ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜେଡି ପ୍ରଭାରୀ ହେଲେ ରବିନ୍ଦ୍ର ଜେନା, କେଉଁଠୁ କରିବେ ଆରମ୍ଭ

Published: Mar 27, 2023, 6:20 pm IST

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ବ ନେବେ ବାଲେଶ୍ବରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା। ୨୦୧୪ ରେ ସାଂସଦ ଥିଲେ, ହେଲେ ୨୦୧୯ ରେ ସେ ହାରିଗଲେ। ସେ ପୂର୍ବରୁ ବିଜେଡିର ଜଣେ ସକ୍ରିୟ ନେତା ଥିଲେ। ହେଲେ ଗତ କିଛି ବର୍ଷ ଧରି ଦଳୀୟ କାର୍ଯ୍ୟରେ ତାଙ୍କର ସେପରି ବଳିଷ୍ଠ ଭୂମିକା ଦେଖିବାକୁ ମିଳି ନ ଥିଲା। ହେଲେ ହଠାତ ନବୀନ ତାଙ୍କ ଉପରେ ଭରସା କରି ଖୋର୍ଦ୍ଧା ପରି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି।

ତେବେ ଏହି ଜିଲ୍ଲାରୁ ତାଙ୍କର ରଣନୀତି କେଉଁଠୁ ଆରମ୍ଭ କରିବେ ତାହା ସନ୍ଦେହଯୁକ୍ତ। କାରଣ ଏହି ଜିଲ୍ଲାରେ ରହିଛି ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ। ସେଗୁଡିକ ହେଲା ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର, ଜୟଦେବ, ଖୋର୍ଦ୍ଧା, ଜଟଣୀ, ବେଗୁନିଆ ଏବଂ ଚିଲିକା। କେବଳ ଭୁବନେଶ୍ବରର ତିନୋଟି ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ ଅନ୍ୟଠାରେ ରହିଛି ବହୁ ଦଳୀୟ ଅଡୁଆ। ଏପରି ଅଡୁଆକୁ ରବି ଜେନା କିପରି ମୁକାବିଲା କରିବେ ତାହା ପ୍ରଶ୍ନବାଚୀ ।

ସବୁଠାରୁ ବଡ ଅଡୁଆ ଚିଲିକା ନିର୍ବାଚନ ମଣ୍ଡଳୀରେ ରହିଛି। ଯାହାକୁ ସମାଧାନ କରିବା ରବି ଜେନାଙ୍କ ପକ୍ଷରେ କାଠିକର ପାଠ ହେବ। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳରୁ ବହିସ୍କାର ହୋଇଛନ୍ତି। ଅନ୍ୟପକ୍ଷରେ ଆଇନ କଟକଣା ପାଇଁ ସେ ନିର୍ବାଚନ ମଣ୍ଡଳୀ ମଧ୍ୟ ଯାଇ ପାରୁ ନାହାଁନ୍ତି। ଫଳରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ସେଠାରେ ମୁଣ୍ଡ ଟେକିଛନ୍ତି। ରଘୁ ବିଜେଡି ବନାମ ବିଧାୟକ ଜଗଦ୍ଦେବଙ୍କ ବିଜେଡି ପୁରା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମି କାହାକୁ ଭରସା କରିବେ ସେନେଇ ଦ୍ବନ୍ଦରେ ଅଛନ୍ତି। ସେଠାକାର ବିଜେଡି ବିଧାୟକ ଅରବିନ୍ଦ ଢାଲିଙ୍କ ହାତରେ ଆଉ ସଂଗଠନ ନାହିଁ। ତାଙ୍କୁ ଦଳୀୟ କର୍ମିମାନେ ବିରୋଧ କରିବାରେ ଲାଗିଛନ୍ତି। ନିର୍ବାଚନ ମଣ୍ଡଳୀ ଭିତରେ ତାଙ୍କ ଗସ୍ତକୁ କରୁଛନ୍ତି ବିରୋଧ। ସେଠାରେ ପୂର୍ବରୁ ବିଧାୟକ ଥିବା ଶଶିଭୂଷଣ ବେହେରାଙ୍କୁ ବଦଳାଇ ଦଳ ୨୦୧୯ ରେ ଢାଲିଙ୍କୁ ଟିକେଟ ଦେଇଥିଲା। ଏବେ ସେଠାରେ କିଏ ଟିକେଟ ପାଇବ ତାକୁ ନେଇ ଦ୍ବନ୍ଦରେ କର୍ମୀ।

ଖୋଦ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ସଂଗଠନ ଏବଂ କର୍ମି ଦ୍ବନ୍ଦରେ ରହିଛନ୍ତି। କାରଣ ବର୍ତ୍ତମାନ ବିଧାୟକ ଥିବା ଜ୍ୟୋତିନ୍ଦ୍ରନାଥ ମିତ୍ର ବୟସ ଦୃଷ୍ଟିରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଶୁଣାଯାଉଛି। ଫଳରେ ସେହି ନିର୍ବାଚନ ମଣ୍ଡଳୀରେ ଆଖି ପକାଇଛନ୍ତି ସେଠାକାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।  ବିଜେଡି କର୍ମିମାନେ କାହା ଉପରେ ଭରସା କରିବେ ସେ ନେଇ ଦ୍ବନ୍ଦରେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାର କେବଳ ଜଟଣୀ ଏବଂ ଭୁବନେଶ୍ବରର ତିନୋଟି ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ଏକ ପ୍ରକାରର ସ୍ଥିର ରହିଛି କହିଲେ ଭୁଲ ହେବ ନାହିଁ। ହେଲେ ଜୟଦେବ, ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକାରୁ ନୂଆ ପ୍ରଭାରୀ କେଉଁଠୁ ଏବଂ କିପରି ତାଙ୍କର ରଣନୀତି ଆରମ୍ଭ କରିବେ ତାହା ପ୍ରଶ୍ନବାଚୀ। କାରଣ ଏହି ନିର୍ବାଚନ ମଣ୍ଡଳୀଗୁଡିକରେ ନେତା ଅଛନ୍ତି ହେଲେ ନାହିଁ ନେତୃତ୍ବ।

Related posts