ଇଣ୍ଡି ମେଣ୍ଟ: ସପା-ଆରଜେଡି ଲଗାଇଲେ ଏହି ସର୍ତ୍ତ, କଂଗ୍ରେସ ଗ୍ରହଣ କରିବ କି?

Published: Dec 26, 2023, 2:42 pm IST

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟରେ ଆସନ ବଣ୍ଟନକୁ ନେଇ ବିବାଦ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଦିଲ୍ଲୀ, ପଞ୍ଜାବ, ୟୁପି ଓ ପଶ୍ଚିମବଙ୍ଗ ପରେ ଏବେ ବିହାରରେ ମଧ୍ୟ ସ୍ଥାନୀୟ ଦଳମାନେ କଂଗ୍ରେସକୁ ଆସନ ଦେବାକୁ ରାଜି ନୁହଁନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିହାରରେ ଆରଜେଡି କହିଛି ଯେ ସେ ସହଯୋଗୀ କଂଗ୍ରେସକୁ ମାତ୍ର ୬ଟି ଆସନ ଦେଇପାରିବେ। ଆରଜେଡି ଓ ଜେଡିୟୁ ୧୭ରୁ ୧୭ ଟି ଆସନରେ ଲଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆରଜେଡି କହିଛି ଯେ ସିପିଆଇ ଏମଏଲ ଏବଂ ସିପିଆଇ ପାଇଁ ୨ଟି ଏବଂ କଂଗ୍ରେସ ପାଇଁ ୪ଟି ଆସନ ଛାଡ଼ିପାରେ।

ୟୁପିରେ ମଧ୍ୟ ଏସପି ସହ କଂଗ୍ରେସର କୌଣସି କଥାବାର୍ତ୍ତା ହେଉନାହିଁ

ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି କଂଗ୍ରେସକୁ କହିଛି ଯେ ସେମାନେ ସେମାନଙ୍କୁ ମାତ୍ର ୮ଟି ଆସନ ଦେଇପାରିବେ। ଏହି ୮ଟି ଆସନ ମଧ୍ୟରେ ବାରାଣାସୀ, ଲକ୍ଷ୍ନୌ ଭଳି ଆସନ ରହିଛି, ଯେଉଁଠି ସପାର ବିଶେଷ ଉପସ୍ଥିତି ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ଏହି ଦୁଇ ରାଜ୍ୟରେ ସହଯୋଗୀଙ୍କଠାରୁ ଅଧିକ ଆସନ ଆଶା କରୁଛି ଏବଂ ଆଲୋଚନା ପାଇଁ ଅଧିକ ପ୍ରୟାସ କରିପାରେ।

ପଶ୍ଚିମବଙ୍ଗରେ ୨ଟି ଆସନ ଦେବାକୁ ଚାହୁଁଛି ଟିଏମସି

ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ଟି ଆସନରୁ ମାତ୍ର ୨ଟି ଆସନ ଦେଇପାରେ। ତେବେ ମେଣ୍ଟ ହେଲେ କଂଗ୍ରେସ ୬ରୁ ୮ଟି ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଟିଏମସି ଏହାର ପ୍ରସ୍ତାବ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇଛି।

ପଞ୍ଜାବରେ ଆପ୍‍ ସହ ମୁହାଁମୁହିଁ ପରିସ୍ଥିତି

ଆମ୍ ଆଦମୀ ପାର୍ଟି ମଧ୍ୟ ଇଣ୍ଡି ମେଣ୍ଟର ଅଂଶ ବିଶେଷ, କିନ୍ତୁ ପଞ୍ଜାବରେ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ବିବାଦ ଲାଗି ରହିଛି। ଆମ୍ ଆଦମୀ ପାର୍ଟି ଏଠାରେ ସମସ୍ତ ୧୩ଟି ଲୋକସଭା ଆସନରେ ଲଢ଼ିବାକୁ ଚାହୁଁଛି। ସେ କଂଗ୍ରେସକୁ ଗୋଟିଏ ବି ଆସନ ଦେବାମୁଡରେ ନାହିଁ। ଏହାକୁ ନେଇ ଉଭୟ ଦଳର ନେତାଙ୍କ ତରଫରୁ ଅନେକ ବୟାନ ଦିଆଯାଇଛି।

Related posts