Cyclone Alert: ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା, ଦୁଇଦିନ ପ୍ରବଳ ବର୍ଷା ଓ ପବନ

Published: May 8, 2022, 7:18 pm IST

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’  ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳ ଛୁଇଁବ ନାହିଁ। ଏହା ଓଡିଶା ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଘଣ୍ଟାପିଛା ପବନର ବେଗ ୪୦ରୁ ୫୦ କିମି ହୋଇପାରେ।ବର୍ତ୍ତମାନ ଅସାନି ପୁରୀ ଠାରୁ ୯୨୦ କିମି ଦୂରରେ ରହିଛି।

ତେବେ ଏହି ଅତିକ୍ରମ ବେଳେ ରାଜ୍ୟରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ। ବର୍ତ୍ତମାନ ଘଣ୍ଟା ପ୍ରତି  ୧୪ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ବର୍ତ୍ତମାନ ବାତ୍ୟା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି । ୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟବର୍ତ୍ତି ହେବ।

ତେବେ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ଏହି ଜିଲ୍ଲାଗୁଡିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Related posts