କଟକ: ଅଟିଜମ୍ ପୀଡ଼ିତ ନାବାଳକ ପୁଅର ଚିକିତ୍ସା ଓ ଦେଖାଶୁଣା ପାଇଁ ଚାକିରିରୁ ଇସ୍ତଫା ଦେଇଥିବା ଜଣେ ମହିଳା ବିଚାରପତିଙ୍କୁ ପୁଣି ସେବାରେ ପୁନଃନିଯୁକ୍ତ କରିବାକୁ ଓଡ଼ିଶା ହାଇକୋର୍ଟ ଏକ ସଂବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପାରିବାରିକ ପରିସ୍ଥିତି ଏବଂ ମା’ର ବାସ୍ତବ ଆବଶ୍ୟକତାକୁ ବିଚାରକୁ ନେଇ କୋର୍ଟ ଏହି ଆଦେଶ ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ, ବିଚାରପତି ଇପ୍ସିତା ମହାନ୍ତି ନିଜ ପୁଅଙ୍କ ବିଶେଷ ଚିକିତ୍ସା ପାଇଁ ବିଚାର ବିଭାଗୀୟ ସେବାରୁ ଇସ୍ତଫା ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ନିଜର ଏହି ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇଥିଲା। ଫଳରେ ସେ ଆଇନଗତ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ମାନସ ରଞ୍ଜନ ପାଠକ ଏବଂ ବିଚାରପତି ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଇସ୍ତଫା ପ୍ରତ୍ୟାହାର ଆବେଦନ ପରେ ତାହାକୁ ଗ୍ରହଣ କରାଯିବା ଆଇନଗତ ଭାବେ ଉଚିତ ନଥିଲା। ଆବେଦନକାରୀଙ୍କୁ ଅତିରିକ୍ତ ସିଭିଲ୍ ଜଜ୍-କମ୍-ଏସ୍ଡିଜେଏମ୍ ଭାବେ ପୁନଃନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ ବାକି ଥିବା ପଛୁଆ ବେତନ ଦେବାକୁ ମନା କରିଥିଲେ ହେଁ, ୨୦୨୩ ଜାନୁଆରୀ ୩ରୁ ସେବାର ନିରନ୍ତରତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଦାନ କରିବାକୁ କୋର୍ଟ ନିଦ୍ଦେର୍ଶ ଦେଇଛନ୍ତି।


