ନବୀନଙ୍କ ହସ ସାମ୍ନାରେ ଫିକା ପଡିଲା ବନ୍ଧୁକର ଗୁଳି

Published: Dec 14, 2018, 7:34 am IST

ବୌଦ୍ଧାୟନ ଆଚାର୍ଯ୍ୟ-

ହକି ବିଶ୍ୱକପର ରଙ୍ଗାରଙ୍ଗ ପରିବେଶରେ ଯଦି ଗୋଟିଏ ସ୍ମରଣୀୟ ମୁହୂର୍ତ୍ତ କଣ ବୋଲି ପ୍ରଶ୍ନ କରାଯାଏ ତାହେଲେ ଜଣେ ପ୍ରବାସୀ ଓଡ଼ିଆ ଭାବରେ ମୋତେ ଏହି ଫଟୋଟି ବେଶ ଭାବୁକ କରିଦେଇଛି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ବସି ମ୍ୟାଚ ଦେଖୁଥିବା ଏହି ଯୁବକ ପୂର୍ବରୁ ଥିଲେ ଜଣେ ନକ୍ସଲ  । ପରିସ୍ଥିତିରେ ପଡି ବନ୍ଧୁକ ଧରିଥିବା ଆଉ ପୋଲିସଙ୍କୁ ଟାର୍ଗେଟ କରୁଥିବା ଏହି ଯୁବକ ଏବେ ଆତ୍ମସମର୍ପଣ କରିଛନ୍ତି  । ଦିନେ ସରକାର ବିରୋଧୀ ନାରା ଦେଉଥିବା ଏହି ଯୁବକ ବୁଝିଛନ୍ତି ଜଙ୍ଗଲରେ ସଂଘର୍ଷ ଛଡା ବାହାରେ ବି ଆଉ ଏକ ସୁନ୍ଦର ଦୁନିଆ ରହିଛି  । ଯେଉଁଠି ବିକାଶର ଛବିକୁ କେବଳ ଦେଖିହେଉନି ବରଂ ଅନୁଭବ କରିହେଉଛି  ।

ମାଓକ୍ୟାମ୍ପ ଛାଡିବା ପରେ ବି ସରକାର ହାତ ଛାଡିନାଁହାନ୍ତି ବରଂ ସେମାନଙ୍କ ବିକାଶ ପାଇଁ ଅର୍ଥରାଶିଠାରୁ ଆରମ୍ଭ କରି ସବୁକିଛିର ବ୍ୟବସ୍ଥା କରିଛନ୍ତି  । ଆଉ ଏହାକୁ ଅନୁଭବ କରିଛନ୍ତି ଏହି ଯୁବକଙ୍କ ଭଳି ଅନ୍ୟ ୩୦ ଜଣ ମାଓ କ୍ୟାଡର ।  ବଡ କଥା ହେଉଛି କେବଳ ମୁଖ୍ୟସ୍ରୋତର କଥା ନ କହି ଏହାକୁ ନିଜେ କରିଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ  । କାରଣ ମାଲକାନଗିରି ଜିଲ୍ଲାର ଏହି ଯୁବପିଢ଼ିମାନେ ଆତ୍ମସମର୍ପଣ କରି ନୂଆ ଜୀବନ ଆରମ୍ଭ କରୁଥିବାବେଳେ କେବେ ବି ଭାବିନଥିବେ ରାଜଧାନୀ ଯିବେ, ଆଉ ଖଚାଖଚ ଦର୍ଶକଙ୍କ ସହ ସେମାନେ ବି ଦର୍ଶକ ସାଜିବେ  । ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି କହିବେ ନିଜ ମନର କଥା  । ନବୀନ ହସିବେ, ଆଉ କେମିତି ଅଛନ୍ତି ବୋଲି ପ୍ରଶ୍ନ ବି କରିବେ  ।

ପୂର୍ବରୁ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ସାଜିଥିବା ଏହି କ୍ୟାଡର ମାନେ ଅନାୟାସରେ ମ୍ୟାଚ ଦେଖୁଥିବାବେଳେ ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି  । ଅନେକ ସରକାର କେବଳ ମୁଖ୍ୟସ୍ରୋତ ଶବ୍ଦ ବ୍ୟବହାର କରି ନିରବି ଯାଉଥିବାବେଳେ ଓଡିଶା ସରକାରଙ୍କ ଏହି ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ ହେବ  । ବନ୍ଧୁକର ଗୁଳି ସେମାନଙ୍କୁ ଦେଶଦ୍ରୋହୀର ଭିନ୍ନ ପରିଚୟ ଦେଇଥିଲା, ହେଲେ ଆଜି ସେମାନେ ହକି ବିଶ୍ୱକପରେ ପାଇଛନ୍ତି ଅତିଥିର ପରିଚୟ  । ଆଉ ଗୋଟିଏ କଥା ଉଲ୍ଲେଖ କରିବାକୁ ଚାହେଁ ଅନ୍ୟ ସବୁଠି ହାଇପ୍ରୋଫାଇଲ ମ୍ୟାଚରେ ଆପଣମାନେ ଭିଆଇପି ବକ୍ସରେ ସେଲିବ୍ରିଟିଙ୍କୁ ଦେଖିବାକୁ ପାଇବେ  । କିନ୍ତୁ ଏହିଠାରେ ୩୦ ଜଣ ମାଓ କ୍ୟାଡର ସାଜିଥିଲେ ଜଣେଜଣେ ସେଲିବ୍ରିଟି  । ଭାରତ ନେଦରଲ୍ୟାଣ୍ଡଠାରୁ ପରାସ୍ତ ହୋଇଛି ସତ କିନ୍ତୁ ଏହି ଫଟୋ ଏବେ ସମସ୍ତଙ୍କ ହୃଦୟରେ ବସା ବାନ୍ଧିନେଇଛି  । ହକି ବିଶ୍ୱକପର ଏହି ମ୍ୟାଚ ସରିଯିବ, କିନ୍ତୁ ମନେ ରହିବ କଥାରେ ନୁହେଁ କାମରେ ବିଶ୍ୱାସ ରଖୁଥିବା ଜଣେ ନେତା ଓ ନୂଆ ସ୍ୱପ୍ନଟିଏ ଦେଖୁଥିବା ଏହି ଯୁବକଙ୍କ ହସ ।

Related posts