Panjab Election: ସିଦ୍ଧୁଙ୍କ ବିରୋଧରେ କ୍ୟାପଟେନ ଅମରିନ୍ଦର ସିଂ ଆଣିଲେ ମହା ଅଭିଯୋଗ, ସମସ୍ତେ ଆଶ୍ଚର୍ଯ୍ୟ

Published: Jan 24, 2022, 5:39 pm IST

ନୂଆଦିଲ୍ଲୀ: ପଂଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତିର ମୋଡ ସେତିକି ବଦଳିବାରେ ଲାଗିଛି। ବର୍ତ୍ତମାନ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରିନ୍ଦର ସିଂଙ୍କ ଏକ ବଡ ଖୁଲାସାକୁ ନେଇ ରାଜ୍ୟ ତଥା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ତାହା ହେଲା ଅମରିନ୍ଦର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ ଅଭିଯୋଗ ଆଣିଛନ୍ତି।

ସେ କଂଗ୍ରେସର ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ତାହା ହେଲା ଯେ, ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଦ୍ଧୁଙ୍କୁ  ମନ୍ତ୍ରୀ କରିବା ପାଇଁ ପାକିସ୍ଥାନ ଚାପ ପ୍ରୟୋଗ କରିଥିଲା। ସେ ସିଧା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମ ନେଇଛନ୍ତି।

ଅମରିନ୍ଦର କହିଛନ୍ତି ଯେ, ତାଙ୍କୁ ରାଜ୍ୟ କ୍ୟାବିନେଟରେ ସ୍ଥାନିତ କରିବା ପାଇଁ ଇମ୍ରାନ ଏକ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଯଦି ସିଦ୍ଧୁଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରିପାରିବେ ତେବେ ମୁଁ ଖୁସି ହେବି। ସେ ହେଉଛନ୍ତି ମୋର ଜଣେ ଭଲ ବନ୍ଧୁ।

ଅମରିନ୍ଦର ଆହୁରି କହିଛନ୍ତି ଯେ, ଇମ୍ରାନ ଏହା ମଧ୍ୟ ଅନୁରୋଧ କରିଥିଲେ ଯେ, ଯଦି ସେ ଭଲ କାମ ନ କରିବେ ତେବେ ତାଙ୍କୁ ବାହାର କରିପାରନ୍ତି। ଏହି ଅନୁରୋଧ ପାଇବା ପରେ କ୍ୟାପେଟନ ତାହାକୁ ଗ୍ରହଣ କରି ନ ଥିଲେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ନବଜୋତ ସିଂ ସିଦ୍ଧୁ ହେଉଛନ୍ତି ଜଣେ ଅଯୋଗ୍ୟ ଲୋକ। ସେ କୌଣସି କାମକୁ ନୁହଁନ୍ତି। ତାଙ୍କୁ ପ୍ରଥମେ ମୁଁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲି। ହେଲେ ସେ ଗୋଟିଏ ଫାଇଲରେ ଦସ୍ତଖତ କରିବାକୁ ତିରିଶ ଦିନ ଲଗାଉଥିଲେ। ପ୍ରକୃତରେ ମନ୍ତ୍ରୀ ହେଲେ କଣ ଦାୟିତ୍ବ ସେ କଥା ସିଦ୍ଧୁ ଜାଣନ୍ତି ନାହିଁ ବୋଲି କ୍ୟାପେଟନ କହିଛନ୍ତି।

ଏହି ଘଟଣା ପରେ ପଂଜାବ ତଥା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଣ ପାଇଁ ସିଦ୍ଧୁ ମନ୍ତ୍ରୀ ହୁଅନ୍ତୁ ବୋଲି ପାକିସ୍ଥାନ ଚାହୁଁଥିଲା। ପ୍ରକୃତ ବନ୍ଧୁଙ୍କ ପାଇଁ ଇମ୍ରାନ ଅନୁରୋଧ କରିଥିଲେ ନା ସେ ମନ୍ତ୍ରୀ ହେଲେ ଆଉ କିଛି କରିଥାଆନ୍ତେ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି।

Related posts