ଭାରତର ପ୍ରଥମ କରୋନା ଆକ୍ରାନ୍ତ ପୁଣି ଥରେ ହେଲେ ସଂକ୍ରମିତ, ରିପୋର୍ଟ ଆସିଲା ପଜେଟିଭ

Published: Jul 13, 2021, 4:03 pm IST

ନୂଆଦିଲ୍ଲୀ, ଗତ ବର୍ଷ ଜାନୁୟାରୀ 29 ତାରିଖରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ବାହାରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଯାଇଥିଲା। କେରଳର ଜଣେ ଛାତ୍ରୀ ଚୀନର ଉହ୍ୱାନ ସହରରୁ ଫେରିବା ପରେ ତାଙ୍କ ଦେହରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଫଳରେ ସେତେବେଳେ ଟେଷ୍ଟ କରିବା ପରେ କରୋନା ସଂକ୍ରାମିତ ବୋଲି ଜଣାପଡିଥିଲା।

ବର୍ତ୍ତମାନ ଦେଢ ବର୍ଷ ପରେ ପୁଣି ଥରେ ସେହି ଛାତ୍ରୀ କରୋନା ସଂକ୍ରାମିତ ହୋଇଥିବାର ଜଣାପଡିଛି। କେରଳର ତ୍ରିଶୁର ଡାକ୍ତରଖାନାର ଡିଏମଆଇ କେ ଜି ରାନା କହିଛନ୍ତି ଯେ, ସେହି ଯୁବତୀଙ୍କର ପୁଣିଥରେ ପଜେଟିଭ ରିପୋର୍ଟ ଆସିଛି। ହେଲେ ଏଥର ତାଙ୍କ ଦେହରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ।

ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେ ହୋମ କ୍ବାରଣ୍ଟାଇନରେ ଅଛନ୍ତି। ତାଙ୍କର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ତାଙ୍କ ପରିବାରରେ ଅନ୍ୟ ସଦସ୍ୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତାହାର ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡାକ୍ତର ରାନା କହିଛନ୍ତି।

ତେବେ ଛାତ୍ରୀ ଜଣଙ୍କ ନୂଆଦିଲ୍ଲୀରେ ଉଚ୍ଚତର ଶିକ୍ଷା ପାଇଁ ଆସିବାକୁ ଚାହୁଁଥିଲେ। ସେଥିପାଇଁ କରୋନା ନେଗେଟିଭି ରିପୋର୍ଟ ପାଇଁ ସେ ଆରଟିପିସିଆର ପରୀକ୍ଷା କରିଥିଲେ। ଯାହାର ରିପୋର୍ଟ ପଜେଟିଭ ଆସିଛି। ହେଲେ ଆଣ୍ଟିଜେନ ପରୀକ୍ଷାରେ ତାଙ୍କର ରିପୋର୍ଟ ନେଗେଟିଭି ଆସିଛି ବୋଲି ଡାକ୍ତର କହିଛନ୍ତି।

Related posts