Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗିରୀଶ କର୍ଣ୍ଣାଡ; ଏକ ମହାମଞ୍ଚର ଜୀବନ ଓ ଅନନ୍ୟ ଆଗ୍ନେୟ ପ୍ରତିବାଦର ସ୍ଵର
ବିଶେଷ ଖବର

ଗିରୀଶ କର୍ଣ୍ଣାଡ; ଏକ ମହାମଞ୍ଚର ଜୀବନ ଓ ଅନନ୍ୟ ଆଗ୍ନେୟ ପ୍ରତିବାଦର ସ୍ଵର

June 10, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ସକାଳୁ ଯେତେବେଳେ ଖବର ମିଳିଲା ଯେ ଗିରୀଶ କର୍ଣ୍ଣାଡ(୧୯, ମଇ,୧୯୩୮-୧୦,ଜୁନ,୨୦୧୯, ଜନ୍ମ-ମାଥେରାନ, ମହାରାଷ୍ଟ୍ର, କନ୍ନଡ ସାହିତ୍ୟର ମହାନତମ ଲେଖକ ଓ ଭାରତୀୟ ସିନେମାର କିମ୍ବଦନ୍ତୀ ନାୟକ)  ଚାଲିଗଲେ, ହଠାତ ମୋ ଆଖି ଆଗରେ “ନାଗ ମଣ୍ଡଳ” ନାଟକର ଶେଷ ଦୃଶ୍ୟଟି ଭାସିଗଲା। ନାଟକର ନାୟିକା ରାଣୀ ନାଟକର ନାୟକ ନାଗ ପୁରୁଷକୁ କହୁଛି- ଆ, ତୁ ମୋର ଗଭାର କେଶରାଶି ଭିତରେ ଲୁଚିରହିଥା’। ନଚେତ ସେମାନେ ତୋତେ ମାରିଦେବେ। ହଠାତ ମୋତେ କାଇଁ ଲାଗୁଛି ଆଜି ମୃତ୍ୟୁ “ନାଗ ମଣ୍ଡଳ”ର ନାୟିକା ରାଣୀ ହୋଇ ଆସିଛି ଓ ଗିରୀଶଙ୍କୁ ତା ଗଭାରେ ଲୁଚେଇ ଧୀରେ ଧୀରେ ଅପସରି ଯାଉଛି। ୮୧ ବର୍ଷର ପରିପକ୍ଵ ଜୀବନରେ ଗିରୀଶ କର୍ଣ୍ଣାଡ ମୃତ୍ୟୁବରଣ କରିବାର କିଛି ବର୍ଷ ଆଗରୁ ତାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିଲା। ଯେଉଁ ଆତତାୟୀମାନେ କାଲ୍ବୁର୍ଗୀ ଓ ଗୌରୀ ଲଙ୍କେଶଙ୍କୁ ହତ୍ୟା କରିଥିଲେ, ସେମାନେ ଗିରୀଶଙ୍କ ରକ୍ତ ମଧ୍ୟ ମାଗୁଥିଲେ। ଗତ ଦଶ ବର୍ଷ ଭିତରେ କର୍ଣ୍ଣାଟକରେ ଉଗ୍ରବାଦୀ ହିନ୍ଦୁତ୍ଵ ଗୋଷ୍ଠୀ ଅନେକ ପ୍ରଗତିଶୀଳ ଲେଖକ ଓ ବୁଦ୍ଧିଜୀବୀଙ୍କୁ ହତ୍ୟା ଧମକ ଦେଇ ଆସୁଛନ୍ତି। ଗିରୀଶ ସେମାନଙ୍କ ହିଟ ଲିଷ୍ଟରେ ରହିଥିଲେ ବି ତାଙ୍କର ସ୍ଵର ସବୁବେଳେ ସେମିତି ତୀକ୍ଷ୍ନ ଓ ଶାଣିତ ରହିଥିଲା। ମୃତ୍ୟୁ ପର୍ୟନ୍ତ ଭାରତୀୟ ଜୀବନବୋଧର ଜୀବନ୍ତ ବିବେକ ଭାବରେ ଗିରୀଶ କର୍ଣ୍ଣାଡ ସ୍ବାଭିମାନର ସହିତ ବଞ୍ଚିଥିଲେ।

