଘଟିଥାଏ ସେ ସଂକ୍ରାନ୍ତ ତଥ୍ୟାବଳୀ ମଧ୍ୟ ଏହି ପ୍ଲାଟଫର୍ମରୁ ଉପଲବ୍‍ଧ ହୋଇପାରିବ। ପ୍ରତ୍ୟେକ ହିତାଧିକାରୀଙ୍କ ନାମ, ଗାଁ, ଜିଲା ଓ କେନ୍ଦ୍ର ଆଦି ଏଥିରେ ରହିବ। ଏହି କୋ-ୱିନ ପ୍ଲାଟର୍ଫମଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ। ଭାରତରେ ପୂର୍ବରୁ ଚାଲିଆସୁଥିବା ସାର୍ବଜନୀନ ଟିକାକରଣ କାର‌୍ୟ୍ୟକ୍ରମରେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍‍ ଟିକାପାଇଁ ଏଥିରେ ସଫ୍‍ଟୱେୟାରରେ କେତେକ ପରିବର୍ତ୍ତନ କରାଯାଇଛି।

ମନ୍ତ୍ରୀ ହର୍ଷବର୍ଦ୍ଧନ କୋ-ୱିନ୍‍ରୁ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପୀଜକରଣ ପୃଷ୍ଠା ସମୀକ୍ଷା କରିଥିଲେ। ଏଥିରେ ଅଗ୍ରାଧିକାର ପାଇ ନ ଥିବା ବ୍ୟକ୍ତିବିଶେଷଙ୍କ ସଂପର୍କରେ ସେ ଅବଗତ ହୋଇଥିଲେ। ଏହି ସଫ୍‍ଟୱେୟାରକୁ ଇଲେକ୍‍ଟୋରାଲ ଡାଟାବେସ ସହିତ ସିଡିଂ କରି ହିତାଧିକାରୀଙ୍କୁ ଅବଗତ କରାଇବାକୁ ସେ ପ୍ରସ୍ତାବ ଦେଇଥିଲେ । ଟିକା ନେବା ପାଇଁ ପୀକରଣ କରିବାକୁ ହେଲେ କେଉଁ କେଉଁ ତଥ୍ୟାବଳୀ ଦେବାକୁ ପଡିବ ତାହାର ସୂଚନା ଦେବାକୁ ମଧ୍ୟ ସେ କହିଥିଲେ। ଏହି ଉତ୍ସର୍ଗୀକୃତ କୋଭିଡ୍‍ ନିୟନ୍ତ୍ରଣକକ୍ଷ ଦେଶବ୍ୟାପୀ ଟିକାଦାନ ସଂକ୍ରାନ୍ତ ସମସ୍ତ ତଥ୍ୟାବଳୀ ସଂଗ୍ରହ କରିବା ପରେ ସେଗୁଡିକର ଟିକିନିଖି ଅନୁଶୀଳନ କରାଯିବ।

ମହାମାରୀ ସ୍ଥିତିର ମୂଲ୍ୟାୟନ କରିବାରେ ଏହା ସହାୟକ ହେବ। ଗତ କେଇମାସ ଧରି ଏହି ନିୟନ୍ତ୍ରଣକକ୍ଷରୁ କୋଭିଡ୍‍ ସଂକ୍ରାନ୍ତ ବିଭିନ୍ନ ତଥ୍ୟାବଳୀ ସଂଗ୍ରହ କରାଯିବା ସହ ମହାମାରୀର ସ୍ଥିତି ପର‌୍ୟ୍ୟବେକ୍ଷଣ କରାଯାଉଛି। କେନ୍ଦ୍ରମନ୍ତ୍ରୀ ମଧ୍ୟ ଆଜି ଯୋଗାଯୋଗ ନିୟନ୍ତ୍ରଣକକ୍ଷର କାର‌୍ୟ୍ୟ ସମୀକ୍ଷା କରିଥିଲେ । ଟିକା ଓ ଟିକାଦାନ ସଂପର୍କରେ ଯେଉଁସବୁ ଗୁଜବ ଓ ଅପପ୍ରଚାର ଚାଲିଛି ଏହି କକ୍ଷ ତାହାକୁ ପର‌୍ୟ୍ୟବେକ୍ଷଣ କରିବା ସହ ତାହା ଉପରେ ନଜର ରଖିଛି ।

କୋଭିଡ୍‍ ଟିକା ବିରୋଧରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଚଳାଇଥିବା ଅପପ୍ରଚାର ଓ ଗୁଜବକୁ ଖଣ୍ଡନ କରିବା ପାଇଁ ପୂରାଦମ କାର‌୍ୟ୍ୟ କରିବାକୁ ସେ ପ୍ରଶାସନିକ କଳକୁ ନିର୍ଦେଶ ଦେଇଛନ୍ତି । ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତରେ ଏହି କୋଭିଡ ଟିକାଦାନ ପ୍ରକ୍ରିୟା ପୃଥିବୀର ସର୍ବବୃହତ୍‍ ଟିକାକରଣ ଅଭିଯାନରେ ପରିଣତ ହେବାକୁ ଯାଉଛି । ଦେଶୀ ଜ୍ଞାନକୌଶଳରେ ନିର୍ମିତ ଉଭୟ କୋଭିସିଲ୍ଡ ଓ କୋଭାକ୍‍ସିନ ଟିକା ନିରାପଦ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ସେ କହିଛନ୍ତି ଯେ ଏହି ଟିକା କରୋନା ମହାମାରୀ ରୋକିବାରେ ସଫଳ ହେବା ନେଇ ପରୀକ୍ଷାରୁ ଜଣାପଡିଛି ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରସ୍ତୁତ ହୋଇଯାଆନ୍ତୁ, ଆପଣଙ୍କୁ କୋଭିଡ ଟିକା ଦେବାର ସମୟ ଆସିଗଲା, ଆଜି ସମସ୍ତ ଜିଲ୍ଲାକୁ ପଠାଗଲା

