ଧାମନଗର ଉପନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ କି ରାଜେନ୍ଦ୍ର ଦାସ, ଆରମ୍ଭ ହେଲା ଚର୍ଚ୍ଚା

Published: Oct 14, 2022, 3:07 pm IST

ଭୁବନେଶ୍ବର: ବହୁ ବାଦବିବାଦ ପରେ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ। ସେ ପୂର୍ବରୁ ବିଜେଡି ବିଧାୟକ ଥିଲେ, ଏପରିକି ଧାମନଗରରେ ବିଜେଡି ସଂଗଠନକୁ ସୁଦୃଢ ମଧ୍ୟ ରଖିଥିଲେ।

ହେଲେ ଏହି ଉପନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଲା ନାହିଁ। ଅନ୍ୟପକ୍ଷରେ ତାଙ୍କ ପାଖରେ କାମ କରୁଥିବା ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ ଟିକେଟ ମିଳିଲା।

ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ରାଜେନ୍ଦ୍ର। ତାଙ୍କୁ ବିଜେଡି ତରଫରୁ ପ୍ରଣବ ପ୍ରକାଶ ଦାସ ମନେଇବାରେ ବହୁ ଚେଷ୍ଠା ମଧ୍ୟ କରିଛନ୍ତି। ସେ ରାଜି ମଧ୍ୟ ହୋଇଥିଲେ। ଟିକେଟ ଘୋଷଣା ବେଳକୁ ସେ ପାଖରେ ମଧ୍ୟ ଥିଲେ। ହେଲେ ନିର୍ବାଚନ ମଣ୍ଡଳୀ ଯିବା ପରେ ତାଙ୍କର ପଟ ବଦଳି ଗଲା। କର୍ମିମାନେ ଅବନ୍ତିଙ୍କୁ ଟିକେଟ ଦେବାକୁ ନେଇ ସହଜରେ ଗ୍ରହଣ କଲେ ନାହିଁ।

ଗତକାଲି ସେ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କଲେ। ଏହି ଘୋଷଣା ପରେ ବିଜେଡି ଶିବିରରେ ଛନକା ପଶିଗଲା। କିପରି ତାଙ୍କୁ ମ୍ୟାନେଜ କରାଯିବ ସେଥିରେ ଗତକାଲି ରାତି ତମାମ ଚାଲିଲା କସରତ। ହେଲେ କିଛି କାମ ଦେଲା ନାହିଁ।

ରାଜେନ୍ଦ୍ର ଆଉ କୌଣସି କଥାରେ ରାଜି ହେଲେ ନାହିଁ। ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଘୋଷଣା କରି ଆଜି ସ୍ବାଧୀନ ପ୍ରାର୍ଥି ଭାବେ ତାହା ଦାଖଲ କଲେ।

ତଥାପି ବିଜେଡି ତାଙ୍କର ପିଛା ଛାଡି ନାହିଁ। ପ୍ରାର୍ଥୀପତ୍ର କିପରି ସେ ପ୍ରତ୍ୟାହାର କରିବେ ସେଥିପାଇଁ ବିଜେଡିର ଏକ ବଡ ଟିମ ଅନବରତ କାମ କରିବାରେ ଲାଗିଛନ୍ତି। ପ୍ରାର୍ଥୀ ପତ୍ର ଦାଖଲ ହେଉ ପଛେ କିପରି ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ସେ ନେଇ ଜୋରଦାର ଉଦ୍ୟମ ଚାଲିଛି।

ଶେଷ ପର୍ଯ୍ୟନ୍ତ ଚେଷ୍ଠା ଜାରି ରଖିଛନ୍ତି ପ୍ରଣବ ପ୍ରକାଶ ଦାସ। ବିଭିନ୍ନ ଲୋଭନୀୟ କଥା ଦେଖାଇ ତାଙ୍କୁ ହୁଏତ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ବୁଝେଇପାରିବେ ବୋଲି ଦଳ ଆଶା ରଖିଛି। ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷଦିନ ୧୭ ତାରିଖ ରହିଛି।

Related posts