ଭାରତର ସାଂସ୍କୃତିକ ଇତିହାସରେ ଗିରୀଶ କର୍ଣ୍ଣାଡ ବହୁ ଆକାଶରେ ତାରକାର ମର୍ଯାଦା ପାଇବେ। ସିନେମା ଓ ମଞ୍ଚରେ ସେ ଥିଲେ ଅନନ୍ୟ ଅଭିନେତା। ତାଙ୍କର ଶତାଧିକ ଅଭିନୀତ ସିନେମା ଭିତରୁ ମାତ୍ର ତିନୋଟି ସିନେମା କଥା ମୁଁ କହିବାକୁ ଚାହିଁବି। ସଂସ୍କାର(୧୯୭୦), ସ୍ଵାମୀ(୧୯୭୭) ଓ ସୁର ସଂଗମ(୧୯୮୫)। ତାଙ୍କ ଅଭିନୟର ଯାଦୁକରୀ ହେଉଛି ଚରିତ୍ର ସହିତ ଏକାକାର ହୋଇଯିବାର ଅପୂର୍ବ ଦକ୍ଷତା। “ସୁର ସଙ୍ଗମ” ରେ ଶାସ୍ତ୍ରୀୟ ସଙ୍ଗୀତ ବିଦ୍ଵାନ ଶିବଶଙ୍କର ଶାସ୍ତ୍ରୀ ଭୂମିକାରେ ତାଙ୍କୁ ଯେ ଦେଖିଛି, ସେ ସାରା ଜୀବନ ତାକୁ ଭୁଲି ପାରିବ ନାହିଁ। ମଞ୍ଚରେ ରାଗ ମାଲକୋଷ ପରିବେଷଣ କରିବା ବେଳେ ତାଙ୍କର ଯେଉଁ ଠାଣି ଓ ଚାହାଣୀ, ସେ କୌଣସି ଅଭିନେତାର ନୁହଁ, ବରଂ ଖୋଦ କେହିଜଣେ ଓସ୍ତାଦର। ମଞ୍ଚ ଓ ସିନେମାରେ ତାଙ୍କର ଅଭିନୟ ଗୋଟେ ଭିନ୍ନ ଶ୍ରେଣୀର ଅନୁଭବ ଦେଇଥାଏ। ଜୀବନର ଅନ୍ତିମ କ୍ଷଣ ପର୍ୟନ୍ତ ସେ ଅଭିନୟ କରିଛନ୍ତି। ଆସନ୍ତା ଅଗଷ୍ଟ ରୁ ଡିସେମ୍ବର ଭିତରେ ତାଙ୍କର ୪ ଟି କାନ୍ନାଡ଼ା ଓ ଗୋଟିଏ ତେଲୁଗୁ ସିନେମା ମୁକ୍ତିଲାଭ କରିବ। ଅଭିନୟ ତାଙ୍କ ରକ୍ତରେ ଥିଲା ଓ ସେ ରକ୍ତ ଶୁଦ୍ଧ ଭାରତୀୟତାର ରକ୍ତ। ଯେଉଁ ଆତତାୟୀମାନେ ଗିରୀଶ କର୍ଣ୍ଣାଡଙ୍କୁ  ହିନ୍ଦୁ ବିରୋଧୀ ବୋଲି କହି ହତ୍ୟା ଧମକ ଦେଉଥିଲେ, ସେମାନେ ବୋଧେ ଗିରୀଶଙ୍କୁ କେବେ ଦେଖିନଥିବେ ବା ପଢିନଥିବେ। ସେଇ “ସୁର ସଙ୍ଗମ” ସିନେମାରେ ଯେତେବେଳେ ସେ ଶିବ ବନ୍ଦନା ଗାନ କରୁଛନ୍ତି, ତାଙ୍କ ଆଖିରେ ଭକ୍ତି ଓ ସମର୍ପଣର ଅଦ୍ଭୁତ ଅଭିବ୍ୟକ୍ତି ଫୁଟି ଉଠୁଛି। ଅଭିନୟରେ ଚରିତ୍ର ସହ ଏକାକାର ହୋଇ ପାରିବାର ଦକ୍ଷତା ଯୋଗୁଁ, ସେ ତାଙ୍କ ସମୟର ସବୁ ଅଭିନେତାଙ୍କଠୁ ଭିନ୍ନ।