ଭୁବନେଶ୍ବର, ବହୁ ପ୍ରତିକ୍ଷିତ କୋଭିଡ ଟିକା ଶେଷରେ ବାହାରିଲା ଏବଂ ଭୁବନେଶ୍ବରରେ ମଧ୍ୟ ପହଁଚିଲା। ଏହା ନିଶ୍ଚିତ ଖୁସିର କଥା। ଗତକାଲି ବିମାନରେ ଏହି ଟିକା ଆସିବା ପରେ ସେଗୁଡିକୁ ଭୁବନେଶ୍ବରର ଔଷଧ ନିଗମରେ ଥିବା ଭ୍ୟାକସିନ ଭଣ୍ଡାରରେ ରଖାଯାଇଛି।

ବର୍ତ୍ତମାନ ଓଡିଶାକୁ ସେରମ ସଂସ୍ଥା ପ୍ରସ୍ତୁତ କୋଭିସିଲ୍ଡ 40 ହଜାର 8 ଶହ ଭାଲ ଆସିଛି। ଯାହାକି 4 ଲକ୍ଷ 8 ହଜାର ଡୋଜ ହେବ। ଏଗୁଡକ 12ଶହ କେଜି ଓଜନର 34ଟି ପ୍ୟାକେଟରେ ଆସିଛି। ତେବେ ଏହି ଟିକା ଦୁଇଟି ଡୋଜରେ ଦିଆଯିବ। ସେହି ଅନୁସାରେ ବର୍ତ୍ତମାନ ଯେତିକି ଟିକା ଆସିଛି ସେଥିର 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯାଇପାରିବ।

ଭୁବନେଶ୍ବର ଭ୍ୟାକସିନ ଭଣ୍ଡାରରୁ ଟିକା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି। ପ୍ରଥମ ଡୋଜ ପାଇଁ ଯେତିକି ଟିକା ଆବଶ୍ୟକ ସେତିକି ଟିକା ଜିଲ୍ଲା କେନ୍ଦ୍ରକୁ ପଠାଯିବ। ତାହା ଶେଷ ହେବା ପରେ ଦ୍ବୀତିୟ ଡୋଜ ଦେବା ବେଳେ ପୁଣି ପଠାଯିବ ବୋଲି ନିଷ୍ପତି ହୋଇଛି।

ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରୁ ସେଗୁଡିକ ବିଭିନ୍ନ ଆଞ୍ଚଳିକ କେନ୍ଦ୍ରକୁ ପଠାଯିବ। ସେଥିପାଇଁ ସରକାର 160 କେନ୍ଦ୍ର କରିଛନ୍ତି। ଅନୁଗୋଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ  ଟୀକାକରଣ କେନ୍ଦ୍ର କରାଯାଇଛି।

ସେହିପରି ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ବାଲେଶ୍ୱର, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫ଟି ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ୬ଟି ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ୭ଟି ଲେଖାଏଁ କେନ୍ଦ୍ର ହୋଇଛି।

କଟକ, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ୮ଟି ଲେଖାଏଁ ଏବଂ ମୟୂରଭଞ୍ଜ ଜିଲ୍ଲାର ୧୦ଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟ ହେବ । ଏହି ପରି ୩୦ଟି ଜିଲ୍ଲା ଏବଂ ୫ଟି ମହାନଗର ନିଗମ ଅଞ୍ଚଳର ୧୬୦ଟି କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌-୧୯ ଟୀକାକରର ପାଇଁ ଚିହ୍ନଟ କରାଯାଇଛି ।

ପ୍ରଥମ ପର୍ଯ୍ୟାରେ ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟିକା ଦେବା ପାଇଁ ସରକାର ନିଷ୍ପତି କରିଛନ୍ତି। ଏହି ସ୍ବାସ୍ଥ୍ୟ କର୍ମିଙ୍କ ମଧ୍ୟରେ ଯେଉଁମାନେ ବୟସ୍କ ସେମାନେ ପ୍ରଥମେ ଟିକା ନେବେ। ତେବେ ଏହି ଟିକା ବକ୍ସ ବା ଭାଲକୁ ଥରେ ଖୋଲାଗଲେ ସେଥିରେ ଯେତେ ଟିକା ଥିବା ତାହା ସାରିବାକୁ ପଡିବ। କାରଣ ତାହାକୁ ଆଉ ସିଲ କରିହେବ ନାହିଁ।

ସେଥିପାଇଁ ପ୍ରାରମ୍ଭିକ ସ୍ତରରେ ଯେଉଁ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଅଧିକ ସଂଖ୍ୟକ କର୍ମଚାରୀ ଅଛିନ୍ତି ସେଠାକୁ ଏହା ପଠାଯିବ। ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି ଯେ ଏହି ପଦ୍ଧତିରେ ଅତିକମରେ 10 ପ୍ରତିଶତ ଟିକା ନଷ୍ଟ ହେବାର ସମ୍ଭାବନା ରହିଛି।ଗୋଟିଏ ଗୋଟିଏ କେନ୍ଦ୍ରରେ ଶହେ ଜଣଙ୍କୁ ଟିକା ଦେବାର ବନ୍ଦୋବସ୍ତ କରାଯାଇଛି।

