କ୍ୟାବିନେଟର ବଡ ନିଷ୍ପତି, ଏଣିକି ସ୍କୁଲ କଲେଜକୁ ଦିଆଯାଉଥିବା ଜମି ସରକାରଙ୍କ ନାମରେ ରହିବ

Published: Nov 24, 2021, 7:13 am IST

ଭୁବନେଶ୍ବର: ଏଣିକି ରାଜ୍ୟ ସରକାର ସ୍କୁଲ କଲେଜକୁ ଦେଉଥିବା ମାଗଣା ଜମି ତାଙ୍କ ଅନୁଷ୍ଠାନ ନାମରେ ରହିବ ନାହିଁ। ତାହା ସ୍କୁଲର ହୋଇଥିଲେ ଗଣଶିକ୍ଷା ବିଭାଗ, କଲେଜ ହୋଇଥିଲେ ଉଚ୍ଚ ଶିକ୍ଷା ବିଭାଗ ନାମରେ ରହିବ। ଏହିପରି ଏକ ବଡ ନିଷ୍ପତି ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି।

୧୯୭୭ ମସିହାର ନିଷ୍ପତ୍ତି ଅନୁସାରେ କଲେଜ ସ୍ଥାପନ ପାଇଁ ସହରାଞ୍ଚଳରେ ୧୦ ଏକର ଓ ଗ୍ରାମାଞ୍ଚଳରେ ୧୫ ଏକର ସରକାରୀ ଜମି ଯୋଗାଇ ଦିଆଯିବ। ସେହିପରି ହାଇସ୍କୁଲ ଗୁଡ଼ିକ ପାଇଁ ସହରାଂଚଳରେ ୨ ଏକର ଓ ଗ୍ରାମାଞ୍ଚଳରେ ୩ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପରବର୍ତ୍ତି ସମୟରେ ସରକାର ଏହି ନିଷ୍ପତ୍ତିକୁ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ମଧ୍ୟ ଲାଗୁ କରିଥିଲେ । ତେବେ ଆଜି କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁସାରେ ସରକାରୀ ଡିଗ୍ରୀ କଲେଜ ଯାହା ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ କଲେଜର ଜମି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ। ଯେଉଁଠି ଉଭୟ ଜୁନିୟର ଓ ସିନିୟର କଲେଜ ଏକାଠି ଥିବ ସେଠାରେ ପୃଥ୍‌କ ଭାବେ ନକରି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ।

ସେହିପରି ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକର ଦଖଲରେ ଥିବା ଗ୍ରାମାଂଚଳରେ ୫ ଏକର ଓ ସହରାଞ୍ଚଳରେ ୩ ଏକର ଜମିକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାର୍ଫତରେ ରହିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାଁରେ ରେକର୍ଡ କରାଯିବ। ରେକର୍ଡ ହେବାକୁ ଥିବା ଜମି ଲିଜ୍ ଯୋଗ୍ୟ, ଅଣଜଙ୍ଗଲ କିସମ, ଡିଏଲସି ଲିଷ୍ଟରେ ନଥାଇ ଅବରୋଧମୁକ୍ତ ଓ ବିବାଦମୁକ୍ତ ହୋଇଥିବା ଆବଶ୍ୟକ। ଏହି ଜମିକୁ ବିନାମୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନରେ ତହସିଲଦାର ରେକର୍ଡ କରିବେ।

ଏଥିପାଇଁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଆବଶ୍ୟକୀୟ ସଂଶୋଧନ ରାଜସ୍ୱ ବିଭାଗ ଦ୍ୱାରା କରାଯିବ । ସେହିପରି ଏସବୁ ଜମି ଉପରେ ହୋଇଥିବା ସମସ୍ତ ଜବରଦଖଲ ମାମଲା ମଧ୍ୟ ବନ୍ଦ କରାଯିବ ବୋଲି ନିଷ୍ପତି କରାଯାଇଛି।

Related posts