ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ମେ ୩୧ ତାରିଖରେ ହେବ ଭୋଟ ଗ୍ରହଣ

Published: May 29, 2022, 11:36 pm IST

ଭୁବନେଶ୍ବର: ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର। ଆସନ୍ତା ୩୧ ତାରିଖରେ ହେବ ଭୋଟ ଗ୍ରହଣ। ଏଥିପାଇଁ ପୁଲିଂ ପାର୍ଟି ବିଭିନ୍ନ ବୁଥକୁ ପଠାସରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

ସେ କହିଛନ୍ତି ଯେ, ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ବୁଥ୍‌ ସଂଖ୍ୟା ୨୫୭ ଥିଲା। ହେଲେ କୋଭିଡ୍‌-୧୯ ଦୃଷ୍ଟିକୋଣରୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ବୁଥ୍‌ରେ ୧୨୫୦ ଜଣ ଭୋଟର ଅଧିକ ନ ହେବା ପାଇଁ କୁହାଯାଇଛି। ସେଥି ଯୋଗୁଁ ଆଉ ଅତିରିକ୍ତ ୨୨ଟି ବୁଥ୍‌ ସେହି ସ୍ଥାନରେ ଖୋଲିବା ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଫଳରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ସର୍ବମୋଟ ବୁଥ୍‌ ସଂଖ୍ୟା ହେଉଛି ୨୭୯ ।

ଜାନୁଆରୀ ୨୦୨୨ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୧୪୭୪୫। ତନ୍ମଧ୍ୟରୁ ୧୦୯୯୮୯ ଜଣ ପୁରୁଷ ଓ ୧୦୪୭୩୯ ଜଣ ମହିଳା ଭୋଟର ଏବଂ ୧୭ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି। ସେହିପରି ସମୁଦାୟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୩୫୦୯ ଜଣ, ତନ୍ମଧ୍ୟରୁ ୧୯୪୩ ଜଣ ପୁରୁଷ ଓ ୧୫୭୬ ଜଣ ଦିବ୍ୟାଙ୍ଗ ଭୋଟର ଅଟନ୍ତି। ଏତଦ୍‌ବ୍ୟତୀତ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଭୋଟରଙ୍କ ସଂଖ୍ୟା ୩୧୨୭ ଓ ତନ୍ମଧ୍ୟରୁ ୧୪୩୨ ଜଣ ପୁରୁଷ ଓ ୧୬୯୫ ଜଣ ମହିଳା ଭୋଟର ଅଛନ୍ତି ।

Related posts