ପ୍ରଥମେ ଯିଏ ଏହି ଟିକା ନେଇଥିବେ ତାଙ୍କୁ ଦ୍ବିତୀୟ ଡୋଜ ବେଳକୁ ସେହି ସମାନ କଂପାନୀର ଟିକା ପ୍ରଦାନ କରାଯିବ। ସେଥିପାଇଁ ଟିକାକରଣରେ ଯେଉଁଣାନେ ଅଛନ୍ତି ସେମାନଙ୍କୁ ଏଥିପ୍ରତି ସତର୍କ ରହିବା ପାଇଁ କୁହାଯାଇଛି। ରାଜ୍ୟରେ ବର୍ତ୍ତମାନ 3 ଲକ୍ଷ 33 ହଜାର ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟିକା ଦିଆଯିବ ବୋଲି ତାଲିକା ପ୍ରସ୍ତୁତ କରାଯାଇଛି।

ସ୍ବାସ୍ଥ୍ୟ କର୍ମିଙ୍କୁ ଟିକାକରଣ କାର୍ଯ୍ୟ ଆସନ୍ତା 16 ତାରିଖରୁ ଆରମ୍ଭ ହେବ। ଏହା ପ୍ରାୟ ଦୁଇ ସପ୍ତାହ ଲାଗିବ ବୋଲି ଜଣାପଡିଛି। ଏହାପରେ ସାଧାରଣ ବରିଷ୍ଠ ଲୋକେ ଏବଂ ରୋଗୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ। ଯଦି ଠିକ ସମୟରେ ଟିକା ଉପଲବ୍ଧ ହୁଏ ତେବେ ସମସ୍ତଙ୍କୁ ଟିକା ଦେବା ବେଳକୁ ଫେବୃୟାରୀ ଦ୍ବିତୀୟ ସପ୍ତାହ ହେବ ବୋଲି ଜଣପଡିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତାକାଲି ପୁଣି ଥରେ ହେବ କୋଭିଡ଼ ଟିକାଦାନର ମକ୍‍ ଡ୍ରିଲ୍‍,୩ ଲକ୍ଷ ଟିକାଦାନକାରୀ ହେବେ ସାମିଲ

ନୂଆଦିଲ୍ଲୀ, ଦେଶବ୍ୟାପୀ କୋଭିଡ଼ ୧୯ ପ୍ରତିଷେଧକ ଟିକାଦାନ ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଗୁଆ ସକାରାତ୍ମକ ପଦକ୍ଷେପ ଗ୍ରହଣ ସ୍ୱରୂପ ଏଭଳି ଅଭ୍ୟାସ ଟିକାଦାନ ପ୍ରକ୍ରିୟା କରାଯାଉଛି ଏବଂ ସେଥିରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ସରକାର ତଥା ଅନ୍ୟ ହିତଧାରକମାନଙ୍କ ସହଯୋଗ ନିଆଯାଇଛି। ଗତ କିଛି ମାସ ଧରି କୋଭିଡ଼ ୧୯ ପ୍ରତିଷେଧକ ଟିକାଦାନ ଯେଭଳି ଦେଶବ୍ୟାପୀ ସୁରୁଖୁରୁ ଭାବେ ସମ୍ପାଦନ କରାଯାଇ ପାରିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି।

ଭାରତୀୟ ଭେଷଜ ମହାନିର୍ଦ୍ଦେଶକ (ଡିସିଜିଆଇ)ଙ୍କ ପକ୍ଷରୁ ନିକଟରେ ଦେଶରେ ଜରୁରିକାଳୀନ ଭିତ୍ତିରେ ଦୁଇଟି କୋଭିଡ଼ ପ୍ରତିଷେଧକ ଟିକା ପ୍ରଦାନ ନିମନ୍ତେ ମଂଜୁରି ପ୍ରଦାନ କରାଯାଇଛି । ନିକଟ ଭବିଷ୍ୟତରେ କୋଭିଡ଼ ୧୯ ପ୍ରତିଷେଧକ ଟିକା ରୋଗୀମାନଙ୍କୁ ଦେବାଲାଗି ଉପଲବ୍ଧ ହେବାର ଆଶା କରାଯାଉଛି । ତେଣୁ ଦେଶବ୍ୟାପୀ ଏଭଳି ଟିକାଦାନ ପ୍ରକ୍ରିୟାକୁ ଯୋଜନାବଦ୍ଧ ଭାବେ ସାକାର କରିବା ନିମନ୍ତେ ଏକ ସୁବ୍ୟବସ୍ଥିତ ‘ମକ୍‍ ଟିକାଦାନ’ ଅଭିଯାନ ସଂପାଦନ କରାଯାଉଛି ।

