ନବ ଦାସ ହତ୍ୟା ଘଟଣାରେ ବିଜେପି ମନ୍ତବ୍ୟର ଜବାବ ଦେଲା ବିଜେଡି

Published: Feb 1, 2023, 7:05 pm IST
Lenin Mohanty

ଭୁବନେଶ୍ୱର : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣ ସିବିଆଇ ତଦନ୍ତ କରୁ ବୋଲି ଦାବୀ କରିଥିବା ବିଜେପିକୁ ଜବାବ ଦେଇଛି ବିଜେଡି। କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେପି ଏତେ ଡରୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପିର ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଅତ୍ୟଧିକ ନିରାଶା ଏବଂ ହତାଶ ହୋଇ ଗଣମାଧ୍ୟମରେ ଦାୟିତ୍ୱହୀନ ଓ ନିରାଧାର ବିବୃତ୍ତି ଦେଉଛନ୍ତି।

ଯେହେତୁ ସେ ଭୁବନେଶ୍ୱର ପୌର ପାଳିକାର ୱାର୍ଡ ସଦସ୍ୟ ଭାବରେ ଜିତିପାରି ନ ଥିଲେ, ତେଣୁ ସେ ନିରାଶ ହୋଇପଡି ଥିଲେ ଏବଂ ଏବେ ତାଙ୍କ ପିତା ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ଏପରି ମିଥ୍ୟା, ନିରାଧାର ତଥା ଦାୟିତ୍ୱହୀନ ବିବୃତ୍ତି ଦେଇ ନିଜର ରାଜନୈତିକ ସ୍ଥିତି ପ୍ରମାଣ କରିବାକୁ ପଡୁଛି।

ନବ କିଶୋର ଦାସ ମହାମାରୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିଲା। ବିଜେପି କେବେ ତାଙ୍କ ଅବଦାନକୁ ସ୍ୱୀକାର କରି ନାହିଁ। ଏହା କଣ ବିଜେପିର ରାଜନୈତିକ ସୌଜନ୍ୟ? ଏହା କ’ଣ ବିଜେପିର ରାଜନୈତିକ ସଂସ୍କୃତି କି ବୋଲି ଲେନିନ ପ୍ରଶ୍ନ କରିଛନ୍ତି।

ଏହି ଘଟଣାକୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରୁଛି ଏବଂ ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଅନୁଧ୍ୟାନ କରିବେ। ଯେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ସିଧାସଳଖ ମନିଟରିଂ କରୁଛନ୍ତି ସେତେବେଳେ ନ୍ୟାୟପାଳିକା ପ୍ରତି ବିଜେପିର କିଛି ସମ୍ମାନ ରହିବା ଉଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ତେବେ ଯେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ବିଚାରପତିଙ୍କ ଦ୍ୱାରା ଏହାର ତଦାରଖ କରାଯିବ ସେତେବେଳେ ବିଜେପି ନେତାମାନେ କ୍ରାଇମବ୍ରାଞ୍ଚ ଏବଂ ଏହାର ତଦନ୍ତକୁ କାହିଁକି ଡରୁଛନ୍ତି ବୋଲି ଶ୍ରୀ ମହାନ୍ତି ବାରମ୍ବାର ପ୍ରଶ୍ନ କରିଛନ୍ତି ।

Related posts