ବିଜେପିର ୪୨ତମ ପ୍ରତିଷ୍ଠା ଦିବସରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ?

Published: Apr 6, 2022, 5:40 pm IST

ନୂଆଦିଲ୍ଲୀ: ଆଜି ବିଜେପି ତାହାର ୪୨ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏ ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ମିମାନଙ୍କୁ ଭର୍ଚ୍ୟୁୟାଲି ସମ୍ବୋଧୀତ କରିଥିଲେ। ଏଥିରେ ସେ କହିଥିଲେ ଯେ, ସରକାରଙ୍କ କାର୍ଯ୍ୟରେ ଜାତୀୟ ସ୍ୱାର୍ଥ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଧ୍ୟାନରେ ରଖି ଆମ ସରକାର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି ଯେ ଦେଶରେ ନୀତି, ଉଦ୍ଦେଶ୍ୟ ଏବଂ ନିର୍ଣ୍ଣାୟକତା ରହିଛି। ସେ କହିଛନ୍ତି, ଆଜି ସରକାର କେବଳ ଲକ୍ଷ୍ୟ ସ୍ଥିର କରିନାହାଁନ୍ତି ବରଂ ସେଗୁଡିକ ମଧ୍ୟ ହାସଲ କରନ୍ତି। ସେ କହିଛନ୍ତି ଯେ ଦେଶ 400 ବିଲିୟନ ଆମେରିକୀୟ ଡଲାରର ସର୍ବାଧିକ ରପ୍ତାନି ହାସଲ କରିଛି, ଯାହା ଏକ ସର୍ବକାଳିନ ରେକର୍ଡ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ପ୍ରତିଷ୍ଠା ଦିବସ ଏପରି ଏକ ସମୟରେ ପାଳନ କରୁଛେ ଯେତେବେଳେ, ଦଳ ଚାରୋଟି ରାଜ୍ୟରେ ତାହାର କ୍ଷମତା ଫେରିପାଇଛି। ଚାରିଟି ରାଜ୍ୟରେ ପୁଣି ଥରେ ବିଜେପିର ଡବଲ ଇଂଜିନ ସରକାର କ୍ଷମତାକୁ ଆସିଛି। ସେ କହିଛନ୍ତି, ତିନି ଦଶନ୍ଧି ପରେ ଏକ ଦଳ ରାଜ୍ୟସଭାରେ 100 ଜଣ ସଦସ୍ୟତା ହାସଲ କରିବା କିଛି ଛୋଟ କଥା ନୁହେଁ।

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଲୋକଙ୍କ କଲ୍ୟାଣ ତଥା ଦେଶର ପ୍ରଗତି ସହ ଆଗକୁ ବଢୁଛି। ଶ୍ରୀ ଶାହା ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ଗରିବ, କୃଷକ, ଅଧିବାସୀ ଏବଂ ସାତ ଦଶନ୍ଧି ଧରି ବଞ୍ଚିତ ହେବାର ମହିଳାଙ୍କ ଆକାଂକ୍ଷା ପୂରଣ ପାଇଁ ମଧ୍ୟ ଦଳ କାର୍ଯ୍ୟ କରିଛି।

ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟିର 42 ତମ ପ୍ରତିଷ୍ଠା ଦିବସରେ ବିଜେପି ଜାତୀୟ ସଭାପତି ଜେ ପି ନାଡା ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି। ସେ ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡା ପାର୍ଟି ମୁଖ୍ୟାଳୟରେ ରକ୍ତଦାନ ଶିବିରର ଉଦଘାଟନ କରିଥିଲେ।

Related posts