ବାସ୍ତବ ଟିକାଦାନ ପୂର୍ବରୁ ଏକ ପ୍ରୋତ୍ସାହନ ପ୍ରକ୍ରିୟା ଭାବେ, ଆଉ ଏକ ପର‌୍ୟ୍ୟାୟ ‘ଡ୍ରାଏ ରନ୍‍ ବା ମକ୍‍ ଡ୍ରିଲ୍‍ ଦେଶର ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ୭ଶହ ଜିଲ୍ଲାରେ ଜାନୁଆରୀ ୮ ତାରିଖ ଦିନ ସମ୍ପାଦନ କରାଯିବ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ କୋଭିଡ଼ ୧୯ ପ୍ରତିଷେଧକ ଟିକାର ଯୋଗାଣ ଏବଂ ପ୍ରଦାନକୁ ଯୋଜନାବଦ୍ଧ ଭାବେ ସମ୍ପନ୍ନ କରିବା ହେଉଛି ଏହାର ଉଦ୍ଦ୍ୟେଶ। ପ୍ରତ୍ୟେକ ଜିଲ୍ଲା ଏହି ଡ୍ରାଏ ରନ୍‍ ଟିକାଦାନ ସକାଶେ ତିିନି ପ୍ରକାରର କାର‌୍ୟ୍ୟାନ୍ୱୟନ ସ୍ଥାନ; ଯାହାକି ପୂର୍ବ ଥରର ଡ୍ରାଏ ରନ୍‍ ଭଳି ହୋଇଥିବ ସେସବୁକୁ ସରକାରୀ ସ୍ୱାସ୍ଥ୍ୟ ସେବାକେନ୍ଦ୍ର , ଘରୋଇ ଫାସିଲିଟି ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଆଉଟରିଚ୍‍ ସାଇଟ ଆଦିରେ ସଂପାଦନ କରିବେ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଜାନୁଆରୀ ୭, ୨୦୨୧ ତାରିଖ ଦିନ ଏକ ବୈଠକରେ ଆଲୋଚନା କରିବେ ଯେଉଁଥିରେ ଏହି ଡ୍ରାଏ ରନ୍‍ ଟିକାଦାନ ସଂପର୍କରେ ଆଲୋଚନା କରାଯିବାକୁ ସ୍ଥିର ହୋଇଛି। ଏଭଳି ଟିକାଦାନ ଅଭିଯାନର ସମସ୍ତ ଯୋଜନା ଯେଉଁଥିରେ ହିତାଧିକାରୀ ପଂଜୀକରଣ, ମାଇକ୍ରୋପ୍ଲାନିଂ ଏବଂ ସ୍ଥିରୀକୃତ ସ୍ଥାନ ଓ ସମୟରେ ଟିକାଦାନ ଇତ୍ୟାଦି କାର‌୍ୟ୍ୟ ଜିଲ୍ଲା କଲେକ୍ଟର ବା ଜିଲ୍ଳା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ପରୀକ୍ଷଣ କରାଯିବ।

ଏଭଳି କୋଭିଡ଼ ୧୯ ପ୍ରତିଷେଧକ ଟିକା ସଂପର୍କୀତ ସମସ୍ତ କାର୍ଯ୍ୟାବଳୀ ଏହି ଡ୍ରାଏ ରନ୍‍ ବେଳେ ରାଜ୍ୟ, ଜିଲ୍ଲା, ବ୍ଲକ୍‍ ଏବଂ ହସପିଟାଲ ସ୍ତରର ଅଧିକାରୀମାନଙ୍କୁ ଉତ୍ତମ ରୂପେ ସୂଚନା ଦିଆଯିବ।ଏହା ଫଳରେ ସବୁ ସ୍ତରରେ ସ୍ଥାନୀୟ ପ୍ରଶାସନ ଟିକାଦାନର ଯୋଜନା, ପ୍ରବର୍ତ୍ତନ ଏବଂ ରିପୋଟିଂ ବ୍ୟବସ୍ଥା, ବାସ୍ତବ ଟିକାଦାନ ପୂର୍ବରୁ ଯେକୌଣସି ପ୍ରକାର ଚାଲେଞ୍ଜକୁ ଚିହ୍ନଟ ଏବଂ ସେଭଳି ସମସ୍ୟାର ଦୂରୀକରଣ ତଥା କାର‌୍ୟ୍ୟକ୍ରମ ପରିଚାଳକମାନଙ୍କ ମନୋବଳ ବୃଦ୍ଧି କରାଯାଇପାରିବ ଏବଂ ସମଗ୍ର ଦେଶରେ ପ୍ରତିଷେଧକ ଟିକାଦାନ କାର‌୍ୟ୍ୟ ସୁଚାରୁରୂପେ ସଂପାଦନ ହୋଇପାରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି କାର‌୍ୟ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ନିରବଚ୍ଛିନ୍ନ ଭାବେ ଯୋଗାଯୋଗରେ ରହିବା ସହ ସେମାନଙ୍କ ଠାରୁ ପ୍ରତିକ୍ରିୟା ସଂଗ୍ରହ କରିବେ ଏବଂ ସେମାନଙ୍କୁ ସକଳ ପ୍ରକାର ସହଯୋଗ ଯୋଗାଇଦେବେ । ଏଥିସହ ବାସ୍ତବ ଟିକାଦାନ ପୂର୍ବରୁ ଉତ୍ପନ୍ନ ଯେକୌଣସି ପ୍ରକାର ଚାଲେଞ୍ଜକୁ ଚିହ୍ନଟ କରିବା ସହ ସେସବୁକୁ ନିର୍ଦ୍ଧାରିତ ସମୟରେ ସମାଧାନ କରିବା ସୁନିଶ୍ଚିତ କରିବେ।

ସମଗ୍ର ଟିକାଦାନ ଡ୍ରାଏ ରନ୍‍ ପ୍ରକ୍ରିୟାକୁ ସାକାର କରିବା ନିମନ୍ତେ “କୋ-ୱିନ” ନାମକ ଏକ ସଫ୍ଟୱେର୍‍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି ଯାହା ମାଧ୍ୟମରେ କେତେ କୋଭିଡ଼ ୧୯ ଟିକା ମହଜୁଦ ରହିଛି, ସେସବୁର ଭଣ୍ଡାରଣ ତାପମାତ୍ରା କେତେ ଏବଂ ପ୍ରତ୍ୟେକ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଟ୍ରାକିଂ କରିବା କାର‌୍ୟ୍ୟ ରିଅଲ ଟାଇମ ଭିତ୍ତିରେ ସଂପାଦନ କରାଯାଇପାରିବ।

