ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବାଲୁକା କଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

Published: Jul 25, 2022, 4:28 pm IST

ପୁରୀ: ଆଜି ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ସଂସଦଭବନର ସେଣ୍ଟ୍ରାଲ ହଲରେ ତାଙ୍କୁ ଶପଥପାଠ କରାଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମଣା।ସେ ଶପଥ ପାଠ ନେବା ପରେ ସାରା ଦେଶରେ ଆନନ୍ଦନର ଲହରୀ ଖେଳିଯାଇଛି। କାରଣ ସେ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଛନ୍ତି।

ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବେଶୀ ଖୁସି ହୋଇଛନ୍ତି ଓଡିଶାର ଜନ ସାଧାରଣ। କାରଣ ସେ ହେଉଛନ୍ତି ଓଡିଶାର ଝିଅ। ସେହି ଖୁସିକୁ ନିଜ କଳାମାଧ୍ୟମରେ ବାଣ୍ଟିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକା କଳା।

ଏହି କଳାରେ ସୁଦର୍ଶନ ଦ୍ରୌପଦୀ ମୁର୍ମୁ ଶପଥ ନେବା ବେଳେ ଯେଉଁ ପ୍ରକାରର ଶାଢୀ ପିନ୍ଧିଛନ୍ତି ସେହି ଶାଢୀରେ ତାଙ୍କର ଏକ ଅବିକଳ କଳା ନିର୍ମାଣ କରିଛନ୍ତି। ଏଥିସହିତ ତାଙ୍କ ପାଖରେ କରିଛନ୍ତି ରାଷ୍ଟ୍ରପତି ଭବନର ଏକ ପ୍ରତୀକାତ୍ମକ ସ୍ଥାପତ୍ୟ। ଏହାର ତଳେ ଇଂରାଜୀରେ ଲେଖିଛନ୍ତି A Historic Day For Nation.

ପୂର୍ବରୁ ସୁଦର୍ଶନ ଦ୍ରୌପଦୀଙ୍କ ଉପରେ ଆଉ ଏକ କଳା ମଧ୍ୟ କରିଥିଲେ। ସେ ଯେଉଁଦିନ ବିଜୟଲଭା କରିଥିଲେ ସେଦିନ ମଧ୍ୟ ସେ ପୁରୀ ବେଳା ଭୂମିରେ ବାଲୁକା କଳା କରିଥିଲେ। ସେହି କଳା ମାଧ୍ୟମରେ ସେ ଦ୍ରୌପଦୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ସୁଦର୍ଶନଙ୍କ ଏହି କଳା ବର୍ତ୍ତମାନ ପୁରୀ ବେଳାଭୂମିର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବାରେ ଲାଗିଛି।

Related posts