
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି। କାରଣ ହେଲା ଯେ, ଓଡିଶାରେ ଏକ ଜାତୀୟ ରାଜପଥ କାମ ଦୀର୍ଘ ପାଞ୍ଚ ବର୍ଷ ହେଲା ଚାଲିଛି ଯେ ତାହା ଶେଷ ହେଉ ନାହିଁ। ସେହି ରାସ୍ତା ହେଲା କଟକ-ଅନୁଗୁଳ-ସମ୍ବଲପୁର ଏନଏଚ-55।
ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଚାରି ଲେନ କରିବା ପାଇଁ ଏହି ରାସ୍ତାର କାମ 2017 ମସିହାରୁ ଆରମ୍ଭ ହେଲାଣି। ହେଲେ ଏ ପର୍ଯ୍ୟନ୍ତ ତାହା ଶେଷ ହେଉ ନାହିଁ। ସବୁବେଳେ ରାସ୍ତା କାମ ଜାରୀ ରହିଥିବାରୁ ସେଠାରେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଗତ ଦୁଇ ବର୍ଷ ମଧ୍ୟରେ ସେହି ରାସ୍ତାରେ 399ଟି ଦୁର୍ଘଟଣା ଘଟିଛି। ଏଥିରେ 196 ଜଣ ମୃତ୍ୟୁ ମଧ୍ୟ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ଏ ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଏନଏଚଆଇ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଛି। ସେମାନେ ମଧ୍ୟ ବିଭିନ୍ନ ବୈଠକ କରି ଏହା କାମ ଉପରେ ଆଲୋଚନା କରିଛନ୍ତି। ହେଲେ ଏ ନେଇ ଠୋସ କିଛି ଫଳ ମିଳିପାରୁ ନାହିଁ। ଯାହାଦ୍ବାର କାମ ବହୁ ବିଳମ୍ବ ହେବାରେ ଲାଗିଛି।
ଏପରି ବିଳମ୍ବ ପାଇଁ ସେହି ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି। ଏପରିକି ଆନ୍ଦୋଳନ ମଧ୍ୟ ହେବାରେ ଲାଗିଛି। ସେଥିପାଇଁ ମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି କାମ ଶିଘ୍ର ଶେଷ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ନବୀନ ଅନୁରୋଧ କରିଛନ୍ତି।