ଏହି ସଫ୍ଟୱେର ସମସ୍ତ ସ୍ତରରେ କାର‌୍ୟ୍ୟକ୍ରମ ପରିଚାଳକମାନଙ୍କୁ ସହାୟତା ଯୋଗାଇଦେବ ଯଦ୍ୱାରା ସେମାନେ ଏହି ଟିକା ଦାନ ଅଧିବେଶନକୁ ସୁରୁଖୁରୁ ଭାବେ ସମ୍ପାଦନ କରିପାରିବେ। ଏଥିପାଇଁ ଏକ ୨୪*୭ କଲ୍‍ ସେଣ୍ଟର ସ୍ଥାପନ କରାଯାଇଛି ଯାହା କୋ-ୱିନ ବ୍ୟବହାରକାରୀମାନଙ୍କୁ ସମସ୍ତ ପ୍ରକାର ଟେକ୍ନିକାଲ ପ୍ରଶ୍ନାବଳୀର ଉତ୍ତର ଯୋଗାଇଦେବ । ସେହିଭଳି କୋଲ୍ଡ ଚେନ୍‍ ସଂସାଧନ ଯଥା ବହନକାରୀ ଫ୍ରିଜର, ବରଫ ଲାଇନଯୁକ୍ତ ରେଫ୍ରିରିଜେଟର, ଡିପ୍‍ ଫ୍ରିଜର ଇତ୍ୟାଦି ଏବଂ ପର‌୍ୟ୍ୟାପ୍ତ ପରିମାଣର ସିରିଞ୍ଜ୍‍ ଓ ଅନ୍ୟାନ୍ୟ ଲଜିଷ୍ଟିକ୍ସ କୋଭିଡ଼ ୧୯ ଟିକାଦାନ ଅଭିଯାନ ନିମନ୍ତେ ସୁନିଶ୍ଚିତ କରାଯାଇଛି।

ସାରା ଦେଶରେ ପ୍ରାୟ ୧.୭ ଲକ୍ଷ ଟିକାଦାନକାରୀ ଏବଂ ୩ ଲକ୍ଷ ଟିକାଦାନ ଟିମ୍‍ ସଦସ୍ୟମାନଙ୍କୁ ଏବେସୁଦ୍ଧା ତାଲିମ ପ୍ରଦାନ ପ୍ରକ୍ରିୟା ଜାରି ରହିଛି, ଯାହାକି ଟିକାଦାନ ସ୍ଥଳରେ ସୁଚାରୁରୂପେ ସେମାନଙ୍କର ଦାୟିତ୍ୱ ସଂପାଦନରେ ସହାୟକ ହେବ। ଟିକାଦାନ କେନ୍ଦ୍ରରେ ହିତାଧିକାରୀଙ୍କ ତନଖି, ଟିକା ଦାନ, କୋଲ୍ଡ ଚେନ୍‍ ଓ ଲଜିଷ୍ଟିକ୍ସ ପରିଚାଳନା, ବାୟୋ ମେଡ଼ିକାଲ ବର୍ଜ୍ୟ ପରିଚାଳନା, ଏଇଏଫଆଇ ପରିଚାଳନା ଏବଂ କୋ-ୱିନ୍‍ ସଫ୍ଟୱେରରେ ରିପୋଟିଂ ଆଦି କାର‌୍ୟ୍ୟ ସଂପର୍କରେ ଏହି ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି।

କୋଭିଡ଼ ୧୯ ପ୍ରତିଷେଧକ ଟିକାଦାନର ସମସ୍ତ ପ୍ରସଙ୍ଗ ସଂପର୍କୀତ ବିସ୍ତୃତ କାର‌୍ୟ୍ୟାନ୍ୱୟନ ଗାଇଡ଼ଲାଇନ ଜାରି କରାଯିବ ଯେଉଁଥିରେ ଟିକାଦାନ ଅଧିବେଶନ ଯୋଜନା ଓ ପରିଚାଳନା, ଟିକାଦାନ ସ୍ଥଳୀ ଲେ ଆଉଟ୍‍ ଏବଂ ଏହାର ଆୟୋଜନ, ଏଇଏଫଆଇ ପରିଚାଳନା, ଆଇଇସି ବାର୍ତ୍ତା, ସଂକ୍ରମଣ ପ୍ରତିରୋଧ ଏବଂ ନିୟନ୍ତ୍ରଣ ଅଭ୍ୟାସ ଇତ୍ୟାଦି କାର‌୍ୟ୍ୟ ସଂପର୍କରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସମସ୍ତ ସୂଚନା ପ୍ରଦାନ କରାଯାଇସାରିଛି ଏବଂ ଏହି ପ୍ରକ୍ରିୟାରେ ସେମାନେ ମଧ୍ୟ ଅଭ୍ୟସ୍ତ ହୋଇସାରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସିଗଲା କରୋନା ଟୀକା, ଏବେ ଜାଣନ୍ତୁ କେମିତି ଆଉ କେବେ ନେବେ ଏହି ଟୀକା

ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ କରୋନା ଟୀକା ବର୍ତ୍ତମାନ ଆସିଗଲା। ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି ସୋମାନୀ ଘୋଷଣା କରିଛନ୍ତି। ଏହି ଦୁଇଟି ଟୀକା ହେଲା କୋଭାକ୍ସିନ ଏବଂ କୋଭାସିଲ୍ଡ। ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍‌ର କୋଭାକ୍ସିନ ବାହାର କରିଛନ୍ତି। ଏହି ଦୁଇ ପ୍ରକାରର ଟୀକା ଲୋକଙ୍କୁ ଦୁଇଟି ଡୋଜ ଦିଆଯିବ।

