ଆସନ୍ତାକାଲି ଦୁଲୁକିବ ଭୁବନେଶ୍ବର, ଯୋଗ ଦେବେ ଲକ୍ଷେ କର୍ମି, ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ

Published: Sep 5, 2022, 7:35 pm IST

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ସାରା ଭୁବନେଶ୍ବର ଦୁଲୁକିବ। ବିଭିନ୍ନ ସ୍ଥାନରୁ ବିମାନବନ୍ଦରରେ ଏକଜୁଟ ହେବେ ପ୍ରାୟ ଲକ୍ଷେ ଲୋକ। ଏହାକୁ ନେଇ ପୋଲିସ ନାକେଦନ ହେବ। ସେଥିପାଇଁ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା। ଲୋକମାନଙ୍କ ଗାଡି ରଖିବା ପାଇଁ ମଧ୍ୟ ତିନୋଟି ସ୍ଥାନରେ ହୋଇଛି ବ୍ୟବସ୍ଥା।

ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିବା ପାଇଁ ବିଜେଡିର ଏକ ବଡ ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଜୀବନବ୍ୟାପି ଲୋକସେବା ପାଇଁ ପୁରସ୍କୃତ ହେବା ପରେ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିବା ପାଇଁ ବିଜେଡି କରିଛି ଏକ ବଡ ପ୍ରୟାସ। ବିମାନ ବନ୍ଦର ନିକଟରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ କରାଯାଇଛି ଏକ ମଞ୍ଚ।

ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପହଁଞ୍ଚିବା ପରେ ତାଙ୍କୁ ସେଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନିଆଯିବ। ତା ପୂର୍ବରୁ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ କିଛି ସମୟ ପାଇଁ କର୍ମିମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବେ। ସେଠାରେ ଏକ ମଞ୍ଚ କରାଯିବା ସହିତ ବଡ କଟଆଉଟ ଲାଗିଛି। ଏହାପରେ ଏକ ବିରାଟ ପଟୁଆର କରାଯାଇ ନବୀନ ପଟ୍ଟନାୟକଙ୍କୁ ବିମାନ ବନ୍ଦରରୁ ନବୀନ ନିବାସ ନିଆଯିବ।

ମଙ୍ଗଳବାର ଦିନ ଏପରି ଲୋକ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ପ୍ରାୟ ୧ ଘଣ୍ଟା ଧରି ଚାଲିବ। ସେଥିପାଇଁ କମିସନରେଟ୍ ପୁଲିସ ତରଫରୁ ସବୁ ଛକରେ ପୁଲିସ ଫୋର୍ସ ମୂତୟନ ରହିବେ। ଏହାର ସୁରକ୍ଷା ପାଇଁ ୧୦୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ଏବଂ ୩୦ ପ୍ଲାଟୁନ୍ ଫୋର୍ସ ନିଯୋଜିତ ରହିବେ।

ଏହି ସ୍ବାଗତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟତଃ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏହି କାର୍ଯ୍ୟକୁ ତଦାରଖ କରାଯାଉଛି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ଏହା ଏକ ଶକ୍ତି ପରୀକ୍ଷା ବୋଲି ସାଧାରଣରେ କୁହାଯାଉଛି।

Related posts