ତେବେ ଅଭିନେତା ତୁଳନାରେ ସେ ଭାରତୀୟ ସାହିତ୍ୟର ଅନ୍ୟତମ ମହାସର୍ଜକ। ଭାରତୀୟ ନାଟକର ଆଧୁନିକ ପରମ୍ପରାରେ ସେ ଅନନ୍ୟ ଓ ଶ୍ରେଷ୍ଠତମ। କୋଡିଏ ରୁ ଅଧିକ ନାଟକ ତାଙ୍କର ରହିଛି। ତେବେ ଯେଉଁ ଚାରୋଟି ନାଟକ ଭାରତୀୟ ରଙ୍ଗମଞ୍ଚର ଇତିହାସ ବଦଳାଇ ଦେଇଥିଲା, ସେ ହେଲେ- ଯଯାତି(୧୯୬୧), ତୁଗଲକ (୧୯୬୪), ହୟବଦନ(୧୯୭୧) ଓ ନାଗ ମଣ୍ଡଳ (୧୯୮୮) । ଚାରୋଟି ଯାକ ନାଟକର ମୂଳ ଆଧାର ହେଉଛି ଲୋକକଥା, ପୁରାଣ ଓ ଇତିହାସ। ଅଥଚ ସବୁ ନାଟକ ସମକାଳୀନ ଜୀବନର ସଙ୍ଘାତକୁ ନୂଆ ଭାଷାରେ ବ୍ୟକ୍ତ କରୁଛନ୍ତି। ୧୯୬୪ ମସିହାରେ ଲେଖାଯାଇଥିବା ନାଟକ ତୁଗଲକ ଆଜିର ରାଜନୀତିରେ କିଛି କମ ପ୍ରାସଙ୍ଗିକ ନୁହେଁ। ମୁହମ୍ମଦ ବିନ ତୁଗଲକ ଆମ ସମୟ ଓ ଶାସନରେ ବାରମ୍ବାର ନୂଆ ରୂପ ନେଇ ଆସୁଛି। ନାଗ ମଣ୍ଡଳରେ ପ୍ରତିବାଦର ଏକ ସୂକ୍ଷ୍ମ ଓ କଳାତ୍ମକ ମାଧ୍ୟମ ଆମେ ଦେଖିଛୁ। ସାମାଜିକ ଜୀବନର ଜଡତା ଭାଙ୍ଗିବା ଲାଗି ପ୍ରେମ ଯେ ଏକ ବଡ ପ୍ରତିବାଦ ହୋଇପାରେ, ନାଗ ମଣ୍ଡଳ ତାର ଏକ ଉଦାହରଣ। ଏଇ ଚାରୋଟି ନାଟକ ଆଧୁନିକ ସମୟର କ୍ଲାସିକ ଭାବରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ସମକାଳୀନ ଭାରତୀୟ ନାଟକରେ ଜୀବନ୍ତ କିମ୍ବଦନ୍ତୀ ବୋଲି କୁହା ଯାଉଥିବା ଗିରୀଶ କର୍ଣ୍ଣାଡଙ୍କର ମୃତ୍ୟୁ ସମ୍ଭବ ନୁହେଁ।