ପ୍ରଥମେ ଆସନ୍ତୁ ଜାଣିବା ଭାରତରେ ଏହି ଟୀକା କିପରି ବଣ୍ଟନ କରାଯିବ। ଏଭଳି ଟିକା ଦେଶରେ ବଣ୍ଟନ ପାଇଁ ଭାରତ ସରକାର ଏକ ଭିନ୍ନ ପଦ୍ଧତି ମନୋନିତ କରିଛନ୍ତି। ତାହା ହେଲା ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନ ସମୟରେ ଯେଉଁ ଭଳି ଭାବେ ମତଦାନ ବୁଥଗୁଡ଼ିକ ସ୍ଥାପିତ ହୋଇଛି, ଏହି ଟୀକା ପାଇଁ ମଧ୍ୟ ସେହିପରି ବୁଥ୍ ତିଆରି କରିବାକୁ ଭାରତ ସରକାର ଯୋଜନା କରିଛନ୍ତି। ନିର୍ବାଚନ ବୁଥ ପରି ଦଳ ଗଠନ ହେବ। ବ୍ଲକ ସ୍ତରରେ ଏକ ରଣନୀତି ପ୍ରସ୍ତୁତ ହେବ।

ଏହି ଅଭିଯାନ ପାଇଁ ସରକାରୀ ଏବଂ ବେସରକାରୀ ଡାକ୍ତରମାନଙ୍କୁ ବିଶେଷ ଦାୟିତ୍ବ ଦିଆଯିବ। ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ  ସେମାନଙ୍କୁ ଆବଶ୍ୟକ ତାଲିମ ମଧ୍ୟ ଦିଆଯିବ। ଟୀକାକରଣ ସମ୍ବନ୍ଧରେ ବିଭିନ୍ନ ବିଭାଗରେ ବିଭିନ୍ନ ପ୍ରକାରର ଭୁଲ ଧାରଣା ଅଛି। ତେଣୁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏହି ଦିଗରେ ସଚେତନତା ଅଭିଯାନ କରିବାକୁ କହିଛନ୍ତି। ଏହା ବ୍ୟତୀତ ଟୀକାକରଣର କୈଣସି ପାର୍ଶ୍ୱ ପ୍ରତିକ୍ରିୟାର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ମଧ୍ୟ ପ୍ରସ୍ତୁତ ହେବାକୁ କୁହାଯାଇଛି। ଆଲର୍ଜି ପ୍ରତିକ୍ରିୟାର ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ଚିକିତ୍ସା ବ୍ୟବସ୍ଥା ବଜାୟ ରଖିବାକୁ କୁହାଯାଇଛି।

ତେବେ ଏହି ଟୀକା ଆସିବା ପରେ ଏହାକୁ ସଂରକ୍ଷଣ କରି ରଖିବା ହେଉଛି ବଡ ଦାୟିତ୍ବ। କାରଣ ଟୀକା ଯଦି ଠିକ ଭାବେ ସଂରକ୍ଷଣ ହୋଇ ରହିଲା ନାହିଁ ତେବେ ତାହା କାମ କରିବ ନାହିଁ। ଟୀକା ସଂରକ୍ଷଣ କରି ରଖିବା ଏବଂ ବିଭିନ୍ନ ସ୍ଥାନକୁ ପରିବହନ କରିବା ବ୍ୟୟ ବହୁଳ ହୋଇପାରେ। କାରଣ ଏଥିପାଇଁ ଫ୍ରିଜର ବା ରେଫ୍ରିଜରେଟର ଆବଶ୍ୟକତା ଥାଏ।

ତେବେ ଆଉ କେତେକଙ୍କ ମନରେ ସନ୍ଦେହ ଥାଏ ଯେ ଏହି ଟୀକା ଆସିବା ପରେ ପ୍ରଥମେ କାହାକୁ ଦିଆଯିବ। ମୋଦୀ ସରକାରଙ୍କ ମିଶନ ଟୀକା ଅନୁଯାୟୀ ପ୍ରଥମେ ଭାରତରେ 30 କୋଟି ଲୋକଙ୍କୁ ଟୀକା ଲଗାଇବାକୁ ଯୋଜନା ରହିଛି। ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଏବଂ ବରିଷ୍ଠ ନାଗରିକମାନଙ୍କୁ ଟୀକାକରଣ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଏସଏମଏସ ମାଧ୍ୟମରେ ଟୀକାକରଣର ତାରିଖ, ସମୟ ଏବଂ ସ୍ଥାନ ଦିଆଯିବ। ଏହି ବାର୍ତ୍ତାରେ ଟିକା ପ୍ରଦାନ କରୁଥିବା ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ମଧ୍ୟ ରହିବ।

ସେହିପରି କେତେକଙ୍କ ମନରେ ପ୍ରଶ୍ନ ରହିଛି ଯେ, ମଣିଷଙ୍କୁ ଏହି ଟୀକା କେତେ ଡୋଜ ଦିଆଯିବ।  ବର୍ତ୍ତମାନ ଟୀକା ବାହାର କରିଥିବା ଦୁଇ ସଂସ୍ଥାର ତଥ୍ୟ ଅନୁସାରେ ଲୋକଙ୍କୁ ଦୁଇଟି ଡୋଜ ଟୀକା ପ୍ରଦାନ କରାଯିବ। ଉଭୟ ଡୋଜକୁ ଠିକ୍ ସମୟରେ ରଖିବା ପାଇଁ ମନ୍ତ୍ରଣାଳୟ ଏକ କରୋନା ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ ପ୍ରସ୍ତୁତ କରିଛି। ପ୍ରଥମ ଡୋଜ ଦିଆଯିବା ପରେ ଦ୍ୱିତୀୟ ଡୋଜ ପାଇଁ SMS ପଠାଯିବ। ଯେତେବେଳେ ଟୀକାକରଣ ସମ୍ପୂର୍ଣ୍ଣ ହେବ, ଏକ ଡିଜିଟାଲ୍ QR ଆଧାରିତ ପ୍ରମାଣପତ୍ର ମଧ୍ୟ ସୃଷ୍ଟି ହେବ। ଏହି ସାର୍ଟିଫିକେଟ୍ ଟିକା ପରିଚୟର ପ୍ରମାଣ ହେବ।

