ନୂଆଦିଲ୍ଲୀ: ଗତକାଲି ଥିଲା ଗଣେଶ ଚତୁର୍ଥୀ। ଏହି ଉପଲକ୍ଷେ ଚାରିଆଡେ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା। କିଏ ପେଣ୍ଡାଲରେ କିଏ ଘରେ ପ୍ରଭୃ ଗଣେଶଙ୍କୁ ଆବହନ କରିଥିଲେ। ହେଲେ ଏହି ଗଣେଶ ପୂଜାଟି ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ପାଇଁ ଥିଲା ସଂପୂର୍ଣ୍ଣ ସ୍ବତନ୍ତ୍ର। କାରଣ ତାଙ୍କ ଘର ଗଣେଶ ପୂଜାର ବିଶେଷ ଅତିଥୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଗତକାଲି ଗଣେଷ ପୂଜା ଦିନ ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରକୁ ପ୍ରଧାନମନ୍ତ୍ରୀ ଯାଇ ଶ୍ରୀଗଣେଷଙ୍କୁ ଆରତୀ ପ୍ରଦାନ କରିଥିଲେ। ସେ ହିନ୍ଦୁ ଧର୍ମର ପାରଂପାରିକ ପୋଷାକ ପରିଧାନ କରିଥିଲେ। ଏକ ଧଳା ଧୋତି ସହ ହାଲକା କମଳା ରଂଗର ପଂଜାବୀ ପିନ୍ଧିଥିଲେ। ଏଥସହିତ ସେ କାନ୍ଧରେ ଏକ ଗାଢ କମଳା ରଂଗର ଉତ୍ତରୀୟ ପକାଇଥିଲେ।
ମୋଦୀ, ଗୋଏଲଙ୍କ ଘରକୁ ପ୍ରବେଶ ପୂର୍ବରୁ ତାଙ୍କ ଘର ଆଗରେ ଛିଡା ହୋଇଥିବା ଲୋକମାନଙ୍କୁ ସେ ଗଣେଶ ପୂଜା ଅଭିନନ୍ଦନ ଜଣାଇଥିଲେ। ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମସର ରିପୋର୍ଟ ଅନୁସାରେ ସେଦିନ ପୀୟୁଶ ଗୋଏଲଙ୍କ ଘରେ ଅନ୍ୟତମ ଅତିଥୀ ଭାବେ ଯୋଗଦେଇଥିଲେ କଂଗ୍ରେସ ନେତା ଅଭିଶେକ ମନୁ ସିଙ୍ଗଭି, ଶିଳ୍ପପତି ସୁନୀଲ ଭାରତୀ ମିତ୍ତଲ।
ତେବେ ଏହାକୁ ନେଇ ଜାତୀୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। କାରଣ ବର୍ତ୍ତମାନ ମୋଦୀ ସରକାରରେ ଅମିତ ସାହା ହେଉଛନ୍ତି ସବୁଠୁ ପାୱାରଫୁଲ। ସେହି ସ୍ତରରେ ରାଜନାଥ ସିଂ ଏବଂ ନୀତିନ ଗଡକରୀ ଯିବେ। ଏହା ପରେ ଯୁବମନ୍ତ୍ରୀଙ୍କ ଭିତରେ କିଏ ସେ ଅଧିକ ପାୱାର ଫୁଲ ସେ ନେଇ ଚାଲିଛି କସରତ।
ଏପରି ପରିସ୍ଥିତିରେ ପୀୟୁଶ ଗୋଏଲଙ୍କ ଘରେ ତାଙ୍କର ପାରିବାରିକ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ଯୋଗ ଦେବା ତାଙ୍କର ପତିଆରାକୁ ପ୍ରତିପାଦନ କରିଛି। ଫଳରେ ବର୍ତ୍ତମାନ ଯୁବମନ୍ତ୍ରୀଙ୍କ ମଧ୍ୟରେ ପୀୟୁଶ ଗୋଏଲଙ୍କ ପତିଆରା ଅଧିକ ବୋଲି ସ୍ପଷ୍ଟ ହୋଇଛି। ଏହାକୁ ନେଇ ଗତକାଲି ଦିନତମାମ ଦିଲ୍ଲୀ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା।