ଆସନ୍ତାକାଲି ଆପଣ ଭୋଟ ଦେବାକୁ ଯାଉଛନ୍ତି କି ? ଯଦି ଏହା ନ ଜାଣିବେ ତେବେ ହୋଇପାରେ ଅସୁବିଧା

Published: Feb 15, 2022, 8:27 pm IST

ଭୁବନେଶ୍ବର: ବୁଧବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯିବ। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ତେବେ ଏଥର କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଭୋଟ ଗ୍ରହଣ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନର କେତେକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ଏହା ଉପରେ ନଜର ପକାଇବା ନିହାତି ଜରୁୁରୀ ଅଟେ। ସେଗୁଡିକ ହେଲା

୧- ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ମୁହଁରେ ନିଶ୍ଚିତ ମାସ୍କ ପିନ୍ଧିବା ଆବଶ୍ୟକ। ଏଥିସହିତ ଲାଇନରେ ଛିଡା ହେଲେ ଶାରିରୀକ ଦୂରତା ବଜାଇ ରଖିବା ଜରୁରୀ। ସେଠାରେ ମୁତୟନ ପୋଲିସ କର୍ମଚାରୀ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁମାନେ ମାସ୍କ ଆଣି ନ ଥିବେ ସେମାନଙ୍କୁ ମାସ୍କ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

୨- ବୁଥ ପ୍ରବେଶ ଦ୍ବାରରେ ସାଇନଟାଇଜର ରଖାଯାଇଥିବ। ତାହାକୁ ଲଗାଇ ହାତ ସାଇନଟାଇଜେସନ କରିବାକୁ ପଡିବ।  ଯଦି ପୁଲିଂ ଅଫିସର ଚିହ୍ନଟ ପାଇଁ ଚାହିଁବେ ତେବେ ଭୋଟର ମାସ୍କକୁ ଖସାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

୩- ବୁଥ ଭିତରେ ଆପଣଙ୍କ ହାତରେ କାଳି ଲଗାଇବା ପାଇଁ ପୁଲିଂ ଅଫିସରଙ୍କୁ କେତେକ ଗାଇଡ ଲାଇନ ଜାରୀ କରାଯାଇଛି। ସେଥିରେ ଭୋଟରଙ୍କୁ ସ୍ପର୍ଷ ନ କରି ତାଙ୍କ ହାତରେ କାଳି ଲଗାଇବାକୁ କୁହାଯାଇଛି। ଯଦି କେହି ହାତରେ ଗ୍ଲୋବ ପରିଧାନ କରିଛନ୍ତି, ତେବେ ସେ ଗ୍ଲୋବ ବାହାର କରି କାଳି ଲଗାଇବା ବାଧ୍ୟତାମୂଳକ କରାଯାଇଛି।

୪- ବୁଥରେ ଯଦି କୌଣସି କର୍ମଚାରୀଙ୍କ ଜ୍ବର ଦେଖାଦିଏ ତେବେ ସେଠାରେ ତୁରନ୍ତ ତାଙ୍କ ବଦଳରେ ଆଉ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏଥିସହିତ ସ୍ଥାନୀୟ ସ୍ବାସ୍ଥ୍ୟ କର୍ମି ଆସି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବା ପାଇଁ କୁହାଯାଇଛି।

୫- କୋଭିଡ ଆକ୍ରାନ୍ତଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ସେମାନେ ଭୋଟ ଗ୍ରହଣର ଶେଷ ସମୟକୁ ଆସିବା ପାଇଁ କୁହାଯାଇଛି। ଏଥିରେ ସେ ସ୍ବାସ୍ଥ୍ୟ କର୍ମିଙ୍କ ତତ୍ବାବଧନାରେ ବୁଥ ଭିତରକୁ ପ୍ରବେଶ କରିବେ। ଏଥିସହିତ ସେ କୋଭିଡ ଗାଇଡ ଲାଇନ ଅନୁସାରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

୬- ପ୍ରତି ଭୋଟର ସେମାନଙ୍କ ପରିଚୟ ପତ୍ର ସାଙ୍ଗରେ ଆଣିବା ପାଇଁ କୁହାଯାଇଛି। ଏଥିରେ ଭୋଟର କାର୍ଡ କିମ୍ବା ଅନ୍ୟ ଯେ କୌଣସି ସରକାରଙ୍କ ସ୍ବକୃତି ପ୍ରାପ୍ତ ପରିଚୟ ପତ୍ର ଆଣିବା ଜରୁରୀ ଅଟେ।

୭- ସମସ୍ତ ବୁଥରେ ତିନୋଟି ଲାଇନ ହେବ। ପୁରୁଷ, ମହିଳା ଏବଂ ଭିନ୍ନକ୍ଷମ ପାଇଁ ଏକ ସ୍ବତନ୍ତ୍ର ଲାଇନ ହେବ। ଏହି ଲାଇନରେ ଶାରୀରିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛି।

୮- ଯଦି ବୁଥ ଭିତରେ ଭୋଟର କିମ୍ବା କର୍ମଚାରୀଙ୍କ କୌଣସି ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ସେଠାରେ ଥିବା ଏକ ସ୍ବତନ୍ତ୍ର ପ୍ରକୋଷ୍ଠକୁ ଯାଇ ବିଶ୍ରାମ କରିବେ। ସେଠାରେ ଥିବା ଭଲ୍ୟୁଣ୍ଟିୟରମାନେ ସ୍ବାସ୍ଥ୍ୟ କର୍ମିଙ୍କୁ ଖବର ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related posts