ତେବେ ସମସ୍ତେ ଜାଣିବା ଆବଶ୍ୟକ ଯେ, ଭ୍ୟାକସିନ ଆସିଗଲେ କରୋନା ଭୂତାଣୁ ପୃଥିବୀରୁ ଉଭେଇ ଯିବ ନାହିଁ। ଏହା ବାୟୁ ମଣ୍ଡଳରେ ରହିବ। କେବଳ ଆପଣଙ୍କ ଶରୀରରେ ସେହି ଭୂତାଣୁ ପ୍ରବେଶ କଲେ କିଛି ହେବ ନାହିଁ। ସେଥିପାଇଁ ଏହି ଟୀକା ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଡ ଖବର: ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଦୁଇଟି କୋରନା ଟୀକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଶେଷରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି ସୋମାନୀ ଘୋଷଣା କରିଛନ୍ତି। ଏହି ଦୁଇଟି ଟୀକା ହେଲା କୋଭାକ୍ସିନ ଏବଂ କୋଭାସିଲ୍ଡ। ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍‌ର କୋଭାକ୍ସିନ ବାହାର କରିଛନ୍ତି। ଏହି ଦୁଇ ପ୍ରକାରର ଟୀକ ଲୋକଙ୍କୁ ଦୁଇଟି ଡୋଜ ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଟିକା ନେବା ପାଇଁ କୋ-ୱିନ ଆପ୍‌ ମାଧ୍ୟମରେ କରିପାରିବେ ପଞ୍ଜୀକରଣ: ୧୨ ପ୍ରକାରର ପରିଚୟପତ୍ର ଅପରିହାର୍ଯ୍ୟ

ନୂଆଦିଲ୍ଲୀ: କରୋନା ଟିକା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଟିକା ନେବା ପାଇଁ କୋ-ୱିନ ଆପ୍‌ ମାଧ୍ୟମରେ ପଞ୍ଜୀକରଣ କରିବା ଆବଶ୍ୟକ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର କାର୍ଡ, ଡିଏଲ୍, ପାସପୋର୍ଟ, ପେନସନ ପରିଚୟ ପତ୍ର, ପାନ କାର୍ଡ ଇତ୍ୟାଦି ୧୨ ପ୍ରକାରର ପରିଚୟପତ୍ର ଅପରିହାର୍ଯ୍ୟ। ଟିକାକରଣ କେନ୍ଦ୍ରରେ ପଞ୍ଜୀକୃତ କରିଥିବା ବ୍ୟକ୍ତିଙ୍କୁ ଟିକା ମିଳିପାରିବ। ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ। ଟିକା ନେଲା ପରେ ଜଣେ ବ୍ୟକ୍ତିଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ଅନୁଧ୍ୟାନରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ପ୍ରଦାନ କରାଯିବ। ଯେଉଁଥିରେ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଅଗଷ୍ଟ ସୁଦ୍ଧା 30 କୋଟି ଲୋକଙ୍କୁ ଦିଆଯିବ କରୋନା ଟୀକା : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ବବର୍ଦ୍ଧନ

ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ଦେଶରେ କରୋନା ଟିକା ଉପଲବ୍ଧ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । 2021 ମସିହା ଅଗଷ୍ଟ ସୁଦ୍ଧା ଦେଶରେ ଭ୍ୟାକସିନ୍‌ ଉପଲବନ୍ଧ ହେବ ବୋଲି କହିଛନ୍ତି ହର୍ଷବର୍ଦ୍ଧନ । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ୟାକ୍‌ସିନ୍‌ ବିକଶିତ ତଥା ନିର୍ମାଣ କରୁଥିବା ତିନି ଟିମ୍‌ଙ୍କସହ ଅନଲାଇନ୍‌ ବୈଠକ କରିଛନ୍ତି । ଶନିବାର ଦିନ ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଯାତ୍ରା କରି କରୋନା ଟୀକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ବର୍ତ୍ତମାନ ଭାରତରେ 100ଟି କମ୍ପାନୀ ଟିକା ନିର୍ମାଣ ଦୌଡରେ ଅଛନ୍ତି । ଏହି 100ଟି କମ୍ପାନୀ ମଧ୍ୟରୁ 30ଟି ଭାରତୀୟ କମ୍ପାନୀ ରହିଛି । 30 ଭାରତୀୟ କମ୍ପାନୀ ମଧ୍ୟରୁ 5ଟି ବିଭିନ୍ନ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲରେ ରହିଛନ୍ତି । ଦୁଇଟି କମ୍ପାନୀର ଟିକା ପରୀକ୍ଷଣ ଆଡଭାନ୍ସଡ ଷ୍ଟେଜରେ ରହିତିୁବା ବେଳେ ପ୍ରି କ୍ଲିନିକାଲ ଷ୍ଟେଜରେ ରହିଛି ଦୁଇଟି କମ୍ପାନୀ । ଏହି ସମସ୍ତ ସ୍ଥିତି୍କୁ ଦେଖିଲେ ଆସନ୍ତା କିଛି ମାସ ମଧ୍ୟରେ ଭାରତୀୟ କମ୍ପାନୀର ଟିକା ବଜାରରେ ଉପଲବ୍ଧ ହେବ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ଏକାଥରକେ ୧୩୫ କୋଟି ଲୋକଙ୍କ ଟିକାକରଣ କଷ୍ଟସାଧ୍ୟ ବ୍ୟାପାର । ତେବେ ଜୁନ- ଜୁଲାଇ ସୁଦ୍ଧା 30 କୋଟି ଲୋକଙ୍କର ଟୀକାକରଣ କରାଯିବ ବୋଲି ହଷବର୍ଦ୍ଧନ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

