ନବୀନ ଏବଂ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଧାୟକ ସୁର ରାଉତରାୟ, କଲେ ବଡ ଘୋଷଣା

Published: Feb 23, 2023, 11:13 am IST
Suresh Rautray

ଭୁବନେଶ୍ବର: ଆଜି ସକାଳୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ଏହି ଫଟୋରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ସଚିବ ଭେ କେ ପାଣ୍ଡିଆନଙ୍କ ସହିତ ସେ ଆଲୋଚନା କରୁଛନ୍ତି। କେବଳ ସୁର ନୁହଁନ୍ତି, ତାଙ୍କ ସହିତ ତାଙ୍କର ସାନ ପୁଅ ମନ୍ନଥ ରାଉତରାୟ ମଧ୍ୟ ଅଛନ୍ତି।

ଏହି ଫଟୋକୁ ନେଇ ବିଭିନ୍ନ ମହଲରେ ଆଶା ଓ ଆଶଙ୍କା ପ୍ରକାଶ ପାଇଛି। ଅନେକ ଟିପଣୀ ଦେଇଛନ୍ତି ଯେ, ସୁର ରାଉତରାୟ ଏଥର ବିଜେଡିରୁ ଛିଡା ହେବେ। ଆଉ କେତେକ ସେ ନୁହଁନ୍ତି ତାଙ୍କ ପୁଅ ଜଟଣୀରୁ ବିଜେଡିରୁ ଛିଡା ହେବେ। ଏହି ଆଲୋଚନା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଗଲା। ଘଟଣା ଏପରି ହେଲା ଯେ, ସୁର ରାଉତରାୟ ବାଧ୍ୟ ହୋଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟି କରଣ ଦେଲେ।

ଫଟୋକୁ ନେଇ ଦଳ ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ଲୋକେ ତାଙ୍କୁ ଫୋନ କରିବାରୁ ସେ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଲେ। ସେ କହିଲେ ଯେ ମୁଁ ସାରା ଜୀବନ କଂଗ୍ରେସରେ ରହି ସେବା କରିଛି। ନିଜ ସ୍ବାର୍ଥ ପାଇଁ ମୁଁ କେବେ ବି କଂଗ୍ରେସରୁ ସୂତା ଖିଅଟିଏ ପରି ଘୁଞ୍ଚି ନାହିଁ। ମୁଁ ରୋକଠୋକ ଲୋକ। ମୁଁ କେଉଁଠି କି କାହା ପାଖରେ ଲଟର ପଟର ହୋଇ ଦଳ ଡେଇଁବାର ନାହିଁ। ମୋର ଜନ୍ମ କଂଗ୍ରେସରେ ଏବଂ ମରଣ ମଧ୍ୟ ସେହି କଂଗ୍ରେସରେ।

ତେବେ ଆପଣ କଣ ପାଇଁ ପୁଅଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ ବୋଲି ପ୍ରଶ୍ନ କରିବାରୁ ସେ କହିଲେ ଯେ, ତାହା ଥିଲା ସୌଜନ୍ୟ ସାକ୍ଷାତ। ତେବେ ମୁଁ ଆପଣଙ୍କ ସମ୍ମୁଖରେ ଘୋଷଣା କରି କହୁଛି ଯେ, ମୁଁ କଂଗ୍ରେସରୁ କେବେ କୁଆଡେ ଯିବି ନାହିଁ। ହେଲେ ଏଣିକି ଆଉ ମୁଁ ନିର୍ବାଚନରେ ଲଢିବା ନାହିଁ। ମୋର ବୟସ ଅଶି ପାଖାପାଖି ହେଲାଣି। ଆଉ ଏତେ କାମ କରିବା ସମ୍ଭବ ନୁହେଁ।

ତେବେ ଜଟଣୀରୁ କିଏ ଛିଡା ହେବ ବୋଲି ପଚରାଯିବାରୁ ସୁର କହିଲେ ଯେ, ମୋ ସାନପୁଅ ମନ୍ନଥ ରାଉତରାୟ ଜଟଣୀରୁ ଛିଡା ହେବ। ସାମ୍ବାଦିକମାନେ ପୁଣି ପଚାରିଲେ, ସେ ବିଜେଡିରୁ ଛିଡା ହେବେ କି ? ସୁର ତୁରନ୍ତ ନା ନା ବୋଲି କହିଲେ। ସେ ସ୍ପଷ୍ଟ ଉତ୍ତର ଦେଲେ ଯେ , ଜଟଣୀରୁ ମୋ ପୁଅ କଂଗ୍ରେସରୁ ହିଁ ଛିଡା ହେବ। ସେ ପୁଣି ଦୋହରାଇ କହିଲେ ମନ୍ନଥ କଂଗ୍ରେସରୁ ଛିଡା ହେବ।

Related posts