ସାହିତ୍ୟ ଓ ସିନେମା ବାହାରେ ସେ ଥିଲେ ଆମ ସମୟର ଅଗ୍ରଣୀ ଲୋକ ଚିନ୍ତକ। ଲୋକଙ୍କ କଥା, ଲୋକଙ୍କ ପ୍ରତିବାଦ ଓ ଲୋକତନ୍ତ୍ରର ସୁରକ୍ଷା ଲାଗି ସେ ସବୁବେଳେ ସ୍ଵର ଉତ୍ତୋଳନ କରି ଆସିଛନ୍ତି। ତାଙ୍କର ଜ୍ଞାନ ଓ ପ୍ରଜ୍ଞାନର ଧାରା ବଡ ବିଚିତ୍ର। ପାଠ ପଢିଲା ବେଳେ ସେ ଥିଲେ ଗଣିତଜ୍ଞ। ଗଣିତ ଥିଲା ତାଙ୍କର ଯୁକ୍ତିବାଦୀ ସାହିତ୍ୟିକ ଜୀବନର ଆଧାର। ଗଣିତରୁ ସେ ସାହିତ୍ୟକୁ ଆସିଛନ୍ତି। ତେଣୁ ସାହିତ୍ୟ ତାଙ୍କଲାଗି କେବଳ ଭାବପ୍ରବଣ ଭାଟଗିରି ନଥିଲା। କନ୍ନଡ ସାହିତ୍ୟର ମହାନାୟକ ୟୁ.ଆର.ଅନନ୍ତମୂର୍ତି ଓ ପି. ଲଙ୍କେଶଙ୍କ ଧାରାରେ ସେ ନିଜକୁ ସାମିଲ କରିଛନ୍ତି। ସାହିତ୍ୟରେ ଲୋକପକ୍ଷକୁ ଅତି ସ୍ପଷ୍ଟ କରିବାରେ ଏହି ଧାରା ତାଙ୍କର ସହଯୋଗୀ ହୋଇଛି। ସତୁରୀ ଦଶକରେ ବି.ଭି. କରନ୍ଥ ଗିରୀଶଙ୍କ ନାଟକକୁ ହିନ୍ଦୀରେ ଅନୁବାଦ କଲାପରେ, ଏହା ଭାରତୀୟ ରଙ୍ଗମଞ୍ଚ ଉପରେ ଗଭୀର ପ୍ରଭାବ ପକାଇଛି। ଇବ୍ରାହିମ ଆଲକାଜି ଓ କରନ୍ଥଙ୍କ ନିର୍ଦ୍ଦେଶନାରେ ତାଙ୍କର ନାଟକ ଗୁଡିକ କ୍ରାନ୍ତିକାରୀ ବିବେଚିତ ହୋଇଛନ୍ତି।

ଗିରୀଶ କର୍ଣ୍ଣାଡ ନିଜେ ଏକ ମହାମଞ୍ଚ। ତାଙ୍କ ବିଷୟରେ ଲେଖିବା ହୁଏତ ଆରମ୍ଭ କରିହେବ, ହେଲେ ସେ ଲେଖାର ସମାପ୍ତି ସମ୍ଭବ ନୁହଁ। ତାଙ୍କର ବହୁ ସଫଳ ସୃଷ୍ଟି ଭିତରୁ “ଉତ୍ସବ” ସିନେମା କଥା ଉଲ୍ଲେଖ ଣ କଲେ, କଥା ଅଧୁରା ରହିଯିବ।  ଶୂଦ୍ରକଙ୍କ ମହାନ ସଂସ୍କୃତ ନାଟକ “ମୃଚ୍ଛକଟିକମ” ଆଧାରରେ ଏହି ସିନେମାର ପରିକଳ୍ପନା ଓ ନିର୍ଦ୍ଦେଶନା ଦାୟିତ୍ଵ ନେଇଥିଲେ ଗିରୀଶ କର୍ଣ୍ଣାଡ। ରେଖାଙ୍କ ଅଭିନୟ ଓ ସୌନ୍ଦର୍ୟର ସଫଳତମ ରୂପାୟନ ଏ ସିନେମାରେ ଗିରୀଶଙ୍କର ଏକ ବଡ ସଫଳତା। କଳା ଓ ପ୍ରତିବାଦର ସୂକ୍ଷ୍ମସୂତ୍ର ଆବିଷ୍କାର କରିବାରେ ତାଙ୍କପରି ଲେଖକ ବିରଳ। ଗୋଟିଏ ଧାଡିରେ କୁହା ଯାଇପାରେ – ଗିରୀଶ କର୍ଣ୍ଣାଡ, ଆମ ସମୟର ସବୁଠୁ ବଡ ଲୋକନାୟକ-ଲେଖକ।

ପ୍ରଣାମ ଗିରୀଶ କର୍ଣ୍ଣାଡ।

Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.