ଆଜି ବିଜେପି ପ୍ରତିଷ୍ଠା ଦିବସ, ଦଳିୟ କର୍ମିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିବେ ନୂଆ କାର୍ଯ୍ୟକ୍ରମ

Published: Apr 6, 2022, 8:46 am IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆଜି ହେଉଛି 42 ତମ ପ୍ରତିଷ୍ଠା ଦିବସ। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ 10 ଟାରେ ଭିଡିଓ କନଫରେନ୍ସ ଜରିଆରେ କର୍ମୀମାନଙ୍କୁ ଉଦବୋଧନ ଦେବେ।  ବିଜେପି ୱେବସାଇଟ୍ ଏବଂ ୟୁଟ୍ୟୁବ୍ ସମେତ ଦଳର ସମସ୍ତ ସୋସିଆଲ୍ ମିଡିଆରେ ଏହା ସିଧା ପ୍ରସାରଣ କରାଯିବ।

ଗତକାଲି ଏହି ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, “ଆସନ୍ତାକାଲି, 6 ଏପ୍ରିଲ ହେଉଛି ଆମ ପାଇଁ ଏକ ବିଶେଷ ଦିନ। ଆମେ ଆମ ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରୁଛୁ। ଯେଉଁମାନେ ଏହି ଦଳ ଗଠନ କରିଛନ୍ତି ଏବଂ ନିରନ୍ତର ଭାବରେ ସେବା କରିଛନ୍ତି ସେମାନଙ୍କୁ ଆମେ ସ୍ମରଣ କରୁଛୁ। ବୁଧବାର ସକାଳ 10 ଟାରେ ସହକର୍ମୀଙ୍କୁ ସମ୍ବୋଧିତ କରିବି। ଯୋଗ ଦିଅନ୍ତୁ।” ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି।

ଏହି ପ୍ରତିଷ୍ଠା ଦିବସ ପାଳନ ପାଇଁ ରାଷ୍ଟ୍ରୀୟ କାର୍ଯ୍ୟାଳୟ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ବୁଧବାର ସକାଳ 9 ଟାରେ ଦଳିୟ କାର୍ଯ୍ୟାଳୟରେ ଦଳିୟ ପତାକା ଉତ୍ତୋଳନ କର। ତା’ପରେ ଦେଶଭକ୍ତି ଗୀତ ଗାନ କରାଯିବ। ଦେଶଭକ୍ତି ସ୍ଲୋଗାନରେ ଭରପୂର ଏକ ଶୋଭାଯାତ୍ରା କରିବାକୁ କୁହାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଶୁଣିବାକୁ ସକାଳ 9.45 ସୁଦ୍ଧା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏପ୍ରିଲ 6 ରୁ 14 ପର୍ଯ୍ୟନ୍ତ ବ୍ଲକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପାର୍ଟି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

“ବୁଧବାର, ବିଜେପିର ପ୍ରତିଷ୍ଠା ଦିବସରେ ଏକ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୋଦି। ତାହା ହେଲା ‘ବିଜେପିକୁ ଜାଣନ୍ତୁ’ (Bhajapa ko jaaniye) । ମୁଖ୍ୟତଃ ବିଦେଶୀମାନେ ବିଜେପି କଣ ତାହା ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ 13 ଟି ଦେଶର ମୁଖ୍ୟମାନେ ବିଜେପି ସଭାପତିଙ୍କ ସହ ଯୋଗାଯୋଗ କରିବେ। ଏହା ହେଉଛି ଆରମ୍ଭ, ବିଦେଶୀ ପ୍ରତିନିଧୀଙ୍କ ସହ ଏହିପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ଏହା ବ୍ୟତୀତ ଦଳୀୟ କର୍ମିଙ୍କ ପାରସ୍ପରିକ କଥାବାର୍ତ୍ତା ମଧ୍ୟ ହେବ ବୋଲି ବିଜେପି ନେତାମାନେ କହିଛନ୍ତି।

ବୁଧବାର ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ କର୍ମିମାନଙ୍କୁ ଦଳର ଯାତ୍ରା ବିଷୟରେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ କରାଯିବ। ଏହି ଡକ୍ୟୁମେଣ୍ଟାରୀରେ ଜନ ସଂଗଠନର ଯାତ୍ରା ଏବଂ ଭାରତୀୟ ଜନତା ପାର୍ଟିର ଚିତ୍ର ପ୍ରଦର୍ଶିତ ହେବ। ଅତିଥିମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର କଫି ଟେବୁଲ ପୁସ୍ତକ “ନେସନ ଫାଷ୍ଟ” ମଧ୍ୟ ବଣ୍ଟନ କରାଯିବ ବୋଲି ବିଜେପି କହିଛି।

Related posts