2021 ଆରମ୍ଭରେ ଭାରତରେ ଟିକା ମିଳିବା ସମ୍ଭାବନା ରହିଛି : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଏବେ ଦେଶକୁ ମହାମାରୀ କରୋନା ଆସ୍ତବ୍ୟସ୍ତ କରୁଥିବା ବେଳେ 2021 ଆରମ୍ଭରେ ଭାରତରେ ଟିକା ମିଳିବା ସମ୍ଭାବନା ରହିଛି । ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ପ୍ରଦାନ କରିଛନ୍ତି । ଟିକା ମିଳିବା ନେଇ ଏକ ସୁବିସ୍ତୃତ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏକ ଏକ୍ସପୋର୍ଟ କମିଟି ଟିକା କଥା ବୁଝୁଛି । ଆଶା କରାଯାଉଛି, 2021 ପ୍ରାରମ୍ଭରେ କରୋନା ଟିକା ମିଳିବ । ସୂଚନାଯୋଗ୍ୟ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ 18 ହଜାର 253କୁ ବୃଦ୍ଧି ପାଇଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଜାଣନ୍ତୁ କ’ଣ ରହିଛି ବିଶ୍ବର ପ୍ରଥମ କରୋନା ଟୀକାର ନାମ

ମସ୍କୋ :  ଆଜି ବିଶ୍ବର ପ୍ରଥମ କରୋନା ଟୀକା ଆସିଛି ।  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଆଜି ବିଶ୍ୱର ପ୍ରଥମ କରୋନା ଟୀକା ସମ୍ପର୍କରେ ଘୋଷଣା କରିଛନ୍ତି । ରୁଷ ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷର ବିକଶିତ କରାଯାଉଥିବା କରୋନା ଟୀକାକୁ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିସାରିଛି । ଏହି ଟୀକାର ନାମ ସ୍ପୁଟନିକ-ଭି ରଖାଯାଇଛି । ଋଷିଆର ମହାକାଶ ଯାନ ସ୍ପୁଟନିକ ଅନୁଯାୟୀ ଏହାର ନାମ ସ୍ପୁଟନିକ-ଭି ରଖାଯାଇଛି। 1957 ମସିହାରେ ସୋଭିଏତ୍ ୟୁନିୟନ୍ ପକ୍ଷରୁ ଲଞ୍ଚ କରାଯାଇଥିବା ପ୍ରଥମ ଉପଗ୍ରହ ସ୍ପୁଟନିକ-1 ଅନୁଯାୟୀ ଏହାର ନାମ ରଖାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏହି ଟୀକା ପୁତିନଙ୍କ ଝିଅକୁ ଦିଆଯାଇଛି । ଏବେ ସେ ସୁସ୍ଥ ରହିଥିବା ଜଣାପଡିଛି । ପ୍ରାରମ୍ଭିକ ଭାବରେ ନିଜର ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଏହି ଟୀକା ଦିଆଯିବ ବୋଲି ପୁତିନ କହିଛନ୍ତି ।  (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବାଂଲାଦେଶୀ ବୈଜ୍ଞାନିକ କହିଲେ ଡିସେମ୍ବର ସୁଦ୍ଧା ଆସିବ କୋଭିଡ ଟୀକା, ପଶୁ ଶରୀରରେ ସଫଳ ହୋଇଛି ପରୀକ୍ଷ

ଢାକ୍କା, ସାରା ବିଶ୍ବକୁ ଗ୍ରାସ କରିଥିବା କରୋନା ସଂକ୍ରମଣରୁ ରକ୍ଷା ପାଇଁ ସବୁଠି ଚାଲିଛି ଟୀକା ଓ ଔଷଧ ପାଇଁ ପରୀକ୍ଷା ନିରୀକ୍ଷା। ଢାକ୍କାର ଗ୍ଲୋବ ବାୟୋଟେକ୍ ବାଂଲାଦେଶର ପ୍ରଥମ କମ୍ପାନି ଭାବେ କୋଭିଡ-19 ପ୍ରତିଷେଧକ ଟୀକା ପ୍ରସ୍ତୁତ କରୁଥିବା ଦାବି କରିଛି। ପଶୁ ଶରୀରରେ ଏହାର ପ୍ରାରମ୍ଭିକ ପରୀକ୍ଷା ସଫଳ ହୋଇଥିବା ଦର୍ଶାଇ ଏହି କମ୍ପାନି ଆସନ୍ତା ଡିସେମ୍ବର 2020 ସୁଦ୍ଧା କୋଭିଡ ଟୀକା ବଜାରକୁ ଛାଡିବ ବୋଲି ଆଶା ରଖିଛି।

ଜୁନ୍ 10ରୁ ଜୁନ୍ 28 ତାରିଖ ମଧ୍ୟରେ ପାଞ୍ଚଟି ଠେକୁଆ ଶରୀରରେ ଟୀକାର ପରୀକ୍ଷା କରାଯାଇଥିବା କମ୍ପାନିର ଗବେଷଣା ଓ ବିକାଶ ବିଭାଗ ଦାୟିତ୍ବରେ ଥିବା ଅଧିକାରୀ ଡକ୍ଟର ଅସୀଫ୍ ମେହମୁଦ କହିଛନ୍ତି। ଗ୍ଲୋବ ବାୟୋଟେକ୍ ଲିମିଟେଡ 2015ରୁ ଔଷଧ ପ୍ରସ୍ତୁତକାରୀ ଏକ କମ୍ପାନି ଭାବେ ବାଂଲାଦେଶରେ କାମ କରି ଆସୁଛି। ଏହି ସଂସ୍ଥା ଏକ ସ୍ବତନ୍ତ୍ର ସଂସ୍ଥା ଭାବେ ଗବେଷଣା କରି ଆସୁଛି। (ଏଜେନସି)